ମହିଳାଙ୍କ ଚେନ୍‌ ଝାମ୍ପିନେଲା ଜେଲ୍‌ ଫେରନ୍ତା

ବାଲିପାଟଣା : ଆଜି ସନ୍ଧ୍ୟା ସମୟରେ ଗାଁ ମନ୍ଦିରରେ ଦୀପ ଜାଳିବା ପାଇଁ ଯାଉଥିବା ବେଳେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ମୁଣ୍ଡହଣାପାଟଣା ଗ୍ରାମର ମାଳତୀ ବେହେରା(୬୭)। ଜଣେ ସ୍ଥାନୀୟ ଜେଲ୍‌ଫେରନ୍ତା ଯୁବକ ତାଙ୍କ ବେକରୁ ୧୨ଭରି ଓଜନର ସୁନା ଚେନ୍‌ ଝାମ୍ପି ନେଇଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତଜଣକ ଚେନ୍‌ ଟାଣି ନେବା ବେଳେ ମାଳତୀଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଓ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି।

ସୂଚନାନୁସାରେ, ସବୁଦିନ ଭଳି ମାଳତୀ ତାଙ୍କ ଗାଁ ମୁଣ୍ଡ ରାଧାକୃଷ୍ଣ ମନ୍ଦିରକୁ ସନ୍ଧ୍ୟା ଦୀପ ଜାଳିବା ପାଇଁ ଯାଆନ୍ତି। ଆଜି ସେ ତାଙ୍କ ପୁଅଙ୍କ ସହ ମନ୍ଦିରକୁ ଯାଉଥିଲେ। ମା’ ପୁଅ ରାସ୍ତାରେ ଏକ ନିଛାଟିଆ ସ୍ଥାନ ଦେଇ ଅତିକ୍ରମ କରୁଥିବା ବେଳେ ହଠାତ୍ ଜଣେ ଯୁବକ ମାଳତୀଙ୍କ ବେକରୁ ଚେନ୍‌ ଝାମ୍ପି ଦୌଡ଼ିଥିଲା। ଦୁର୍ବୃତ୍ତଜଣକ ସେହି ଗ୍ରାମର ପଙ୍କ ବୋଲି ମାଳତୀଙ୍କ ପୁଅ ଚିହ୍ନି ପାରିଥିଲେ। ପୁଅ ଟର୍ଚ୍ଚ ଲାଇଟ୍‌ରେ ପଙ୍କକୁ ଚିହ୍ନି ପାରି ପାଟି କରିଥିଲେ। ନିକଟରେ ପଙ୍କ ଜେଲ୍‌ରୁ ଫେରିଛି। ଏକ ସଂଗିନ୍ ମାମଲାରେ ସେ ଜେଲ୍‌ ଯାଇଥିଲା ଓ ଏବେ ଜାମିନ୍‌ରେ ଆସି ପୁଣି ଲୁଟପାଟ୍‌ ଆରମ୍ଭ କରିଛି। ଅଭିଯୋଗ ପାଇ ପୁଲିସ ପଙ୍କକୁ ଗିରଫ କରିବା ପାଇଁ ଚଢ଼ଉ ଆରମ୍ଭ କରିଥି‌ଲେ ବି ତାକୁ ଠାବ କରିପାରିନାହିଁ।

ସମ୍ବନ୍ଧିତ ଖବର