ରାଜଧାନୀରେ ମାତିଲେଣି ଲୁଟେରା : ଚେନ୍‌ ସହ ଯୁବତୀଙ୍କୁ ଘୋଷାରି ନେଲେ

ଭୁବନେଶ୍ୱର : ଅସୁରକ୍ଷିତ ହୋଇ ପଡ଼ିଛି ରାଜଧାନୀ। କରୋନା ପାଇଁ ଜାରି ଥିବା କଟକଣା ଟିକିଏ କୋହଳ ହେଉ ହେଉ ଲୁଟେରା ମାତି ଗଲେଣି। ରାଜଧାନୀ ସାରା ପୁଲିସ ଭର୍ତ୍ତି ହୋଇ ରହିଛନ୍ତି। ତଥାପି ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଲୁଟେରା କେବଳ ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛି ତାହା ନୁହେଁ, ଯୁବତୀଙ୍କୁ ପ୍ରାୟ ୨୦ ଫୁଟ୍‌ ପର୍ଯ୍ୟନ୍ତ ରାସ୍ତାରେ ଘୋଷାରି ନେଇଛି। ଲୁଟେରା ଜଣକ ଆଜି ଅପରାହ୍‌ଣରେ ୧୫ ମିନିଟ୍‌ ଧରି ସେହି ଯୁବତୀଙ୍କୁ ଏଭଳି ନିର୍ଯାତନା ଦେବା ସହ ଚେନ୍‌ ଛଡ଼ାଇ ନେବାକୁ ସକ୍ଷମ ହୋଇଛି। ଏହା କୌଣସି ଗଳିକନ୍ଦିର ଘଟଣା ନୁହେଁ, ବରଂ ରାଜଧାନୀର ପ୍ରମୁଖ ଏଜି ଛକ ଠାରୁ ମାତ୍ର କେଇ ମିଟର ଦୂର ପୁରୁଣା ବସ୍‌ଷ୍ଟାଣ୍ଡ ରାସ୍ତାରେ ଏଭଳି ଅଘଟଣ ଘଟିଛି। ଏଜି ଛକରେ ଟ୍ରାଫିକ୍‌ ପୁଲିସ ଭର୍ତ୍ତି ହୋଇଥିଲେ। ରାସ୍ତା ଆରପା‌ଖେ ମହିଳା ଥାନା ରହିଛି। ମହିଳା ଥାନାକୁ ଲାଗି କ୍ୟାପିଟାଲ ଥାନା ରହିଛି। ହେଲେ କେହି କିଛି କରିପାରି ନାହାନ୍ତି। ଆହତ ଯୁବତୀ ହସ୍‌ପିଟାଲରେ ଚିକିତ୍ସିତ ହେବା ସହ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏଜି ଛକ ଭଳି ଏକ ପ୍ରମୁଖ ସ୍ଥାନ ନିକଟରେ ଲୁଟେରାର ଏଭଳି ସାହସକୁ ନେଇ ଚିନ୍ତା ବଢ଼ିଛି।

ସୂଚନା ମୁତାବକ, ଶୈଳଶ୍ରୀ ବିହାରର ମନସ୍ବିନୀ ବିଶ୍ବାଳ ଆଜି ତାଙ୍କ ସାଙ୍ଗଙ୍କ ସହ ମାର୍କେଟ୍‌ ବିଲ୍ଡିଂ ଆସିଥିଲେ। ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ୍‌ରେ ସେ ପୁରୁଣା ବସ୍‌ଷ୍ଟାଣ୍ଡ ରାସ୍ତା ଦେଇ ଏଜି ଛକ ଆଡ଼କୁ ଆସୁଥିଲେ। ଏତିକିବେଳେ ଏଜି ଛକଆଡ଼ୁ ଦୁଇଜଣ ବାଇକ୍‌ରେ ଆସି ତାଙ୍କ ପର୍ସ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ହେଲେ ସେମାନେ ପର୍ସ ‌ନେଇପାରି ନ ଥିଲେ। ଲୁ‌ଟେରାମାନେ ସେଥିରେ ବିଫଳ ହେବା ପରେ ତାଙ୍କ ସୁନା ଚେନ୍‌ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ହେଲେ ଯୁବତୀ ଜଣକ ତାଙ୍କୁ ଧରି ପକାଇବାରୁ ଲୁଟେରା ତାଙ୍କୁ ଟାଣି ନେଇଥିଲା। ମନସ୍ବିନୀ ପଡ଼ିଯିବା ସହ ଘୋଷ‌ାରି ହୋଇ ଯାଇଥିଲେ। ଏଥିରେ ତାଙ୍କର ଡ୍ରେସ୍‌ ଚିରିଯିବା ସହ ବାମ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା। ସାଙ୍ଗଜଣକ ଚିତ୍କାର କରିବାରୁ ଆଖପାଖରୁ ଲୋକ ଦଉଡ଼ି ଆସି ଲୁଟେରାକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସେମାନେ ଦ୍ରୁତଗତିରେ ସୁନା ଚେନ୍‌ ନେଇ ପିଏମ୍‌ଜି ଛକଆଡ଼କୁ ପଳାଇ ଯିବାକୁ ସକ୍ଷମ ହୋଇଥିଲେ।

କେବଳ ଏହି ଘଟଣା ନୁହେଁ, ଦୁଇଦିନ ତଳେ ସିଆ୍‌ର୍‌ପି ଛକରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେଇ ପଳାଉଥିବା ବେଳେ ଲୁଟେରାକୁ କେତେକ ଯାତ୍ରୀ ବାଇକ୍‌ରେ ଗୋଡ଼ାଇ କାବୁ କରିଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଜଣେ ମହିଳାଙ୍କ ବେକରୁ କେତେକ ସୁନା ଚେନ୍‌ ଝାମ୍ପି ନେଇଥିଲେ।

ସମ୍ବନ୍ଧିତ ଖବର