ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଧରାବତରଣ କରିବେ ଐଶ୍ବର୍ଯ୍ୟର ଦେବୀ ଧନଲକ୍ଷ୍ମୀ। ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଭଳି ସହର ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ରାଜଧାନୀରେ ମା’ଙ୍କୁ ସ୍ବାଗତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ପୂଜା ପ୍ରସ୍ତୁତି ଚାଲିଛି। ରାଜଧାନୀବାସୀଙ୍କୁ ପୂଜାରେ ଟିକେ ଭିନ୍ନ ମହକ ଦେବାକୁ  ବିଭିନ୍ନ ଅନୁଷ୍ଠାନ, କ୍ଲବ୍‌ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସପ୍ତାହବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ପ୍ରମୁଖ ଅନୁଷ୍ଠାନଗୁଡ଼ିକରେ ଏଥର ସୁନ୍ଦର ତୋରଣ କରାଯାଇଛି। ଆଲୋକୀକରଣ ମୁଖ୍ୟ ଆକର୍ଷଣ ସାଜିଛି। କେତେକ ମଣ୍ଡପରେ ମୀନାବଜାର ପଡ଼ିଛି। 

Advertisment

ଶୋଭା ବଢ଼ାଇବ ପଟ୍ଟଚିତ୍ର 
ୟୁନିଟ୍‌ ୪ରେ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ‘ଜୟ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ଆୟୋଜିତ  ପୂଜା ଚଳିତ ବର୍ଷ ୩୨ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ପୂଜାରେ ମା’ଙ୍କ ଶାଢ଼ୀ ସମେତ ଚତୁଃପାର୍ଶ୍ୱରେ ଆକର୍ଷଣୀୟ ପଟ୍ଟଚିତ୍ର ଶୋଭାପାଇବ। ବି କେ ଆର୍ଟ କଲେଜର ଛାତ୍ରଛାତ୍ରୀମାନେ ଏହା ପ୍ରସ୍ତୁତ କରିବେ। ସେହିପରି ତୋରଣରେ ବାଉଁଶ ଝୁଡ଼ିରେ ସୁସଜ୍ଜିତ କରାଯିବ। ମେଢ଼ର ଉଚ୍ଚତା ୭.୫ ଫୁଟ ରହିଛି। ଆସନ୍ତା ୭ ତାରିଖରୁ ୧୪ ତାରିଖ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।  ପ୍ରତ୍ୟେକ ଦିନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଦିବସ ଯେପରିକି ଗଣମାଧ୍ୟମ, ଉଦ୍ୟୋଗୀ, ସ୍ୱାସ୍ଥ୍ୟ, ନେତୃତ୍ୱ, ମହିଳା, କଳାକାର, ସୈନ୍ୟବାହିନୀ, ସମାଜସେବା ଦିବସ ପାଳନ କରାଯାଇ ସେହି କ୍ଷେତ୍ରରେ ପ୍ରତିଷ୍ଠିତ ଲୋକଙ୍କୁ ପୁରସ୍କୃତ କରାଯିବ। ସେହିପରି ଓଡ଼ିଶୀ, ଗୋଟିପୁଅ, ଛୋଟପିଲାଙ୍କ ନୃତ୍ୟ ପରିବେଷଣ କରାଯିବ। ଅଭିନେତା ଶଙ୍କରଙ୍କ ଦଳ ‘ପେଟେଣ୍ଟ ମେଡିସିନ’ ପରିବେଷଣ କରିବେ। ଏଥିସହିତ ରକ୍ତଦାନ ଶିବର ଓ ସଙ୍ଗୀତ ସନ୍ଧ୍ୟା ମଧ୍ୟ ଅନୁଷ୍ଠିତ ହେବ ବୋଲି ଯୁଗ୍ମ ସମ୍ପାଦକ ଦେବାଶିଷ ପାଢ଼ୀ,  ମୁଖ୍ୟ ଉପଦେଷ୍ଟା ରୁଦ୍ର ସାମନ୍ତରାୟ, ସମ୍ପାଦକ ଅଜୟ କୁମାର ମହାପାତ୍ର, କାର୍ଯ୍ୟକାରୀ ଯୁଗ୍ମ ସମ୍ପାଦକ ଶୋଭନ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି। 

ମା’ଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ
ୟୁନିଟ୍‌ ୯ରେ ଫ୍ରେଣ୍ଡ୍‌ସ କ୍ଲବ୍‌ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୪୫ ବର୍ଷରେ ପହଞ୍ଚିଛି। ଏଥର ମନ୍ଦିର ସଦୃଶ ୭୦ ଫୁଟ ତୋରଣରେ ମା’ ପୂଜା ପାଇବେ। ମା’ଙ୍କ ମୂର୍ତ୍ତିରେ ରୁପାର ପାଦ, ଅଣ୍ଟାପଟି, ମୁକୁଟ, ହାର ସମେତ ସୁନା କାନଫୁଲ ଆଦି ଶୋଭା ପାଇବ। ମା’ଙ୍କୁ ସୁନା ଥାଳିରେ ଭୋଗ ପରସାଯିବ। ମା’ଙ୍କ ନିକଟରେ ମହାପ୍ରସାଦ ସମେତ ପୋଡ଼ପିଠା, ଆରିସା, ଖେଚୁଡ଼ି, ଚୂଡ଼ାଘଷା ଆଦି ଭୋଗ ହେବ। ଭକ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ ଉତ୍ସବରେ ସ୍ୱୟଂ ପାଢ଼ୀଙ୍କ ଭଳି କଳାକାରଙ୍କ ସମେତ ଗୀତ ମହ୍ଲାର ବ୍ୟାଣ୍ଡ ପରିବେଷଣ କରିବେ। ଛୋଟ ପିଲାଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଶେଷରେ ନଗର ପରିକ୍ରମା କରି ମା’ଙ୍କୁ ମେଲାଣି ଦିଆଯିବ ବୋଲି ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ରଥ, ସମ୍ପାଦକ ମାରୁତି ଆଚାର୍ଯ୍ୟ ସୂଚନା ଦେଇଛନ୍ତି। 

ତୋରଣ କହିବ ପୁରୁଣା ଯୁଗର ଡାକ କଥା
ବାପୁଜୀନଗରରେ ବାପୁଜୀ ୟୁଥ୍‌ ଆସୋସିଏସନ୍‌ ଦ୍ୱାରା ଆୟୋଜିତ ପୂଜା ରାଜଧାନୀର ସବୁଠୁ ପୁରୁଣା ଗଜଲକ୍ଷ୍ମୀ ପୂଜା ଭାବେ ପରିଚିତ। ଏଠାକାର ପୂଜା ମଣ୍ଡପର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ରାଜଧାନୀବାସୀଙ୍କୁ ଆକର୍ଷିତ କରେ। ଚଳିତ ବର୍ଷ ଏହି ପୂଜା କମିଟି ୬୦ ବର୍ଷରେ ପଦାର୍ପଣ କରିଛି। ଏଥର କମିଟି ପକ୍ଷରୁ ପୁରୁଣା କାଳର ଡାକବ୍ୟବସ୍ଥା ବର୍ଣ୍ଣନା କରୁଥିବା ତୋରଣ ପ୍ରସ୍ତୁତ କରାଯାଇଛି। ଏଥିରେ ପାରା ଠାରୁ ଆରମ୍ଭ କରି ଲଫାପା, ପୋଷ୍ଟ ବକ୍ସ, ବିଭିନ୍ନ ପ୍ରକାର ଚିଠି ଆଦି ରହିଛି। ମା’ଙ୍କ ମେଢ଼ର ଉଚ୍ଚତା ୧୦ ଫୁଟ ରହିଛି। ୬ ଦିନ ଧରି ପୂଜା ଚାଲିବ। ମା’ଙ୍କୁ ସୁନା ଓ ରୁପା ଅଳଙ୍କାର ପିନ୍ଧାଯିବ।  ମନସ୍କାମନା ପୂରଣ ପାଇଁ ମା’ଙ୍କ ଐଶ୍ବର୍ଯ୍ୟ କଳସ ପୂଜା ଓ ବିସର୍ଜନରେ ମହିଳାମାନଙ୍କ ସିନ୍ଦୂର ଖେଳ ଏଠାକାର ପୂଜାର ମୁଖ୍ୟ ଆକର୍ଷଣ ସାଜିବ। ପ୍ରତିଦିନ ମଧ୍ୟାହ୍ନ ଭୋଗ ସହିତ ୧୪ ତାରିଖରେ ୬୦୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ପରିବେଷଣ ସହିତ ବା‌ପୁଜୀନଗର ଲେଡିଜ୍‌ କ୍ଲବ୍‌ ପକ୍ଷରୁ ନାଟକ ପରିବେଷଣ କରାଯିବ। ପୂଜାରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଦୃଷ୍ଟି ଦିଆଯାଇଛି ବୋଲି ସଭାପତି ଆଶିଷ ପଟ୍ଟନାୟକ, ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି।

୧୭ ବର୍ଷରେ ହମ୍‌ତୁମ୍ ପୂଜା କମିଟି  
ଭୁବନେଶ୍ୱର: ସିଆର୍‌ପି ଛକସ୍ଥିତ ହମତୁମ୍ ପୂଜା କମିଟି ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୧୭ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ପୁରୁଣା ଯୁଗର ରାଜପ୍ରସାଦ ତୋରଣରେ ମା’କୁ ଆରଧନା କରାଯିବ। ରାଜପ୍ରସାଦରେ ଥିବା ସ୍ତମ୍ଭ ଓ ଅନ୍ୟାନ୍ୟ ଉପକରଣକୁ ସୋଲ ଓ କପଡ଼ାରେ ପ୍ରସ୍ତୁତ କରାଯିବ। ମା’ଙ୍କ ମେଢ଼ର ଉଚ୍ଚତା ଏଠାରେ ୧୦ ଫୁଟ ରହିଛି। ଉଭୟ ସୁନା ଓ ରୂପା ଅଳଙ୍କାରରେ ମା’ଙ୍କୁ ସୁସଜ୍ଜିତ କରାଯିବ। ପୂଜାର ପ୍ରମୁଖ ଆକର୍ଷଣ ସାଜିବ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ଐଶ୍ୱରୀୟ କଳସ ପୂଜା ଓ ସିନ୍ଦୂର ଖେଳ। ଭକ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ସାତଦିନିଆ ପୂଜାରେ ଭଜନ ପରିବେଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ବୋଲି ସଭାପତି ବିନୟ କୁମାର ଆଚାର୍ଯ୍ୟ ଓ ଉପସଭାପତି ଜିତେନ୍ଦ୍ର ରାଉତରାୟ କହିଛନ୍ତି।