ଚାଲୁଛି ନୋ ସେଭ୍ ନଭେମ୍ବର: ମୋଦୀ ଓ କୋହଲିଙ୍କ ଦାଢ଼ି ପ୍ରେମରେ ଯୁବପିଢ଼ି

ଭୁବନେଶ୍ବର: ଏବେ ଚାଲିଛି ‘ନୋ ସେଭ୍ ନଭେମ୍ବର’। କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ଏହି ପ୍ରଥାଟି କିଛି ବର୍ଷ ହେଲା ପାଳିତ ହୋ‌ଇଆସୁଛି। ଏହି ଲକ୍ଷ୍ୟରେ ବହୁ ବ୍ୟକ୍ତି ଉଭୟ ଚୁଟି ଓ ଦାଢ଼ିକୁ ମାସେ ପର୍ଯ୍ୟନ୍ତ ବଢ଼ିବାକୁ ଛାଡ଼ି ଦିଅନ୍ତି। ନଭେମ୍ବର ମାସର ଚୁଟି ଓ ଦାଢ଼ି କଟା ବାବଦ ବ୍ୟୟକୁ ସଞ୍ଚୟ କରି କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ କାମ କରୁଥିବା ବିଭିନ୍ନ ଦାତବ୍ୟ ଅନୁଷ୍ଠାନକୁ ଦାନ କରନ୍ତି। ସାରା ବିଶ୍ବରେ ଏହି ‘ନୋ ସେଭ୍ ନଭେମ୍ବର’ ଚାଲିଥିବା ବେଳେ ଭାରତରେ ଏହାକୁ ଏକ ଫେସନ୍‌ଭାବେ ବିବେଚନା କରାଯାଉଛି। ଅବଶ୍ୟ କିଛି ଲୋକ ନୋ ସେଭ୍ ନ‌ଭେମ୍ବରର ପ୍ରକୃତ ଉଦ୍ଦେଶ୍ୟ ବୁଝି ଚୁଟି ଦାଢ଼ି ରଖୁଥିବାବେଳେ ଅନେକ ଏହାର ଅର୍ଥ ନବୁଝି ଫେସନ୍‌ଭାବେ ଦାଢ଼ି ଚୁଟି ବଢ଼ାଉଛନ୍ତି।

ଏକ କର୍ପୋରେଟ୍‌ ସଂସ୍ଥାରେ କାମ କରୁଥିବା ବିସ୍ମୟ ପ୍ରଧାନଙ୍କ କହିବା କଥା କର୍କଟ ରୋଗୀଙ୍କ ସହାୟତା ପାଇଁ ‘ନୋ ସେଭ୍ ନଭେମ୍ବର୍’ ପ୍ରଥା ବାବଦରେ ତାଙ୍କୁ ଅଫିସରେ କୁହାଯିବା ପରେ ସେ ଦାଢ଼ି ବଢ଼ାଇଛନ୍ତି। ସେହିଭଳି ଅନ୍ୟ ସହକର୍ମୀମାନେ ମଧ୍ୟ ଦାଢ଼ି ବଢ଼ାଇଛନ୍ତି। ତେବେ ତାଙ୍କୁ ଦେଖିବା ପରେ ଅଧିକ ସଂଖ୍ୟାରେ ଅନ୍ୟ ସହକର୍ମୀମାନେ ଦାଢ଼ି ରଖିଲେ ବୋଲି ସେ କହିଛନ୍ତି। ତାଙ୍କ ଘଞ୍ଚ ଦାଢ଼ିକୁ ନେଇ ଅଫିସରେ ସେ ବେଶ୍ ଚର୍ଚ୍ଚିତ ହେବା ପରେ ଅନେକ ତାଙ୍କୁ ଅନୁସରଣ କରିଥିଲେ। ତେଣୁ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ‘ବେଷ୍ଟ ବିୟର୍ଡୋ’ ପୁରସ୍କାର ମିଳିଥିଲା। ସେ କହିଛନ୍ତି ଯେ ଏବେ ନୋ ସେଭ୍‌ ନଭେମ୍ବର ପାଇଁ ଏହି ଷ୍ଟାଇଲ୍‌ କରାଇଛି। ଆଗକୁ କିଛି ନୂଆ କଟ୍ ଆସିଲେ ସେ ଷ୍ଟାଇଲ୍‌ରେ ପରିବର୍ତ୍ତନ କରାଇବେ ବୋଲି କହିଛନ୍ତି।

ଦାଢ଼ି ନିଶ ରଖିବା ଟ୍ରେଣ୍ଡ୍ ଭାରତରେ ବହୁ ଆଗରୁ ଥିଲା। ତେବେ କରୋନାକାଳୀନ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ସମୟରେ ଏହି ଟ୍ରେଣ୍ଡ ବଢ଼ିଥିଲା। ଠିକ୍‌ ଏତିକିବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାଢ଼ି ବଢ଼ାଇ ଏକ ନୂଆ ରୂପରେ ଦେଖାଦେଲେ। ସେହିଭଳି କ୍ରିକେଟର୍‌ କୋହଲି ମଧ୍ୟ ଦାଢ଼ି ବଢ଼ାଇ ନୂଆ ରୂପରେ ଦେଖିବାକୁ ମିଳିଲେ। ଆଇପିଏଲ୍‌ ସମୟରେ କେନ୍ ​ଵିଲିୟମସନ୍, ରବୀନ୍ଦ୍ର ଜାଡ଼େଜା, ମୁରଲୀ ବିଜୟ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଲୋକେଶ ରାହୁଲ୍ ପ୍ରମୁଖ ମଧ୍ୟ ଦାଢ଼ି ବଢ଼ାଇବା ଦେଖିବାକୁ ମିଳିଲା। ତେଣୁ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ କୋହଲିଙ୍କ ଫୁଲ୍‌ ବିୟର୍ଡ ଲୁକ୍‌ ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଆଦୃତ ହେଲା ଓ କ୍ରମେ ଏହା ଏକ ଫେସନ୍‌ରେ ପରିଣତ ହୋଇଗଲା। ବର୍ତ୍ତମାନ ଯୁବବର୍ଗ ଏମିତି ଦାଢ଼ି ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି। ଫୁଲ୍ ବିୟର୍ଡ ଟ୍ରେଣ୍ଡ ସହ ପୂର୍ବଭଳି ଫ୍ରେଞ୍ଚ କଟ୍‌ ମଧ୍ୟ ରହିଛି। ଦାଢ଼ି ଟ୍ରେଣ୍ଡକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବାରୁ ଏବେ ସେଲୁନ୍‌ବାଲା ଉକ୍ତ ନୂଆ କଟ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି।

ସମ୍ବନ୍ଧିତ ଖବର