ବିମାନବନ୍ଦରରୁ ଯାତ୍ରୀଙ୍କ ସୁନା ଚେନ୍‌ ଓ ବଳା ଜବତ

କଷ୍ଟମ୍‌ସ ଅଧିକାରୀଙ୍କ କାର୍ଯ୍ୟଶୈଳୀ ପ୍ରଶ୍ନବାଚୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି। ହେଲେ ଆଜି ଯେଉଁ ସୁନା ଅଳଙ୍କାର ଜବତ ହୋଇଛି ସେନେଇ କଷ୍ଟମ୍‌ସ ଅଧିକାରୀଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠିଲାଣି। ଆଜି ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୩୦୪.୯୬୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ଏଥିରେ ଗୋଟିଏ ସୁନା ଚେନ୍‌ ଓ ଗୋଟିଏ ବଳା ରହିଛି। ଏହାର ବଜାର ମୂଲ୍ୟ ୯ଲକ୍ଷ ୫୩ହଜାର ୬୦୯ଟଙ୍କ ହେବ ବୋଲି କୁହାଯାଇଛି। ବିମାନବନ୍ଦରର କଷ୍ଟମ୍‌ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ବିମାନ ଏଆଇ ୩୩୯ର ଯାତ୍ରୀଙ୍କ ବ୍ୟାଗ୍‌ ଓ ଶରୀର ଚେକିଂ ସମୟରେ ଏହି ଚେନ୍‌ ଓ ବଳା ଜବତ ହୋଇଛି। ଏହା ବିଦେଶୀ ସୁନା ହୋଇଥିବାରୁ ଏହାକୁ ଜବତ କରାଯାଇଛି। ଏହି ସୁନା ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯାତ୍ରୀଜଣଙ୍କୁ ପଚରାଉଚରା କରାଯାଉଛି। ବିମାନବନ୍ଦରର କଷ୍ଟମ୍‌ସ ବିଭାଗ ମାର୍ଚ୍ଚ ମାସରେ ହଠାତ୍‌ ତତ୍ପର ହୋଇପଡ଼ିବା ନେଇ ଏବେ ପ୍ରଶ୍ନ ଉଠିଲାଣି।

 

ଅନେକ ଯାତ୍ରୀ ଅଭିଯୋଗ ଆଣିଛନ୍ତି ଯେ, କଷ୍ଟମ୍‌ସ ଅଧିକାରୀମାନେ ସେମାନଙ୍କର ଟାର୍ଗେଟ୍‌ ପୂରଣ କରିବା ପାଇଁ ଆମକୁ ଅଯଥାରେ ହଟହଟ୍ଟା କରୁଛନ୍ତି। ଚେକିଂ ଆଳରେ ସାମଗ୍ରୀକୁ ଫିଙ୍ଗାଫୋପଡ଼ା କରୁଛନ୍ତି। ଆଜି ଯେଉଁ ବ୍ୟକ୍ତିଙ୍କଠାରୁ ସୁନା ଜବତ ହୋଇଛି ସେ ଗୋଟିଏ ଚେନ୍‌ ଓ ବଳା ଆଣିଥିଲେ। ଏତିକି ଅଳଙ୍କାର କ’ଣ କେହି ଆଣିପାରିବେନି। ନିୟମ ଅନୁଯାୟୀ ସୁନା ଅଳଙ୍କାର ଆଣୁଥିଲେ ହେଁ କଷ୍ଟମ୍‌ସ ଅଧିକାରୀମାନେ ସାବାସି ନେବା ପାଇଁ ଏହାକୁ ଜବତ କରୁଛନ୍ତି ବୋଲି ଦେଖାଉଛନ୍ତି। ପୂର୍ବରୁ ଏମିତି ଚେକିଂ ହେଉ ନଥିଲା। ମାର୍ଚ୍ଚ ମାସ ହୋଇଥିବାରୁ ଅଯଥା ଚେକିଂ ବଢ଼ାଇ ଦିଆଯାଇଛି। କଷ୍ଟମ୍‌ସ ବିଭାଗର ଜନୈକ ଅଧିକାରୀଙ୍କୁ ଏନେଇ ପଚରାଉଚରା କରିବାରୁ ସେ କହିଛନ୍ତି ଯେ, ଯାତ୍ରୀ ଜଣଙ୍କ ସୁନା ଅଳଙ୍କାର ଆବଶ୍ୟକତା ଠାରୁ ଅଧିକ ଆଣିଥିଲେ। ଏପରିକି ଏହି ସୁନା ଅଳଙ୍କାର ଉପରେ ରୂପାର ଲେପ ଦେଇଥିଲେ। ନିୟମ ଠାରୁ ଅଧିକ ବିଦେଶୀ ସୁନା ଆଣିଥିବାରୁ ଏହାକୁ ଜବତ କରାଯାଇଛି।

ସମ୍ବନ୍ଧିତ ଖବର