ଚିକିତ୍ସା ହେବାକୁ ଯାଇ ପଜିଟିଭ୍, ଘରୋଇ ହସ୍ପିଟାଲରେ ବଢ଼ି ଚାଲିଛି ସଂକ୍ରମଣ

ଦିନକରେ ୨୯ ପଜିଟିଭ୍ ଚିହ୍ନଟ, ସଂଖ୍ୟା ୪୭୯ରେ ପହଞ୍ଚିଲା

ଭୁବନେଶ୍ବର: ରାଜଧାନୀରେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ସତର୍କ ଘଣ୍ଟି। ରାଜଧାନୀରେ ବହୁ ଘରୋଇ ହସ୍ପିଟାଲରେ ରୋଗୀ କରୋନା ସଂକ୍ରମିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏସ୍‌ଓପିକୁ ଘରୋଇ ହସ୍ପିଟାଲଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃ‌ଷ୍ଟି ହୋଇଛି। ଏପରିକି ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଘରୋଇ ହସ୍ପିଟାଲ ନୁହେଁ, ଗୋଟିଏ ପ‌ରେ ଗୋଟିଏ ବସ୍ତିକୁ ମାଡ଼ି ଚାଲିଛି କରୋନା। ରାଜଧାନୀର ୧୫ରୁ ଅଧିକ ବସ୍ତିରେ ଏବେ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଯଦିଓ ବିଏମ୍‌ସି ପକ୍ଷରୁ ୫ଟି ହଟସ୍ପଟ୍‌ ଜିଲ୍ଲାରୁ ବସ୍ତିରେ ପ୍ରବେଶକୁ ବାରଣ କରାଯାଇଛି ଏହାସତ୍ବେ ମଧ୍ୟ ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ଥମୁନାହିଁ।

ଗତ ୨୪ଘଣ୍ଟାରେ ରାଜଧାନୀରେ ୨୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସମାନ ସଂଖ୍ୟକ ରୋଗୀ ସଙ୍ଗରୋଧ ଓ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଜଣେ କୋଭିଡ୍‌ ଯୋଦ୍ଧା ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସଙ୍ଗରୋଧରେ ଲକ୍ଷ୍ମୀସାଗର ଅଞ୍ଚଳର ୪ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି। ପାଣ୍ଡରା, ବ୍ରହ୍ମେଶ୍ବର ପାଟଣା, ରସୁଲଗଡ଼ ଜିଜିପି କଲୋନି, ନୂଆପଲ୍ଲୀ ଏନ୍‌-୩, ୟୁନିଟ୍‌-୪ ରାମପୁର ବସ୍ତି ଓ ମଞ୍ଚେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଥିବା ରୋଗୀମାନେ ମଧ୍ୟ ଅନ୍ୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଛନ୍ତି। ଦିଲ୍ଲୀ ଯାତ୍ରା କରିଥିବା ଘରୋଇ ହସ୍ପିଟାଲର କର୍ମଚାରୀ ଓ ଅନ୍ୟ ଜିଲ୍ଲାର ଜଣେ ୩୩ ବର୍ଷର ଦିଲ୍ଲୀ ଫେରନ୍ତା ଯୁବତୀ ପଜିଟିଭ୍ ହୋଇଛନ୍ତି।

ସେହିପରି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଘରୋଇ ହସ୍ପିଟାଲର ୨ଜଣ ମହିଳା ଆଟେଣ୍ଡାଣ୍ଟ ପଜିଟିଭ୍ ଥିବା ବେଳେ ଅନ୍ୟ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ସ୍ଥାନୀୟ ସଂକ୍ରମିତ ତାଲିକାରେ ଅଛନ୍ତି। ଏହାବାଦ୍ ସୁବାସ ନଗର ବସ୍ତି, ଖଣ୍ଡଗିରିବାରି, ଜିଏ କଲୋନି, ୟୁନିଟ-୪ କେଶରୀନଗର ବସ୍ତି, ବରମୁଣ୍ଡା ଟେଲ୍‌କୋ କଲୋନିରୁ ଜଣେ ଲେଖାଏ ସଂକ୍ରମିତ ହୋଇଛନ୍ତି। ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୯ରେ ପହଞ୍ଚିଛି। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୯୫କୁ ବୃଦ୍ଧି ପାଇଛି। ଏହାସହ ରାଜଧାନୀରେ ଏ ପର୍ଯ୍ୟନ୍ତ ୨୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆର୍‌ଟିଓରେ ପଶିଲା କରୋନା
କନିଷ୍ଠ ଏମ୍‌ଭିଆଇ, ଅତିରିକ୍ତ ଆର୍‌ଟିଓ ସଂକ୍ରମିତ
୨୧ ତାରିଖ ପର୍ଯ୍ୟନ୍ତ ଆର୍‌ଟିଓ-୧ ସିଲ୍‌

ଭୁବନେଶ୍ବର: ରାଜଧାନୀର ସରକାରୀ କାର୍ଯ୍ୟାଳୟରେ ଧୀରେ ଧୀରେ କରୋନା ସଂକଟ ବଢ଼ିବାରେ ଲାଗିଛି। ପୂର୍ବରୁ ବିଡିଏ ଓ ବିଏମ୍‌ସିରେ କାର୍ଯ୍ୟରତ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ରାଜଧାନୀର ଆର୍‌ଟିଓ-୧ର ୪ଜଣ କୋଭିଡ୍‌ ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ କନିଷ୍ଠ ଏମ୍‌ଭିଆଇ, ଅତିରିକ୍ତ ଆର୍‌ଟିଓ(ଏନ୍‌ଫୋର୍ସମେଣ୍ଟ), ଜଣେ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏହି କର୍ମଚାରୀମାନଙ୍କୁ ଖୋର୍ଧାରୋଡ୍‌ସ୍ଥିତ ଶ୍ରମିକ ଟ୍ରେନ୍‌ରେ ପ୍ରବାସୀମାନଙ୍କୁ ସହାୟତା କରିବା ଦାୟିତ୍ବ ଦିଆଯାଇଥିଲା। ଏହାକୁ ନେଇ ଆର୍‌ଟିଓ କର୍ମଚାରୀଙ୍କ ମଧ୍ୟରେ ଶଙ୍କା ପଶିଛି।

ଏହି ୩ଜଣ କର୍ମଚାରୀ ପୂର୍ବରୁ ସଙ୍ଗରୋଧରେ ରହିଥିବା କୁହାଯାଇଛି। ସେମାନଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ଗତ ୩ଦିନ ତଳେ ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଜି ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ସଂପୃକ୍ତ କର୍ମଚାରୀମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। କରୋନା ସଂକ୍ରମଣକୁ ନଜରରେ ରଖି ଆଜି ଆରଟିଓ-୧କୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି।

ଆଇସିଆଇସିଆଇ ବ୍ୟାଙ୍କ୍‌ର ୨ ଶାଖାରୁ ୧୫ ପଜିଟିଭ୍
ଭୁବନେଶ୍ବର: ରାଜଧାନୀର ଆଇସିଆଇସିଆଇ ବ୍ୟାଙ୍କ୍‌ର ୨ଟି ଶାଖାରୁ ୧୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ରୋଡ ଶାଖା ଓ ଶ୍ରୀୟା ଟକିଜ୍‌ରେ ଥିବା ସେଲ୍‌ସ ଶାଖାରୁ ୧୫ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛି। ସେଲ୍‌ସ ଶାଖାରୁ ବ୍ୟାଙ୍କର ଦୁଇ ଉଚ୍ଚପଦସ୍ଥ ଫିଲ୍‌ଡ ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀ ୩ଦିନ ତଳେ ଚିହ୍ନଟ ହୋଇଥିବା ବେଳେ ଗତକାଲି ଆଉ ଜଣେ ଚିହ୍ନଟ ହୋଇଛନ୍ତି। ଦୁଇ ଶାଖାରୁ ବହୁ ସଂଖ୍ୟାରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ବ୍ୟାଙ୍କକୁ ସିଲ୍ କରି ଦିଆଯାଇଛି। ତେବେ ସେଲ୍‌ସ ଗୋଟିଏ ପାର୍ଶ୍ବ(ପ୍ରିଭିଲେଜ୍‌ଡ ସାଇଟ୍‌)କୁ ସିଲ୍ କରି ଦିଆଯାଇଛି। ଶ୍ରୀୟା ଟକିଜ୍‌ରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ତେବେ ବ୍ୟାଙ୍କର ଅନ୍ୟ ପାର୍ଶ୍ବରେ ପୂର୍ବଭଳି ବ୍ୟାଙ୍କ କାର୍ଯ୍ୟ ଜାରି ରହିଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। କେଉଁ ପରିସ୍ଥିତିର ବ୍ୟାଙ୍କର ଦୁଇ କର୍ମଚାରୀ ସଂକ୍ରମିତ ହେଲେ ତାହା କର୍ମଚାରୀ ମହଲରେ ଆଲୋଚନା ହେଉଛି। ସଂପୃକ୍ତ କମର୍ଚାରୀ ଫିଲ୍‌ଡ ଅଧିକାରୀ ହୋଇଥିବାରୁ ରାଜ୍ୟ ଭିତରେ ଓ ବାହାରକୁ ଯାଇ ପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି।

‘ଗତି’ ଗୋଡାଉନ୍‌ ସିଲ୍‌
ଭୁବନେଶ୍ବର: ବିଏମ୍‌ସିରେ ଅଧୀନ ଆସୁଥିବା ନଖରା ଅଞ୍ଚଳରେ ଥିବା‌ ‘ଗତି’ ଗୋଡାଉନ୍‌କୁ ଆଜି ସିଲ୍‌ କରି ଦିଆଯାଇଛି। ସେଠାକାର କାର୍ଯ୍ୟାଳୟରୁ ଆଜି ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା ଲାଗି ସଂସ୍ଥାର କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବା ଲାଗି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଟେକ୍‌ ମହିନ୍ଦ୍ରାକୁ ସିଲ୍‌ କଲା ବିଏମ୍‌ସି
ଭୁବନେଶ୍ବର: ମୈତ୍ରୀବିହାରସ୍ଥିତ ସଫ୍‌ଟୱେୟାର କମ୍ପାନି ଟେକ୍‌ ମହିନ୍ଦ୍ରାକୁ ଆଜି ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଗତ ତିନି ଦିନ ମଧ୍ୟରେ ଏହି କମ୍ପାନିର ୭ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପ୍ରତିଷେଧମୂଳକ ପଦକ୍ଷେପ ଭାବେ କମ୍ପାନିକୁ ସିଲ୍‌ କରାଯାଇଛି। ବିଏମ୍‌ସି ଉତ୍ତର ଜୋନ୍ ‌ଡେପୁଟି କମିସନର ଆଜି ପୂର୍ବାହ୍ନରେ ଏହି କମ୍ପାନି ସମେତ ପୂରା କୋଠାକୁ ୨୦ତାରିଖ ଯାଏ ସିଲ୍‌ କରିଛନ୍ତି। କମ୍ପାନିର ୬୭ଜଣ କର୍ମଚାରୀ ଙ୍କର ସ୍ବାବ୍ ଟେଷ୍ଟ ହେବ ବୋଲି ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାସହ ଅନ୍ୟ କର୍ମଚାରୀଙ୍କୁ ଘରେ ସଙ୍ଗରୋଧ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର