ଦୋକାନ ଭିତରୁ ମାଲିକଙ୍କ ସୁନାଚେନ୍‌ ଝାମ୍ପିନେଲା

ଭୁବନେଶ୍ବର : ପୂର୍ବରୁ ରାସ୍ତା ଉପରେ ଛିନ୍‌ତାଇ କରୁଥିଲେ। ନିଛାଟିଆ ହେଉ କି ଜନଗହଳିପୂର୍ଣ୍ଣ ସ୍ଥାନ ହେଉ, ବେଧଡ଼କ ସୁନାଚେନ୍‌ ଛିଣ୍ଡାଇ ନେଉଥିଲେ। କିନ୍ତୁ ଆଜି ଆଉ ପାଦେ ଆଗେଇ ଦୁଃସାହସ ଦେଖାଇଛନ୍ତି ଲୁଟେରା। ଦୋକାନ ଭିତରେ ପଶି ମାଲିକଙ୍କ ବେକରୁ ସୁନାଚେନ୍‌ ଝାମ୍ପି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ସନ୍ଧ୍ୟା ସାଢ଼େ ୭ଟା ବେଳେ ଏଭଳି ଅଘଟଣ ଘଟିଛି ବରମୁଣ୍ଡା ଅଞ୍ଚଳରେ। ଏକ ସ୍ନାକ୍ସ ଦୋକାନ ଭିତରେ ପଶି ଜଣେ ଯୁବ ବ୍ୟବସାୟୀଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ବରମୁଣ୍ଡାର ମଣ୍ଟୁ ପରିଡ଼ା।

ବରମୁଣ୍ଡା ଗାଁ ଛକରେ ମଣ୍ଟୁଙ୍କର ଏକ ସ୍ନାକ୍ସ ଦୋକାନ ରହିଛି। ସବୁଦିନ ଭଳି ଶୁକ୍ରବାର ସନ୍ଧ୍ୟାରେ ସେ ଦୋକାନ ଖୋଲିଥିଲେ। ଦୁଇଜଣ ଯୁବକ ଏକ ନମ୍ବର ବିହୀନ ପଲ୍‌ସର ମୋଟର ସାଇକେଲ୍‌ରେ ଆସି ଦୋକାନ ପାଖରେ ପହଞ୍ଚିଥିଲେ। କିଛି ସମୟ ଦୋକାନ ସାମ୍ନାରେ ଛିଡ଼ା ହେବା ସହ ଚାରିଆଡ଼କୁ ନଜର ପକାଇଥିଲେ। ସେତେବେଳେ ଦୋକାନରେ ଦୁଇଜଣ ଗ୍ରାହକ ଥିଲେ। ସେମାନେ ଦୋକାନରୁ ଚାଲି ଯିବା ପରେ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୋକାନ ଭିତରକୁ ଯାଇଥିଲା। ସେ ଦୋକାନରେ ପଶିବା ପରେ ପରେ ଅନ୍ୟ ଜଣକ ଗାଡ଼ି ଷ୍ଟାର୍ଟ କରିଥିଲା। ଦୋକାନ ଭିତରେ ଦୁର୍ବୃତ୍ତ ଜଣକ ଦୁଇଟି ଚିପ୍ସ ଓ ମିକ୍ସଚର ମାଗିଥିଲା। ମଣ୍ଟୁ ଜିନିଷଗୁଡ଼ିକୁ ଆଣି ତାକୁ ଦେଖାଉଥିବା ବେଳେ ହଠାତ୍ ଦୁର୍ବୃତ୍ତ ଜଣକ ତାଙ୍କ ବେକରୁ ସୁନାଚେନ୍‌କୁ ଝାମ୍ପି ବାହାରକୁ ପଳାଇଥିଲା। ପୂର୍ବରୁ ଗାଡ଼ି ଷ୍ଟାର୍ଟ କରି ରଖିଥିବା ଦୁର୍ବୃତ୍ତ ତାକୁ ବସାଇ ସେଠାରୁ ଦ୍ରୁତବେଗରେ ପଳାଇଥିଲା। ଆଖିପିଛୁଳାକେ ସେମାନେ ଘଟଣାସ୍ଥଳରୁ ଉଭାନ୍‌ ହୋଇଯାଇଥିଲେ। ତେବେ ମଣ୍ଟୁ ପାଟି କରିବାକୁ ସେଠ‌ାରେ ଥିବା ୪/୫ ଜଣ ଯୁବକ ଦୁର୍ବୃତ୍ତମାନଙ୍କୁ ପିଛା‌ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ରାଜଧାନୀ କଲେଜ ରୋଡ୍‌ରେ ଅନ୍ତର୍ଧାନ ହୋଇ ଯାଇଥିଲେ। ସୁନାଚେନ୍‌ର ମୂଲ୍ୟ ୮୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ମଣ୍ଟୁ କହିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର