ବାଲିଅନ୍ତା: ସ୍ଥାନୀୟ ଭୁବନପୁରସ୍ଥିତ ଐତିହ୍ୟ ସଂପନ୍ନ ନୃସିଂହନାଥ ଦେବଙ୍କ ମନ୍ଦିର ସମ୍ପତ୍ତି ଉପରେ ଏବେ ବିଲ୍ଡର, ଇଟାଭାଟି ମାଲିକଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନୃସିଂହ ନାଥ ଦେବଙ୍କ ବିଜେସ୍ଥଳୀ ସହିତ ଆଉ କିଛି ଭୂସମ୍ପତ୍ତିକୁ ମିଶାଇ ମୋଟ ୩ ଏକର ପରିମିତ ଭୂ ସମ୍ପତ୍ତିକୁ ଛାଡ଼ିଦେଲେ ୭୪ ଏକର ଜମି ଏବେ ବିଲ୍ଡର, ଇଟାଭାଟି ମାଲିକ କବ୍ଜା କରି ନେଲେଣି। ବହୁ କୋଟି ଟଙ୍କା ମୂଲ୍ୟର ଦିଅଁଙ୍କ ସମ୍ପତ୍ତି ଜବରଦଖଲମୁକ୍ତ କରିବା ପାଇଁ ଏବେ ଗ୍ରାମ କମିଟି ନିଷ୍ପତ୍ତି ନେଇଛି।
ତେଣୁ ଏନେଇ ଆଜି ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀମାନଙ୍କର ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେବୋତ୍ତର ବିଭାଗ ଇନ୍ସପେକ୍ଟର ନୀରଜ ଛୋଟରାୟ ଅଧ୍ୟକ୍ଷତା କରିଥିଲେ। ଅଣ୍ଡିଲୋ, ଭୁବନପୁର, ଅଟଳା ଏବଂ ବାଲିଅନ୍ତା ପଞ୍ଚାୟତ ସମେତ ବିଭିନ୍ନ ମୌଜାରେ ଥିବା ଠାକୁର ସମ୍ପତ୍ତି ଜବରଦଖଲକାରୀଙ୍କ କବ୍ଜାରୁ ଉଦ୍ଧାର କରିବା ନେଇ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା। ଦେବୋତ୍ତର ବିଭାଗ ମନ୍ଦିର ପରିଚାଳନା ଦାୟିତ୍ବ ନିଜ ହାତକୁ ନେଇ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି ଉପସ୍ଥାପନ କରିଥିଲେ। ନୃସିଂହ ନାଥ ଦେବଙ୍କ ବାର୍ଷିକ ପୂଜାନୀତି ଏବଂ ଯାନିଯାତ୍ରା କାର୍ଯ୍ୟ ସଂପାଦନ ପାଇଁ ଟ୍ରଷ୍ଟ ଗଠନ କରାଯିବା ଅନ୍ୟତମ ମୂଖ୍ୟ ଦାବି ଥିଲା। ଇନ୍ସପେକ୍ଟର ଶ୍ରୀ ଛୋଟରାୟ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।
ସୂଚନା ଅନୁସାରେ ନୃସିଂହନାଥ ଦେବ ଏ ଅଞ୍ଚଳର ପ୍ରାଚୀନତମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଠାକୁରଙ୍କ ପ୍ରତ୍ୟହ ନୀତିକ୍ରାନ୍ତି ଲାଗି ୭୭ ଏକର ଜମି ଉପରୋକ୍ତ ସବୁ ମୌଜା ଅଞ୍ଚଳରେ ଥିଲା। ହେଲେ ଏବେ ସେଥିମଧ୍ୟରୁ ଅଧିକାଂଶ ଜମି ଇଟାଭାଟି ମାଲିକ ଏବଂ ବିଲ୍ଡର କରାୟତ କରିନେଲେଣି। ମନ୍ଦିର ପରିଚାଳନା କମିଟି ସମ୍ପତ୍ତି ଉଚ୍ଛେଦ ନେଇ ଅନେକ ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଓଲଟି ବିରୋଧ କଲେ ମାଫିଆ ଗୋଷ୍ଠୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି।
ଏମିତିକି କିଛି ସମ୍ପତ୍ତି କାରସାଦି କରି ବିକ୍ରି କରିଦିଆଯାଇଥିବା ଭଳି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଉଠିଥିଲା। ଦିଅଁଙ୍କ ସମ୍ପତ୍ତି ଜବରଦଖଲ ହେବା ଦ୍ବାରା ମନ୍ଦିର ପରିଚାଳନା କ୍ଷେତ୍ରରେ ନାନା ସମସ୍ୟା ଦେଖାଦେଇଛି। ଅପରପକ୍ଷରେ ଏସଂପର୍କରେ ମାର୍ଫତଦାର ପଣ୍ଡା ସେବାୟତ ଜୟଦେବ ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ନରୋତ୍ତମ ପଣ୍ଡାଙ୍କ ସୂଚନା ଅନୁସାରେ ଠାକୁରଙ୍କ ବହୁ ସମ୍ପତ୍ତି କୁଆଖାଇ ଏବଂ ପୁରୀ ମୁଖ୍ୟ କେନାଲ ଖନନ ବେଳେ ସରକାରଙ୍କ ଖାତାକୁ ଚାଲିଯାଇଛି। କୌଣସି ସମ୍ପତ୍ତି ବିକ୍ରିବଟା ହେବା ସୂଚନା ଆମ ପାଖରେ ନାହିଁ। କିଛି ଜାଗାରୁ ମାସକୁ ଆସୁଥିବା ଭଡ଼ା ଟଙ୍କାରେ ପୂଜାନୀତି ସଂପାଦନ ହେଉଛି।