ଲୁଟ୍‌ର ଶିକାର ହେଲେ ପୂର୍ବତନ ଅତିରିକ୍ତ ଡିସିପିଙ୍କ ସ୍ତ୍ରୀ, ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ବର : ପୂର୍ବତନ ଅତିରିକ୍ତ ଡିସିପି ଗୌରୀଶଙ୍କର ଦାଶଙ୍କ ପତ୍ନୀ ରେଣୁବାଳା ପଣ୍ଡା ବୁଧବାର ଦିନ ଲୁଟେରାଙ୍କ ଶିକାର ହୋଇଛନ୍ତି। ଖଣ୍ଡଗିରି ଫ୍ଲାଏଓଭର ନିକଟରେ ୨ଜଣ ଲୁଟେରା ତାଙ୍କ ବେକରୁ ୨ ଭରି ଓଜନର ସୁନା ଚେନ୍ ଓ ୧୦ ଗ୍ରାମ୍‌ର ଏକ ଲକେଟ୍ ଝାମ୍ପି ନେଇଛନ୍ତି। ଏ ନେଇ ସେ ବୁଧବାର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି। କିନ୍ତୁ ଲୁଟେରାମାନଙ୍କ ଟେର୍‌ ପାଇନାହିଁ।

ରେଣୁବାଳା ରମାଦେବୀ କଲେଜରେ ହୋମ୍‌ ସାଇନ୍ସ ବିଭାଗରେ ଡେମନଷ୍ଟ୍ରେଟର୍ ଭାବେ କାର୍ଯ୍ୟ କରନ୍ତି। ସେ ବୁଧବାର ଦିନ ପ୍ରାୟ ୧୦ଟା ୪୫ରେ ପଞ୍ଚସଖାନଗରରୁ ବାହାରି କଲେଜ ଯାଉଥିଲେ। ଖଣ୍ଡଗିରି ଫ୍ଲାଏଓଭର ନିକଟସ୍ଥ ଗ୍ରୀନ୍‌ଆର୍ଥ ନର୍ସରି ନିକଟରେ ଯାଉଥିବା ବେଳେ ତାଙ୍କୁ ପିଛା କରୁଥିବା ୨ଜଣ ଯୁବକ ତାଙ୍କ ଚେନ୍ ଝାମ୍ପି ଦ୍ରୁତ ଗତିରେ ବରମୁଣ୍ଡା ଆଡ଼କୁ ପଳାଇଥିଲେ। ଶ୍ରୀମତୀ ପଣ୍ଡା ସାହସ କରି କିଛି ବାଟ ପିଛା କରିଥିଲେ। ମାତ୍ର ସେମାନଙ୍କୁ ଧରିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଆଜି ଅନ୍ୟ ଜଣେ ମହିଳା ଗଙ୍ଗପଡ଼ା ଟୋଲ୍‌ଗେଟ୍‌ ନିକଟରେ ଲୁଟ୍‌ର ଶିକାର ହୋଇଛନ୍ତି। ବୋଲଗଡ଼ ଥାନା ଅନ୍ତର୍ଗତ ସାନକୁମାରୀ ଗାଁ ପୁଷ୍ପଲତା ଖଣ୍ଡେଇ ଭୁବନେଶ୍ବର ଯାଉଥିବା ବେଳେ ଗଙ୍ଗପଡ଼ା ଟୋଲ୍ ପ୍ଲାଜା ନିକଟସ୍ଥ ପେଟ୍ରୋଲ ଟାଙ୍କି ନିକଟରେ ଲୁଟେରାମାନେ ତାଙ୍କ ଠାରୁ ଚେନ୍ ଝାମ୍ପି ନେଇଛନ୍ତି। ଏନେଇ ସେ ଯାଁଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର