ଭୁବନେଶ୍ବର: ସ୍ବାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ଭୂଦାନ ଆନ୍ଦୋଳନର ନେତା ସ୍ବର୍ଗତ ଜୟକୃଷ୍ଣ ମହାନ୍ତି ଓ ସ୍ବର୍ଗତ କିରଣଲେଖା ମହାନ୍ତିଙ୍କ ସ୍ମୃତିରେ ଜୟକିରଣ ସମ୍ମାନ ପ୍ରଦାନ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଜୟକିରଣ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଆଜିର ଏହି ଉତ୍ସବରେ ସର୍ବୋଦୟ ଓ ଭୂଦାନ କର୍ମୀ ଗୋଲକ ଚନ୍ଦ୍ର ଦାସଙ୍କୁ ୨୦ ହଜାର ଟଙ୍କାର ଅର୍ଥରାଶି ସହ ୯ମ ଜୟକିରଣ ସମ୍ମାନ ପ୍ରଦାନ କରାଯାଇଥିଲା। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି, ଶାସକ ଦଳର ମୁଖ୍ୟ ସଚେତକ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଓଡ଼ିଶୀ ସଂଗୀତ ଗୁରୁ ଗୋପାଳ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।

Advertisment

ଟ୍ରଷ୍ଟର ଅଧ୍ୟକ୍ଷା ଶାଶ୍ବତୀ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କୁ ‘ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ’ ଏବଂ ମର୍ଦଳ ଗୁରୁ ଧନେଶ୍ବର ସ୍ବାଇଁଙ୍କୁ ‘ଗୁରୁ ଗୋପାଳ ପଣ୍ଡା ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ୧୫ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଥିଲା। ସଭା ପରେ ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କ ନିର୍ଦେଶନାରେ ଶ୍ରୀ ପାଲିତ୍‌ ଓ ସାଥୀଙ୍କ ଦ୍ବାରା ସଂଗୀତ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଦର୍ଶକ। ପରେ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ର ଶିଳ୍ପୀମାନଙ୍କ ଦ୍ୱାରା ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ଚକ୍ରବ୍ୟୂହ’ ଓ ପଲ୍ଲବୀ ନୃତ୍ୟ ପରିବେଷଣ କରାଯାଇଥିଲା। ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା ଟ୍ରଷ୍ଟର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।