ମହିଳାଙ୍କ ସୁନାଚେନ୍‌ ଝାମ୍ପିନେଲେ

ଭୁବନେଶ୍ୱର : ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ପୁରୁଣା ଭୁବନେଶ୍ବର ବିନ୍ଦୁସାଗର ପାଖ ବାସୁଦେବ ରିସର୍ଟ ନିକଟରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ବାଇକ୍‌ରେ ପିଛା କରୁଥିବା ଜଣେ ଦୁର୍ବୃତ୍ତ ମହିଳାଙ୍କ ବେକରୁ ସୁନା‌ଚେନ୍‌ ଝାମ୍ପି ନେଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଯମେଶ୍ୱର ପାଟଣାସାହି ଅଞ୍ଚଳର ସୁମିତ୍ରା ବେଉରା (୨୯)। ସେ ଚାଲିଚାଲି ଘରକୁ ଫେରୁଥିବା ବେଳେ ରଥଗଡ଼ା ରାସ୍ତାରେ ଜଣେ ଦୁର୍ବୃତ୍ତ ଏକ ଧଳା ରଙ୍ଗର ଟିଭିଏସ୍ ଆପାଚି ବାଇକ୍‌ରେ ଆସି ତାଙ୍କ ପାଖରେ ଅଟକିଥିଲା। ସୁମିତ୍ରା କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ଜଣକ ଅତର୍କିତ ଭାବେ ତାଙ୍କ ବେକରୁ ସୁନାଚେନ୍‌ ଛିଡ଼ାଇ ନେଇଥିଲା। ସୁମିତ୍ର ଚୋର ଚୋର ବୋଲି ପାଟି କରିବା ବେଳକୁ ଦୁର୍ବୃତ୍ତ ଜଣକ ଅନ୍ତର୍ଧାନ ହୋଇ ଯାଇଥିଲା। ଅଭିଯୋଗ ପାଇବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଦୁର୍ବୃତ୍ତକୁ ଠାବ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁ‌ଟେଜ୍ ସଂଗ୍ରହ କରୁଛି।

ସମ୍ବନ୍ଧିତ ଖବର