ଶ୍ରୀଲିଙ୍ଗରାଜଙ୍କ ଖାଲି ଜମି ଭଡ଼ାରେ ଲାଗିବ

ଭିଆଇପି ଦର୍ଶନ ନିଷ୍ପତ୍ତି ଦେବୋତ୍ତର କମିସନର୍‌ କରିବେ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଖାଲି ପଡ଼ିଥିବା ଜମି ଭଡ଼ାରେ ଲାଗିବ। ଏଥିପାଇଁ ଜମିଗୁଡ଼ିକ ୧୧ ମାସିଆ ଭଡ଼ା ସୂତ୍ରରେ ଦିଆଯିବ। ଠାକୁରଙ୍କ ଖାଲି ପଡ଼ିଥିବା ଜମିଗୁଡ଼ିକ ଜବରଦଖଲ ହେଉଥିବାରୁ ଏହାକୁ ଭଡ଼ାରେ ଦିଆଯିବ ବୋଲି ଆଜି ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ାଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଖାଲି ପଡ଼ିଥିବା ଜମିଗୁଡ଼ିକର ଅନୁଧ୍ୟାନ କରାଯିବ। ଏହାର ତାଲିକା କରାଯାଇ ଭଡ଼ା ନିର୍ଧାରଣ କରାଯିବ। ଭଡ଼ାରେ ନେବା ଲୋକ ଉକ୍ତ ଜମିରେ କୌଣସି ସ୍ଥାୟୀ ନିର୍ମାଣ କରିପାରିବେ ନାହିଁ। ଜମିର ଚାହିଦା ଜଣାପଡ଼ିବା ପରେ ଟ୍ରଷ୍ଟ ବୋର୍ଡରେ ଭଡ଼ା ନିର୍ଧାରଣ କରାଯିବ। ସେହିପରି ମନ୍ଦିରରେ ଥିବା ଭଗ୍ନ ପ୍ରତିମା ମରାମତି ପାଇଁ ତିନି ନିଯୋଗ ଆସନ୍ତା ମାସେ ମଧ୍ୟରେ କାରିଗର ସମ୍ପର୍କରେ ରିପୋର୍ଟ ଦେବେ। ଯେଉଁ କାରିଗର ଭଗ୍ନ ପ୍ରତିମାଗୁଡ଼ିକ ମରାମତି କରିପାରିବେ, ତାଙ୍କୁ ଏହି ଦାୟିତ୍ଵ ଅର୍ପଣ କରାଯିବ। ସେହିପରି ମନ୍ଦିରକୁ ଆସୁଥିବା ଭିଆଇପିଙ୍କ ଦର୍ଶନ କରାଇବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଚାଲିଥିବା ବେଳେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା ବୈଠକ ବର୍ଜନ କରି ଚାଲି ଆସିଥିଲେ। ବିଗତ ଦିନରେ ଭିଆଇପି ଦର୍ଶନ ବେଳେ ତାଙ୍କୁ ଖବର ଦିଆଯାଉ ନଥିବା ଦର୍ଶାଇବା ସହ ଆଗକୁ ଏପରି ହେଲେ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ସେମାନେ ଚେତାବନୀ ଦେଇ ଉଠି ଆସିଥିଲେ। ତେବେ ଆଗରୁ ଭିଆଇପି ଦର୍ଶନ ସମ୍ପର୍କରେ ଦେବୋତ୍ତର କମିସନର୍‌ ଯାହା ନିଷ୍ପତ୍ତି ନେବେ, ତାହା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସେହିପରି ବାସୁଦେବ ମନ୍ଦିର ରୋଷଘର ନିର୍ମାଣ ସମ୍ପର୍କରେ ସବ୍‌କମିଟି ରିପୋର୍ଟ ପରେ ବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟବୋର୍ଡର ସଭ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର