ଚନ୍ଦ୍ରଶେଖରପୁର: ଚଳିତ ବର୍ଷ ଶୈଳଶ୍ରୀବିହାର ଫେଜ୍-୬ ଦୁର୍ଗାପୂଜା ୨୯ ବର୍ଷରେ ପଦାର୍ପଣ କରୁଛି। କେବଳ ବରିଷ୍ଠ ନାଗରିକ (୬୦ବର୍ଷ ବୟସରୁ ଅଧିକ)ମାନଙ୍କ ଦ୍ବାରା ଆୟୋଜିତ ହେଉଥିବାରୁ ଏହି ପୂଜା ରାଜଧାନୀର ସବୁ ପୂଜାଠାରୁ ନିଆରା। କିଛି ଯୁବକ ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ ବି ସେମାନେ ପ୍ରଚ୍ଛଦପଟ୍ଟରେ ରହି କାମ କରନ୍ତି। ତେବେ ଆକର୍ଷଣୀୟ ତୋରଣ ନିର୍ମାଣରେ ବି ଏହି ପୂଜା କେବେ ପଛରେ ପଡ଼ି ନାହିଁ। ଚଳିତ ବର୍ଷ ଏକ ଆକର୍ଷଣୀୟ ରାଜମହଲ ଢାଞ୍ଚାରେ ତୋରଣ ନିର୍ମାଣ କରାଯାଉଛି। ଏହି ତୋରଣ ନିର୍ମାଣରେ ସ୍ଥାନୀୟ କାରିଗରମାନେ ନିୟୋଜିତ ହୋଇଛନ୍ତି। ସେହିଭଳି ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ କେନ୍ଦ୍ରାପଡ଼ାରୁ କୁଶଳୀ କାରିଗର ଆସିଥିବା ବେଳେ କଟକରୁ ମେଢ଼ କାରିଗରମାନେ ଆଖି ଝଲସାଇବା ଭଳି କାରୁକାର୍ଯ୍ୟ କରୁଛନ୍ତି।
କମିଟିର କୋଷାଧ୍ୟକ୍ଷ ପି.କେ ବ୍ରହ୍ମାଙ୍କ ସୂଚନାନୁସାରେ ଏହି ପୂଜାର ବିଶେଷତ୍ବ ହେଉଛି ବିଧି ଓ ପରମ୍ପରା ଅନୁସାରେ ମା’ ଙ୍କ ପୂଜା। ଅଷ୍ଟମୀଠାରୁ ଦଶମୀ ପର୍ଯ୍ୟନ୍ତ ବିଧି ଅନୁସାରେ ପୂଜା ସମେତ ଭୋଗ ଲାଗି କରାଯିବ। ନବମୀ ଦିନ ୨ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ସ୍ୱେଚ୍ଛାସେବୀମାନେ ଦର୍ଶକମାନଙ୍କ ଭଲ ମନ୍ଦ ବୁଝିବେ। ପ୍ରତିଦିନ କେବଳ ଭଜନ ସନ୍ଧ୍ୟା ଆୟୋଜନ କରାଯିବ। ଓଡ଼ିଆ ଭଜନ ଗାୟକ ଗାୟିକାମାନଙ୍କୁ ଏଠାରେ ଶୁଣିବାକୁ ମିଳିବ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ବଡ଼ କଥା
/sambad/media/post_attachments/wp-content/uploads/2022/09/71-1-228x300.jpg)
ମା’ଙ୍କ କରୁଣା ଲାଭ କରିବାକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ମଣ୍ଡପକୁ ଧାଇଁ ଆସନ୍ତି। ତେଣୁ ସେମାନଙ୍କ ସୁରକ୍ଷା ଆମ ପାଇଁ ବଡ଼ ପ୍ରସଙ୍ଗ ପାଲଟିଥାଏ। ସେମାନଙ୍କ ପାଇଁ ଆମ ସ୍ବେଚ୍ଛାସେବୀମାନେ ସବୁପ୍ରକାର ସୁବିଧା ସହଯୋଗ ଯୋଗାଇଦେବେ। ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରିବାକୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।
-ବାବି ଦାସ, ସଭାପତି
ଜଗତକଲ୍ୟାଣ ପାଇଁ ମା’ଙ୍କୁ ପ୍ରାର୍ଥନା
/sambad/media/post_attachments/wp-content/uploads/2022/09/72-1-209x300.jpg)
ଜଗତକଲ୍ୟାଣ ପାଇଁ ଆମେ ମା’ ଦୁର୍ଗାଙ୍କ ପୂଜା କରୁଛୁ। ମା’ଦୁର୍ଗା ସମସ୍ତଙ୍କ ଦୁର୍ଗତି ନାଶ କରନ୍ତୁ ବୋଲି ଆମେ ପ୍ରାର୍ଥନା କରୁ। ତେଣୁ ଏଠାରେ ପୂଜା ବିଧି ମଧ୍ୟ ସ୍ବତନ୍ତ୍ର।
-ପ୍ରକାଶ ଚନ୍ଦ୍ର ଶତପଥୀ, ସମ୍ପାଦକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/68-1.jpg)