ଭୁବନେଶ୍ବର: ରାଜଧାନୀରେ ଅପମିଶ୍ରିତ ସସ୍ କାରଖାନା ଠାବ ହେବା ପରେ କମିସନରେଟ୍ ପୁଲିସ ଏହି ମାମଲାକୁ ଗୁରତ୍ବର ସହ ନେଇଛି। ପୁଲିସ କେବଳ ତଦନ୍ତରେ ଅଟକି ନାହିଁ, ଆକ୍ସନ୍ ମୋଡ୍ରେ ରହିଛି। ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ ପରେ ପୁଲିସ ‘ଅମ୍ରିତ୍’ ପକ୍ଷରୁ ସସ୍ ଯୋଗାଯାଉଥିବା ଦୋକାନୀ ଓ ଫାଷ୍ଟଫୁଡ୍ ବ୍ୟବସାୟୀଙ୍କ ତାଲିକା ଆରମ୍ଭ କରିଛି। ଏହି ସଂସ୍ଥା ରାଜଧାନୀ ସମେତ ପୁରୀ, ପିପିଲି, ଖୋର୍ଦ୍ଧା, ଜଟଣୀ, ନୟାଗଡ଼, କଟକ ଆଦି ସ୍ଥାନକୁ ପେଟିପେଟି ଅପମିଶ୍ରିତ ସସ୍ ଯୋଗାଉଥିବା ଜଣାପଡ଼ିଛି। ଯେଉଁମାନେ ଏହି ସସ୍ ନେଉଥିଲେ, ଭୀମଟାଙ୍ଗିସ୍ଥିତ ଭଡ଼ା ଘରୁ ପୁଲିସ ଜବତ କରିଥିବା ରେଜିଷ୍ଟ୍ରାର, ଅନ୍ଲାଇନ୍ ଅର୍ଡରରୁ ସେମାନଙ୍କ ଲମ୍ବା ତାଲିକା କରିଛି। ଏହାଛଡ଼ା ତା’ର କେତେକ ବ୍ୟାଙ୍କ୍ ଖାତା ମଧ୍ୟ ଜବତ କରାଯାଇଛି। ଯେଉଁ ଗ୍ରାହକଙ୍କ ସହ ତା’ର ଆର୍ଥିକ କାରବାର ହୋଇଛି, ସେମାନଙ୍କୁ ଠାବ କରାଯିବ। ପୂର୍ଣ୍ଣ ତାଲିକା ପ୍ରସ୍ତୁତ ପରେ ସ୍ଥାନୀୟ ପୁଲିସ ସହ ଯୋଗାଯୋଗ କରି ସେହିସବୁ ତେଜରାତି ଦୋକାନ ଓ ଫାଷ୍ଟଫୁଡ୍ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି। ତେଣୁ ଏବେ ଫାଷ୍ଟଫୁଡ୍ ଓ ତେଜରାତି ଦୋକାନୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏମିତିକି ରାଜଧାନୀର କିଛି ଦୋକାନରେ ଚଢ଼ଉ କରାଯାଇଥିବା ଆଭାସ ମିଳିଛି। ସେହିପରି ରାଜଧାନୀର ଆଉ କେଉଁଠି କେଉଁଠି ଏଭଳି ଅପମିଶ୍ରତ କାରଖାନା ଚାଲିଛି, କେଉଁ ସବୁ ଖାଦ୍ୟରେ ଅପମିଶ୍ରଣ କରାଯାଉଛି, ତା’ର ସନ୍ଧାରେ କମିସନରେଟ୍ ପୁଲିସ ଲାଗିପଡ଼ିଛି। ଏଥିପାଇଁ ୩ଟି ଟିମ୍ ଏହା ଉପରେ କଡ଼ା ନଜର ରଖିଛନ୍ତି। ଅନ୍ୟପଟେ ପୁଲିସ ସଂସ୍ଥାକୁ ସିଲ୍ କରିବା ସହ ଗତକାଲି କାବୁ କରିଥିବା ସଂସ୍ଥାର ମ୍ୟାନେଜର ପୁରୀ ଜିଲ୍ଲା ନରେନ୍ଦ୍ରପୁର ଅଞ୍ଚଳର ରବୀନ୍ଦ୍ର ବିଶ୍ବାଳ(୫୨), ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଅଶୋକ କୁମାର ବେହେରା(୪୨) ଓ ସୁନ୍ଦରପଦା ଅଞ୍ଚଳର ଦିଲ୍ଲୀପ ସ୍ବାଇଁ(୪୪)ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଫେରାର୍ ହୋଇଯାଇଥିବା ସସ୍ କମ୍ପାନି ମାଲିକ ଈଶ୍ବର ବେହେରାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।
ବାତିଲ ହେବ ଲାଇସେନ୍ସ
୨୦୨୨ ମସିହାରେ ଈଶ୍ବର ସାହୁ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ପାଇଁ ଅନ୍ଲାଇନ୍ରେ ‘ଅମ୍ରିତ୍’ ନାଁରେ ସଂସ୍ଥାର ପଞ୍ଜୀକରଣ କରିଥିଲା। କିନ୍ତୁ ଚଢ଼ଉ ପରେ ତା’ର ଅସଲ ଚେହେରା ପଦାରେ ପଡ଼ିଛି। ଖାଦ୍ୟ ପଦାର୍ଥ ପ୍ରସ୍ତୁତରେ ଅପମିଶ୍ରଣ କରି ଲୋକଙ୍କୁ ବିଷ ଦେଉଥିଲା। କାରଣ ଚକାଚକ୍ ବୋତଲ ସାଙ୍ଗକୁ ବ୍ରାଣ୍ଡ୍ ଷ୍ଟିକର ଲଗାଇ ବଜାରରେ ଯେଉଁ ଅପମିଶ୍ରିତ ସସ୍ ବିକ୍ରି କରୁଥିଲା, ବାସ୍ତବରେ ନା ସେଥିରେ ଟମାଟୋ ନା ଲଙ୍କାର ଗନ୍ଧବାସ୍ନା ଥିଲା। ଏମିତି କି ସେଥିରେ କୌଣସି ପନିପରିବା ମଧ୍ୟ ବ୍ୟବହାର କରାଯାଉନଥିଲା। ଫେବିକଲ, ଚାଉଳ ଗୁଣ୍ଡ, ଏକ୍ସପାରି ଡେଟ୍ ରଙ୍ଗରେ ଅପମିଶ୍ରିତ ସସ୍ ପ୍ରସ୍ତୁତ କରି ଲୋକଙ୍କୁ ବିଷ ଦେଉଥିଲା। ତେଣୁ ତା’ର ଲାଇସେନ୍ସ ରଦ୍ଦ ପାଇଁ କମିନରେଟ୍ ପୁଲିସ ପକ୍ଷରୁ ସମ୍ପୃକ୍ତ ବିଭାଗକୁ ଚିଠି କରାଯାଇଛି।
ନମୁନା ସଂଗ୍ରହକଲା ଖାଦ୍ୟ ସୁରକ୍ଷା ବିଭାଗ
ଅପମିଶ୍ରିତ ସସ୍ କେତେ ହାନିକାରକ? ଏଥିରେ କେଉଁ କେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା? ଏହି ସସ୍ ଖାଇଲେ କେଉଁ ସବୁ ରୋଗ ହେବାର ଆଶଙ୍କା ରହିଛି? ଏସବୁ ଦିଗରେ ଖୋଳତାଡ଼ ଆରମ୍ଭ କରିଛି ଖାଦ୍ୟସୁରକ୍ଷା ବିଭାଗ। ଏଥିପାଇଁ ଜବତ ହୋଇଥିବା ଅପମିଶ୍ରିତ ସସ୍ର ପରୀକ୍ଷଣ ପାଇଁ ନମୁନା ସଂଗ୍ରହ କରାଯାଇଛି। ନମୂନା ସଂଗ୍ରହ କରାଇ ୪ଟି ଭିନ୍ନ ଭିନ୍ନ ଲ୍ୟାବ୍କୁ ପଠାଯାଇଛି। ଲ୍ୟାବ୍ଗୁଡ଼ିକରୁ ପରୀକ୍ଷଣ ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
୭ କର୍ମଚାରୀଙ୍କ ହାତରେ ୧୫ଲକ୍ଷ ଲୋକଙ୍କ ଭାଗ୍ୟ
ଦିନକୁ ରାଜଧାନୀରେ ଅପମିଶ୍ରିତ ଖାଦ୍ୟର ପସରା ମେଲିଚାଲିଛି। ଏମିତି କି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଅପମିଶ୍ରିତ ସସ୍ ଠାରୁ ଆରମ୍ଭ କରି ଖାଇବା ତେଲ, ଘିଅ, ମୃଦୁପାନୀୟ, ସୋଡ଼ା ସମେତ ପାଣି ବୋତଲରେ ବି ଅପମିଶ୍ରଣ କରାଯାଉଛି। ଖାଲି ଏତିକି ନୁହେଁ, ଏକ୍ସପାରି ତାରିଖ ପରେ ମଧ୍ୟ ବଜାରରେ ମିଠା, ପାଉଁରୁଟି, ଜୁସ୍ ପ୍ୟାକେଟ୍ ବିକ୍ରି କରାଯାଉଛି। ଉଦ୍ବେଗର ବିଷୟ ଏସବୁର ଯାଞ୍ଚ ପାଇଁ ଆବଶ୍ୟକ ସଂଖ୍ୟକ ଖାଦ୍ୟ ସୁରକ୍ଷା କର୍ମଚାରୀ ନାହାନ୍ତି। ଖାଦ୍ୟ ସୁରକ୍ଷା ଆଇନ-୨୦୦୬ ମୁତାବକ, ପ୍ରତି ୧ଲକ୍ଷ ଜନସଂଖ୍ୟାରେ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବା କଥା। ଭୁବନେଶ୍ବରର ଜନସଂଖ୍ୟା ୧୫ ଲକ୍ଷ ଛୁଇଁବାକୁ ବସିଲାଣି। ତେଣୁ ଅତିକମ୍ରେ ୧୫ ଜଣ ଅଧିକାରୀ ଖାଦ୍ୟ ସୁରକ୍ଷା ଯାଞ୍ଚ କରିବାକୁ ରହିବା କଥା। କିନ୍ତୁ ମାତ୍ର ୭ ଜଣ କର୍ମଚାରୀ କାମଚଳା ଅବସ୍ଥାରେ ଅଛନ୍ତି।