ଦୋକାନରୁ ମହୁ କିଣିବା ଆଳରେ ବେକରୁ ନେଇଗଲେ ଅଢ଼େଇ ଭରିର ସୁନା ହାର

ଭୁବନେଶ୍ବର : ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରୁ ଆଜି ଜଣେ ମହିଳା ଦୋକାନୀଙ୍କ ବେକରରୁ ଦୁଇ ଜଣ ଲୁଟେରା ଅଢ଼େଇ ଭରି ଓଜନର ସୁନାହାର ଲୁଟି ଯାଇଛନ୍ତି। ମହିଳା ଜଣକ ହେଉଛନ୍ତି ଡୁମୁଡୁମାର ସୁଷମା ପଣ୍ଡା। ଆଜି ଦିନ ପ୍ରାୟ ୧ଟା ବେଳେ ଜଣେ ଯୁବକ ତାଙ୍କ ଦୋକାନକୁ ଆସି ମହୁ କିଣିବେ କହି ୫୦୦ ଟଙ୍କା ଦେଇଥିଲେ। ମହିଳା ମହୁ ଆଣିବାକୁ ଭିତରକୁ ଯିବାବେଳେ ଯୁବକ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲା ଏବଂ ଦୋକାନ ବାହାରେ ଗାଡ଼ି ଧରି ଅପେକ୍ଷା କରିଥିବା ସହଯୋଗୀ ସହ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ଖବର ପାଇ କିଛି ସମୟ ମଧ୍ୟରେ ପିସିଆର ଆସିଥିଲେ ହେଁ ଲୁଟେରା ଦ୍ବୟ ଫେରାର ହୋଇଯାଇଥିବାରୁ ସେମାନଙ୍କ ପତ୍ତା ପାଇ ନଥିଲା।

ଘରୁ ଲୁଟିନେଲେ ୧୦ଲକ୍ଷ ଟଙ୍କାର ଗହଣା
ଭୁବନେଶ୍ବର : ନୂଆପଲ୍ଲୀ ଥାନା ଅଧୀନ ଜୟଦେବବିହାର‌ରେ ରହୁଥିବା କରୁଣାକର ସାହୁଙ୍କ ଘରୁ ବୁଧବାର ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଛି। କରୁଣାକର ସକାଳୁ ଗାଁକୁ ଯାଇଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି କଳାକନା ବୁଲାଇ ଦେଇଥିଲେ। ସାନ ଭାଇ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆସି ଦେଖିବା ବେଳକୁ ଘର କବାଟ ଖୋଲା ଥିଲା ଏବଂ ଆଲମାରି ଭଙ୍ଗା ଯାଇଥିଲା। ଏନେଇ ସେ କରୁଣାକରଙ୍କୁ ଅବଗତ କରାଇବା ପରେ ଉଭୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କରୁଣାକରଙ୍କ ଅଭିଯୋଗ ମୁତାବକ, ତାଙ୍କ ଘରୁ ଚୋର ଦୁଇଟି ସୁନା ହାର, ସୁନା ବ୍ରେସଲେଟ, ୧୦ଟି ମୁଦି, ୨ଟି ମଙ୍ଗଳସୂତ୍ର, ୨ହଳ କାନଫୁଲ, ୫ହଳ ଶଙ୍ଖା, ରୁପା ବ୍ରେସଲେଟ୍‌ ଓ ନଗଦ ୩୫ ହଜାର ଟଙ୍କା ଚୋରି ହୋଇଛି। ଚୋରି ଗହଣାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ସେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର