ମହିଳାଙ୍କଠାରୁ ଝାମ୍ପିନେଲେ ସୁନାହାର

ଭୁବନେଶ୍ବର : ଡ୍ୟୁଟି ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଏ ସଂପର୍କରେ ମହିଳାଙ୍କ ସ୍ବାମୀ ସତ୍ୟନାରାୟଣ ପଟ୍ଟନାୟକ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ମହିଳାଜଣଙ୍କ ଡ୍ୟୁଟି ସାରି ନିଜ ସ୍ବାମୀଙ୍କ ସହ ସାଲିଆସାହିସ୍ଥିତ ନିଜ ଘରକୁ ଫେରୁଥି‌ଲେ। ସେମାନେ ଚନ୍ଦକା ରେଞ୍ଜ୍ ଅଫିସ୍ ପାର୍‌ ହେଉଥିବା ବେଳେ ଦୁଇଜଣ ଲୁଟେରା ଏକ କଳା ପଲସର୍‌ରେ ଆସି ମହିଳାଙ୍କ ବେକରୁ ଦେଢ଼ଭରି ଓଜନର ସୁନାହାର ଝାମ୍ପି ନେଇଥିଲେ। ସୌଭାଗ୍ୟବଶତଃ ଲକ୍‌ଡାଉନ୍ ଯୋଗୁଁ ବିଶେଷ ଗାଡ଼ି ଯାତାୟାତ ହେଉ ନଥିବାରୁ ଲୁଟ୍ ପରେ ଭାରସାମ୍ୟ ହରାଇଥିଲେ ହେଁ ନିଶ୍ଚିତ ଦୁର୍ଘଟଣାରୁ ଦମ୍ପତି ଏକ ବଡ଼ଧରଣର ବର୍ତ୍ତି ଯାଇଥିଲେ।

ଗଣ୍ଡଗୋଳ ମାମଲାରେ ୬ମହିଳା ଗିରଫ
ଭୁବନେଶ୍ୱର : ମାରପିଟ୍‌ ମାମଲାରେ ଖାରବେଳନଗର ଥାନା ପୁଲିସ ୟୁନିଟ୍-୪ ଶାସ୍ତ୍ରିନଗର ବସ୍ତିର ୬ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଗୋଟିଏ ପକ୍ଷର ଗୌରୀ ପାତ୍ର(୨୬), କାବେରୀ ପାତ୍ର(୨୭), ପୁଷ୍ପଲତା ପାତ୍ର(୩୬) ଓ ସୁବାସିନୀ ନାଥ (୬୦) ଓ ଅନ୍ୟପକ୍ଷର ମମତା ଦାସ(୩୫), ଜ୍ୟୋତ୍ସ୍ନାରାଣୀ ସାହୁ(୨୭)। ଜମିଜମା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ବୁଧବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବଚସା ଉଗ୍ରରୂପ ନେବାରୁ ପରସ୍ପରକୁ ଆକ୍ରମଣ କରିଥିଲେ। ପରେ ଏନେଇ ଦୁଇ ପକ୍ଷ ଥାନାରେ ଅଭିଯେଗା କରିବାରୁ ପୁଲିସ ପୃଥକ୍‌ ପୃଥକ୍‌ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ଗୋଦାମରୁ ଚୋରି କରି ଯୁବକ ଗିରଫ
ଭୁବନେଶ୍ବର : ମଞ୍ଚେଶ୍ବର ଥାନା ଅଧୀନ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରେ ଏକ ୱେଲଡିଂ କମ୍ପାନିରୁ ଚୋରି ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଅଶୋକ ଦାସ(୨୨)। ସେ ଚକେଇସିହାଣୀ ନିକଟସ୍ଥ ହାଡ଼ବାଇ ବସ୍ତି‌ରେ ରହେ। ପୁଲିସ୍‌ ତା’ଠାରୁ ଗୋଟିଏ ଗ୍ୟାସ୍‌ ଷ୍ଟୋଭ୍, ଗ୍ୟାସ୍ ସିଲିଣ୍ଡର, ଓଜନ ମେସିନ, ଫ୍ୟାନ୍, ପାଣି ମଟର ଆଦି ଜବତ କରିଛି। ପୁଲିସ ସୂଚନା ଅନୁସାରେ, ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଚିନ୍ମୟ କୁମାର ପଣ୍ଡାଙ୍କ ଏକ କମ୍ପାନି ଅଛି। ଗତ ୧୯ତାରିଖ ରାତିରେ ଯୁବକଜଣଙ୍କ ତାଙ୍କ କମ୍ପାନି ଗେଟ୍‌ ତାଲା ଭାଙ୍ଗି ଏ ସବୁ ଜିନିଷ ଚୋରି କରିନେଇଥିଲା। ଏ ସଂପର୍କରେ ଚିନ୍ମୟ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର