ଭୁବନେଶ୍ୱରରେ ବଡ଼ ଧରଣର ଡକାୟତି: ଘରେ ପଶି ୧୦୦ ଗ୍ରାମ ସୁନା, ବିଦେଶୀ ମୁଦ୍ରା ସହ ୭ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ରାତି ବଡ଼ ଧରଣର ଡକାୟତି ଅଭିଯୋଗ ହୋଇଛି। ନନ୍ଦନକାନନ ଥନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ସିଏସ୍‌ଏସ୍‌ ହୋମସ୍‌ ଆପାର୍ଟମେଂଟରେ ଏହି ଡକାୟତି ହୋଇଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ମଧ୍ୟ ରାତ୍ରିରେ ଘରେ ପଶି ୧୦୦ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ଅଧକିଲୋ ରୂପା ଗହଣା, ପ୍ରାୟ ୭ ଲଷ ଟଙ୍କା, ବିଦେଶୀ ମୁଦ୍ରା ଲୁଟ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୁଲିସର ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ମୋହନ ପ୍ରସାଦ ଠାକୁର ନାମରେ ଜଣେ ବ୍ୟକ୍ତି ରଘୁନାଥପୁର ଅଞ୍ଚଳରେ ଥିବା ସିଏସ୍‌ଏସ୍‌ ହୋମସ୍‌ରେ ରହୁଛନ୍ତି। ଗତକାଲି ସେ ବାହାରକୁ ଯାଇଥିଲେ। ସେ ଘରର ସବୁ ତାଲା ବନ୍ଦ କରି ଯାଇଥିଲେ। ଆଉ ରାତିରେ ଫେରି ନ ଥିଲେ। ଆଜି ସକାଳୁ ଘରକୁ ଫେରିବା ବେଳକୁ ଘରର ମୁଖ୍ୟ ଦ୍ୱାରରେ ଲାଗିଥିବା ତାଲା ଭଙ୍ଗାଯାଇଥିବା ସେ ଦେଖିଥିଲେ। ସେହିପରି ଘର ଭିତରେ ଥିବା ବେଡରୁମର ଆଲମିରା ମଧ୍ୟ ଭଙ୍ଗାଯାଇଥିଲା। ଜିନିଷ ପତ୍ର ଏଣେତେଣେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଘରେ ଥିବା ବିଦେଶୀ ମୁଦ୍ରା ଓ ନଗଦ ଟଙ୍କା, ସୁନା, ରୂପା ଆଦି ଗହଣ ଲୁଟ ହୋଇଯାଇଥିଲା।

ଅଭିଯୋଗ ଅନୁସାରେ ମୋହନ ପ୍ରସାଦଙ୍କ ଝିଅ ଅଷ୍ଟ୍ରେଲିଆର ରହୁଛନ୍ତି। ବାପାଙ୍କ ପାଖକୁ ମଝିରେ ମଝିରେ ଅଷ୍ଟ୍ରେଲିଆ ମୁଦ୍ରା ପଠାଇଥାନ୍ତି। ଚୋରି ହୋଇଥିବା ଅଷ୍ଟ୍ରେଲିଆ ମୁଦ୍ରା ଭାରତୀୟ ମୁଦ୍ରା ହିସାବରେ ୫୦ ହଜାର ଟଙ୍କା ହେବ ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର