ସାହାଯ୍ୟ କରିବାକୁ ଯାଇ ‘ନ୍ୟୁଡ୍ କଲ୍ ସ୍କାମ୍’ର ଶିକାର ହେଲେ ଯୁବନେତା

ଟାର୍ଗେଟ୍‌ରେ ପ୍ରତିଷ୍ଠିତ ଲୋକ ଓ ନେତା

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଯୁବନେତା ଜଣେ ଯୁବତୀଙ୍କୁ ସାହାଯ୍ୟ କରିବାକୁ ଯାଇ ‘ନ୍ୟୁଡ୍ କଲ୍ ସ୍କାମ୍‌’ର ଶିକାର ହୋଇଛନ୍ତି। ଟଙ୍କା ନ ଦେଲେ ସାଇବର ଠକ ପାଖରେ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ସହ ଛବି ମଳିନ କରିବାକୁ ତାଙ୍କ ଦଳୀୟ ନେତାଙ୍କୁ ସେହି ଭିଡିଓ ପଠାଇବେ ବୋଲି ଧମକ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଯେ କୌଣସି ନମ୍ବରକୁ ଫୋନ୍ କରି ନ୍ୟୁଡ୍ କଲ୍ ସ୍କାମ୍ ବା ବୈଷୟିକ ଭାଷାରେ ‘ସେକ୍ସଟ୍ରୋକ୍ସନ୍’ର ଜାଲ ବିଛାଉଥିବା ସାଇବର ଠକ ଏଥର ସମାଜସେବୀ, ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଛବି ମଳିନ ହେବାରୁ ରକ୍ଷା କରିବାକୁ ଯାଇ ସେମାନେ ବାଧ୍ୟ ହୋଇ ଯେପରି ସହଜରେ ସାଇବର ଠକକୁ ଟଙ୍କା ଦେବେ ସେନେଇ ଏହି ନୂଆ ଚାଲ୍ ଚଳାଇଛି ସାଇବର ଠକ।

ଏଭଳି ନ୍ୟୁଡ୍ କଲ୍ ସ୍କାମ୍‌ର ଶିକାର ହୋଇଥିବା ଯୁବ ନେତା ହେଉଛନ୍ତି ଜଣେ ଜାତୀୟ ଦଳର ସଦସ୍ୟ ତଥା ଭୁବନେଶ୍ବର ଯୁବ ସଂଗଠକ। ଗତ ୨୪ ତାରିଖରେ ତାଙ୍କୁ ଏକ ଅଜଣା ନମ୍ବରରୁ ଜଣେ ଯୁବତୀ ଫୋନ୍ କରିଥିଲେ। ଫୋନ୍ ଉଠାଇବା ପର ଯୁବତୀ ତାଙ୍କୁ ରାଜସ୍ଥାନ କୋଟା ଅଞ୍ଚଳର ବୋଲି କହିବା ସହ କରୋନା ଯୋଗୁଁ ସେ ବର୍ତ୍ତମାନ ଘରୁ ବାହାରିପାରୁନଥିବା କହିଥିଲେ। ଏହା ପରେ ତାଙ୍କ ପାଇଁ କିଛି ଖାଦ୍ୟ ଓ ରାସନ୍ ସାମଗ୍ରୀ ଯୋଗାଡ଼ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ଏହି ଯୁବନେତା ସେ ନିର୍ଦ୍ଦିଷ୍ଟ କେଉଁ ଜାଗାର ଏବଂ କେତେ ଜଣ ପିଲା ଏହି ଭଳି ଅସୁବିଧାର ଶିକାର ହୋଇଛନ୍ତି ପଚାରିବା ସହ ତାଙ୍କୁ ଭିଡିଓ କଲ୍‌ରେ ସତ୍ୟାସତ୍ୟ ଦେଖାଇବା ପାଇଁ କହିଥିଲେ। ଏହା ପରେ ଯୁବତୀ ଜଣକ ତାଙ୍କୁ ସମସ୍ୟା ବିଷୟରେ କହିବା ସହ ଯୁବନେତାଙ୍କର ମୁହଁର ରେକର୍ଡିଂ କରିବା ଆରମ୍ଭ କରିଥିଲେ। ଏହାପରେ ହଠାତ୍ କିଛି ବୁଝିବା ଆଗରୁ ଯୁବକଙ୍କ ଭିଡିଓ କଲ୍‌ରେ ଏକ ନଗ୍ନ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଚାଲିଥିଲା। ଏମିତି କ’ଣ ଚାଲିଛି ବୋଲି ବାରମ୍ବାର ପଚାରିଥିଲେ ହେଁ ସେପଟୁ କୌଣସି ଉତ୍ତର ମିଳିନଥିଲା। ତେଣୁ ବାଧ୍ୟ ହୋଇ ସେ ଫୋନ୍ କାଟିଥିଲେ।

ଏହା ପରେ ବାରମ୍ବାର ଉକ୍ତ ନମ୍ବରରୁ କଲ୍ ଆସିଥିଲେ ହେଁ ଯୁବକ ସେ ଫୋନ୍ ନ ଉଠାଇ ବ୍ଲକ୍ କରିଥିଲେ। ତା’ପରେ ଏକ ଅଜଣା ନମ୍ବରରୁ ଜଣେ ଯୁବକ ତାଙ୍କର ଏକ ଏଡିଟିଂ ଭିଡିଓ ରେକର୍ଡିଂ କରି ହ୍ବାଟ୍ସଆପ୍‌ରେ ପଠାଇଥିଲେ। ୫ହଜାର ଟଙ୍କା ନଦେଲେ ତାଙ୍କ ପରିବାରବର୍ଗ, ସଂପର୍କୀୟ ଓ ଦଳୀୟ ନେତାଙ୍କୁ ଭିଡିଓ ପଠାଇ ତାଙ୍କୁ ଅସୁବିଧାରେ ପକାଇବେ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ପରେ ବାଧ୍ୟ ହୋଇ ଯୁବକ ପ୍ରଥମେ ସାଇବର୍ ସେଲ୍ ଓ ଗତକାଲି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ପୂର୍ବରୁ ମଧ୍ୟ ‘ସେକ୍ସଟ୍ରୋକ୍ସନ୍’ର ଶିକାର ହୋଇ ଅନେକ ଯୁବକ ଲକ୍ଷାଧିକ ଟଙ୍କା ହରାଇଥିବା ବେଳେ ଅନେକ ବ୍ଲାକମେଲିଂର ଶିକାର ହୋଇଛନ୍ତି। ବର୍ତ୍ତମାନ ସମୟରେ ଏହିଭଳି ଠକେଇ ବ୍ୟାପକ ମାତ୍ରାରେ ଦେଖିବାକୁ ମିଳୁଥିବାରୁ ପୁଲିସ୍ ଏନେଇ ସ୍ବତନ୍ତ୍ର ଭାବେ ବିଜ୍ଞପ୍ତି ଜାରି କରାଇ ସଚେତନ କରାଇଛି। ତେଣୁ କୌଣସି ଅଜଣା ନମ୍ବରରୁ ଭିଡିଓ କଲ୍ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ହୁଅନ୍ତୁ ଯେ ସେ ଆପଣଙ୍କର କୌଣସି ଭିଡିଓ କରୁନାହିଁ। ପୂର୍ବରୁ ସେକ୍ସ କଲ୍ ଚାଟ୍ ଓ ଭିଡିଓ ଚାଟ୍ ଭାଇରାଲ୍ ହେଉଥିଲା। ମାତ୍ର ଏବେ ମୁହଁର କିଛି ସମୟ ଭିଡିଓ ରେକର୍ଡିଂ କରି ଏଡିଟିଂ କରି ‘ସେକ୍ସଟ୍ରୋକ୍ସନ୍’ କରିବା ନୂଆ ଘଟଣା। ତେଣୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌କୁ ସବୁବେଳେ ସୁରକ୍ଷିତ ରଖିବା ସହ ଏଭଳି ଭିଡିଓ କଲ୍‌କୁ ଗ୍ରହଣ କରନ୍ତୁ ନାହିଁ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର