ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ଫସିଲେ ଯୁବତୀ : ସୁନାଚେନ୍‌ ଦେଖିବା ବାହାନାରେ ଝାମ୍ପିନେଲା

ଭୁବନେଶ୍ବର : ଓଏଲ୍‌ଏକ୍ସରେ ଗାଡ଼ି ବିକ୍ରି କରିବା ପାଇଁ ଲୁଟ୍‌ର ଶିକାର ହେବା ଘଟଣା ଅନେକ ଥିବା ବେଳେ ଆଜି ସୁନାଚେନ୍‌ ବିକିବା ପାଇଁ ବିଜ୍ଞାପନ ଦେଇ ଜଣେ ଯୁବତୀ ଫସିଛନ୍ତି। ତେବେ ସୌଭାଗ୍ୟ ବଶତଃ ଅଭିଯୁକ୍ତକୁ ଖାରବେଳ ନଗର ଥାନା ପୁଲିସ ଧରିଛି। ଅଭିଯୁକ୍ତ ହେଉଛି ଶାସ୍ତ୍ରୀ ନଗରର ଦୀପୁ ସାମନ୍ତରାୟ। ଖାରବେଳ ନଗର ଥାନା ପୁଲିସ ତାକୁ ଆଜି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତ୍‌କୁ ପଠାଇ ଦିଆଯାଇଛି। ପୂର୍ବରୁ ଓଏଲ୍‌ଏକ୍ସରେ ଗାଡ଼ି ବିକ୍ରି ବିଜ୍ଞାପନ ଦେଖି ଟ୍ରାଏଲ୍‌ କରିବା ବାହାନାରେ ୨୦୧୯ ମସିହାରେ ୫ଟି ଗାଡ଼ି ଏଭଳି ଲୁଟ୍‌ ହୋଇଥିବା ମଞ୍ଚେଶ୍ବର ଓ ଲକ୍ଷ୍ମୀସାଗର ଥାନାରେ ମାମଲା ରହିଛି।

ସୂଚନା ମୁତାବକ, ବାଲୁଗାଁର ଅର୍ପିତା ବରାଳ ୟୁନିଟ୍‌ ୧ରେ ଥିବା ନିବେଦିତା ଓମେନ୍‌ସ୍‌ ହଷ୍ଟେଲରେ ରୁହନ୍ତି। ସେ ତାଙ୍କର ଏକ ସୁନା ଚେନ୍‌ ୪୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ। ଗତକାଲି ଏହି ବିଜ୍ଞାପନ ଦେଖି ଦୀପୁ ସମ୍ପୃକ୍ତ ଯୁବତୀଙ୍କୁ ଯୋଗାଯୋଗ କରିଥିଲା। ସକାଳେ ସୁନା ଚେନ୍‌ ଦେଖି ସନ୍ଧ୍ୟାରେ ପଇସା ନେଇ ଆସିବ ବୋଲି କହି ଯାଇଥିଲା। ସନ୍ଧ୍ୟାରେ ସେ ୨୦ ହଜାର ଟଙ୍କା ଧରି ଅର୍ପିତାଙ୍କ ପାଖରେ ପହଞ୍ଚିଥିଲା। ବାକି ୨୦ ହଜାର ଟଙ୍କା ଏଟିଏମ୍‌ରୁ ଉଠାଇବା ପାଇଁ କହିଥିଲା। ସେଥିପାଇଁ ସେ ଅର୍ପିତାଙ୍କୁ ବାଇକ୍‌ରେ ବସାଇ ନ’ତାଲା ପାଖରେ ଥିବା ଏଟିଏମ୍‌କୁ ଯାଇଥିଲା। କିଛି ସମୟ ଏଟିଏମ୍‌ ଭିତରେ ରହିବା ପରେ ବାହାରି ଆସି ଟଙ୍କା ଉଠି ନ ଥିବା କହିଥିଲା। ତେବେ କ୍ବାର୍ଟର୍ସ ପାଖରେ ଦେଇ ଦେବ ବୋଲି କହି ଅର୍ପିତାଙ୍କୁ ଗାଡ଼ିରେ ପୁଣି ବସାଇ ପୁରୁଣା ଏଜି କଲୋନିକୁ ଆଣିଥିଲା। ସେଠାରେ ଥିବା ଏକ କ୍ବାର୍ଟର୍ସ ସାମ୍ନାରେ ରଖି ଭିତରେ ମା’ଙ୍କୁ ଦେଖାଇବାକୁ ଚେନ୍‌ ମାଗିଥିଲା। ଅର୍ପିତା ନ ଦେବାରୁ ତାଙ୍କ ଠାରୁ ସୁନା ଝାମ୍ପି ନେଇ ପଳାଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅନୁସନ୍ଧାନ କରି ଆଜି ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର