ଚାନ୍ଦି ମେଢ଼ରେ ଝଟକିବେ ମା’

ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି

ଭୁବନେଶ୍ବର: ଚଳିତ ବର୍ଷ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ଧୁମ୍‌ଧାମରେ ପୂଜା କରାଯିବ। ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୬୭ବର୍ଷରେ ପଦାର୍ପଣ କରିବ। ତୋରଣକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ମଣ୍ଡପରେ ବାରଣାସୀ ଗଙ୍ଗାଘାଟର ଅବିକଳ ନକଲର ତୋରଣ ଦେଖିବାକୁ ମିଳିବ। ଯେଉଁଠାରେ ଗଙ୍ଗାନଦୀକୂଳର ଘାଟ, ଡଙ୍ଗା, କୋଠାବାଡ଼ି, ମଠ, ମନ୍ଦିର, ଧ୍ୟାନରତ ସାଧୁସନ୍ଥଙ୍କ ନକଲ ସତ ଭଳି ପ୍ରତୀୟମାନ ହେବ।

ଏହି ତୋରଣର ଦୈର୍ଘ୍ୟ ୧୨୦ଫୁଟ ଓ ଉଚ୍ଚଚା ୪୦ଫୁଟ ରହିଛି। ସବୁଠାରୁ ବଡ଼କଥା ହେଲା ଏହି ତୋରଣକୁ ଓଡ଼ିଆ କାରିଗରମାନେ ତିଆରି କରୁଛନ୍ତି। ଯାହାକି ଏବର୍ଷର ମୁଖ୍ୟ ଆକର୍ଷଣ ହେବ ବୋଲି ସମିତି ପକ୍ଷରୁ ହୋଟେଲ ଡିୟୁରିନ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। କେବଳ ସେତିକି ନୁହେଁ, ମଣ୍ଡପ ଭିତରେ ମା’ଙ୍କର ବିଭିନ୍ନ ଅବତାର ପ୍ରତିମୂର୍ତ୍ତି, ଛୋଟପିଲାଙ୍କ ପାଇଁ ବିକ୍ରମ ବେତାଳର କାହାଣୀ ଓ ପୂଜା ମଣ୍ଡପର ଆଭ୍ୟନ୍ତରୀଣ ସାଜସଜ୍ଜା ଶ୍ରଦ୍ଧାଳୁଙ୍କୁ ବିଶେଷ ଆକୃଷ୍ଟ କରିବ ବୋଲି ସମିତି ପକ୍ଷରୁ କୁହାଯାଇଛି।

ସବୁବର୍ଷ ପରି ଏବର୍ଷ ମଧ୍ୟ ମା’ ଚାନ୍ଦିମେଢ଼ରେ ଝଟକିବେ। ଏସମସ୍ତ ବ୍ୟବସ୍ଥା ପାଇଁ ୪୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ସପ୍ତମୀ ତିଥିଠାରୁ ଅଷ୍ଟମୀ ତିଥି ଯାଏ ମା’ଙ୍କ ନିକଟରେ ଚରୁ ଅନ୍ନ ଭୋଗ କରାଯିବ। ଦଶମୀରେ ଦହିପଖାଳ ଲାଗିହେବ। ଯାହାକି ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ। ଷଷ୍ଠୀ ତିଥି ଠାରୁ ଦଶମୀ ଯାଏ କଟକ ଓ ଭୁବନେଶ୍ବର ବିଭିନ୍ନ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାସହ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନକୁ ଏଥର ଅଧିକ ଗୁରୁତ୍ବ ଦିଆଯାଇଛି।

ବରିଷ୍ଠ ଲୋକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ମହିଳା ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁ କିଭଳି ସୁରକ୍ଷିତ ପୂଜାର୍ଚ୍ଚନା କରିବେ ସେ ନେଇ ମହିଳା ସ୍ବେଚ୍ଛାସେବୀ ଓ ପୁରୁଷ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଏଥି ପାଇଁ ୨୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି କୁହାଯାଇଛି। ସୁରକ୍ଷା ଓ ଭିଡ଼କୁ ଆଖିରେ ରଖି ୫୦ରୁ ଅଧିକ ସିସି କ୍ୟାମେରା ଲଗାଯିବ। ଯାହାକୁ କମିସନରେଟ୍ ପୁଲିସର କ୍ୟାମେରା ସହ ଅନ୍‌ଲାଇଇନ୍‌ରେ ସଂଯୋଗ ପାଇଁ ଯୋଜନା ରଖାଯାଇଛି ବୋଲି ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସମିତି ସଭାପତି ଗଣେଶ ପ୍ରସାଦ ସାହୁ, ସଂପାଦକ ଦୀପକ କୁମାର ଜେନା, ଉପସଭାପତି ବିଜୟ ଗୁପ୍ତା, କର୍ପୋରେଟର ଅମେରଶ ଜେନା, କଳା ନିର୍ଦ୍ଦେଶକ ସୁବାସ ବେହେରା, ଦେବେନ୍ଦ୍ର ଭୋଳ, ଧୀରେନ୍ଦ୍ର କୁମାର ବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର