ସ୍ବମନ୍ଦିରକୁ ଫେରିବେ ସ୍ବପ୍ନେଶ୍ବର ଦେବଙ୍କ ଚଳନ୍ତି ବିଗ୍ରହ, ୩୫ ବର୍ଷ ବିବାଦର ଅବସାନ

ବାଲିଅନ୍ତା: ବାଳକାଟି ପ୍ରତାପଶାସନ ପଞ୍ଚାୟତ ଅଞ୍ଚଳର ଆରାଧ୍ୟ ଦେବତା ସ୍ବପ୍ନେଶ୍ବର ଦେବଙ୍କ ଚଳନ୍ତି ବିଗ୍ରହ ଚନ୍ଦ୍ରଶେଖର ଓ ମା’ ପାର୍ବତୀଙ୍କ ପିତ୍ତଳ ପ୍ରତିମୂର୍ତ୍ତି ମୂଳ ବିଜେସ୍ଥଳୀ ମନ୍ଦିରକୁ ପ୍ରବେଶ କରିବେ। ଫଳରେ ଦୀର୍ଘ ୩୫ ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ମା’ ଦୁଲ୍ଲା ଦେବୀ ମନ୍ଦିର ପରିସରରେ ପୂଜା ପାଉଥିବା‌ ପ୍ରତିମା ଦ୍ବୟ ନିର୍ଦ୍ଦିଷ୍ଟ ଭାବେ କେଉଁଦିନ ସ୍ଥାନାନ୍ତର ହେବ ସେନେଇ ଦିନଧାର୍ଯ୍ୟ ହୋଇ ନ ଥିବା ବେଳେ ସରସ୍ବତୀ ପୂଜା ପୂର୍ବରୁ ବିଜେ କରିବା ଆପାତତଃ ସ୍ଥିର ହୋଇଥିବା ସରପଞ୍ଚ ଭାଗ୍ୟଧର ନନ୍ଦୀ ଜଣାଇଛନ୍ତି।

ଏନେଇ ଆଜି ପୂର୍ବାହ୍ନରେ ଥାନପତି ସ୍ବପ୍ନେଶ୍ବର ଦେବଙ୍କ ମନ୍ଦିର ପରିସରରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦେବୋତ୍ତର ବିଭାଗ ଡିଆଇ ନୀରଜ ଛୋଟରାୟ ସଭାପତିତ୍ବ କରିଥିଲେ। ଗତ ବୈଠକ ଗୁଡ଼ିକରେ ଟ୍ରଷ୍ଟବୋର୍ଡର ନିଷ୍ପତ୍ତି କ୍ରମେ ଠାକୁରଙ୍କୁ ଶାସ୍ତ୍ରୀୟ ମତେ ମନ୍ଦିର ପ୍ରବେଶ କରାଇବାକୁ ସ୍ଥିର ହୋଇଥିଲା। ମାତ୍ର କିଛି ବ୍ୟକ୍ତି ଏହାର ବିରୋଧ କରିଥିଲେ। ଏ ସଂକ୍ରାନ୍ତରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଅଭିଯୋଗ ଦେବୋତ୍ତର ବିଭାଗର ଅଧିକାରୀମାନେ ଶୁଣିଥିଲେ। ଗତ ଡିସେମ୍ବର ୨୨ ତାରିଖରେ ସରପଞ୍ଚ ଶ୍ରୀ ନନ୍ଦୀଙ୍କ ତତ୍ତ୍ବାବଧାନରେ ୭ ଜଣିଆ ପ୍ରତିନିଧିମଣ୍ଡଳୀ ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ହୋଇଥିବା ନିଷ୍ପତ୍ତି ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଶସ୍ତ୍ରୀୟ ପୂଜାନୀତି ଅନୁସାରେ ଦେବଦେବୀଙ୍କୁ ମନ୍ଦିରରେ ପୁନଃସ୍ଥାପନ କରାଇବା ସଂପୂର୍ଣ୍ଣ ବିଧି ସମ୍ମତ ବୋଲି ସ୍ପଷ୍ଟ କରାଇଥିଲେ। ଏଥିସହିତ ଚଳିତ ମାଘମାସରେ ସରସ୍ବତୀ ପୂଜା ପୂର୍ବରୁ ସ୍ବପ୍ନେଶ୍ବର ମନ୍ଦିରରେ ବିଗ୍ରହଙ୍କୁ ପ୍ରତିଷ୍ଠା କରିବା ନେଇ ସର୍ବ ସମ୍ମତିକ୍ରମେ ଆଜିର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଗୃହୀତ ପ୍ରସ୍ତାବ ଦେବୋତ୍ତର କମିସନରଙ୍କ ସ୍ବୀକୃତି ପାଇଁ ଡିଆଇ ଶ୍ରୀ ଛୋଟରାୟଙ୍କ ଜରିଆରେ ପଠାଯାଇଥିବା ଅନ୍ୟତମ ପ୍ରମୁଖ ସଦସ୍ୟ ବେଣୁଧର ଭୋଇ କହିଛନ୍ତି।

ସୂଚନାଯୋଗ୍ୟ ୧୯୮୫ ମସିହାରେ ସ୍ବପ୍ନେଶ୍ବର ମନ୍ଦିରରୁ ଠାକୁରଙ୍କ ଅଷ୍ଟଧାତୁ ନିର୍ମିତ ପ୍ରତିମୂର୍ତ୍ତି ଚୋରି ହୋଇଯାଇଥିଲା। ପୁଲିସର ତନାଘନା ପରେ ଶିଶୁପାଳଗଡ଼ ଅଞ୍ଚଳର ଏକ ପରିତ୍ୟକ୍ତ କୂଅ ଭିତରୁ ଭଗ୍ନ ଅବସ୍ଥାରେ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା। କିନ୍ତୁ ମା’ ପାର୍ବତୀଙ୍କ ମୂର୍ତ୍ତି ଭଲ ଥିଲା। ଏହାର ୬ବର୍ଷ ପରେ ପୁଣି ୧୯୯୧ ମସିହାରେ ଫଗୁଯାତ୍ରା ବେଳେ ଦ୍ବିତୀୟ ବାର ମୂର୍ତ୍ତି ଚୋରି ହୋଇଯା ଇଥିଲା। ତା’ ପରେ ଦୋଳମେଳଣ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଥାନପତିଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା। ମୂର୍ତ୍ତି ସିନା ତିଆରି ହେଲା, କିନ୍ତୁ ସାହି ବିବାଦ ଯୋଗୁ ମନ୍ଦିର ଭିତରକୁ ଆଉ ଯାଇପାରିଲାନି। ସେବେଠାରୁ ଏକାଧିକ ସ୍ଥାନରେ ଏହି ମୂର୍ତ୍ତି ପୂଜା ପାଇ ଏବେ ଦୁଲ୍ଲା ଦେବୀ ମନ୍ଦିର ପରିସରରେ ରହୁଛନ୍ତି। ଠାକୁରଙ୍କ ପ୍ରତ୍ୟାବର୍ତ୍ତନ ନେଇ ଦେବୋତ୍ତର ବିଭାଗ କେବେ ଦିନ ସ୍ଥିର କରିବ ତାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର