ଦୀପାବଳି ପୂର୍ବରୁ ମାତିଲେ ଚେନ୍ ଲୁଟେରା: ୨୪ ଘଣ୍ଟାରେ ୫ ଲୁଟ୍

ଫେରାର ଉଦ୍ୟମ ବେଳେ ଜଣେ ଧରାପଡ଼ିଲା

ଭୁବନେଶ୍ୱର : ଦୀପାବଳି ପୂର୍ବରୁ ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା। ରାସ୍ତାଘାଟରେ ଭିଡ଼ର ସୁଯୋଗ ନେଇ ୨୪ ଘଣ୍ଟା ଭିତରେ ୫ ଲୁଟ୍ ଘଟାଇ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ସବୁ ଲୁଟ୍‌ ମୁଖ୍ୟ ରାସ୍ତାରେ ହିଁ ଘଟିଛି। ତେବେ ଗୋଟିଏ ସ୍ଥାନରେ ଚେନ୍ ଲୁଟ କରି ପଳାଇ ଯାଉଥିବାବେଳେ ଜଣେ ଲୁଟେରା ପୁଲିସ ହାତରେ ଧରାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବମିଖାଲ କେନାଲ ରୋଡ ବାସୁଦେବନଗର ଅଞ୍ଚଳରେ ରହୁଥିବା ଶୁଭମ୍ ଗୁପ୍ତା ଓ ତାଙ୍କ ମା ଗତକାଲି ସନ୍ଧ୍ୟା ୬ଟାରେ ମାର୍କେଟ ବିଲ୍ଡିଂରୁ ଘରକୁ ଫେରୁଥିଲେ। ସେମାନେ ବାଇକ୍‌ରେ ଆସୁଥିବାବେଳେ ରାଜମହଲ ନିକଟରେ ଶୁଭମଙ୍କ ମା’ଙ୍କ ବେକରୁ ଦୁଇ ଲୁଟେରା ଚେନ୍ ଝାମ୍ପି ନେଇଥିଲେ। ଏହା ପରେ ଲୁଟେରା ୨୨୦ସିସି ନାଲି ଓ କଳା ରଙ୍ଗର ପଲସର୍‌ ବାଇକ୍‌ରେ ପିଏମ୍‌ଜି ଅଭିମୁଖେ ପଳାଇଥିଲେ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି।

ଗତକାଲି ଅପରାହ୍ନ ସାଢ଼େ ୩ଟାରେ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଅନୁରୂପ ଭାବେ ପଟିଆ ଷ୍ଟାର୍‌ ସିଟି ଅଞ୍ଚଳର ପଲ୍ଲବୀ ପ୍ରିୟଦର୍ଶିନୀ ନାୟକ ଲୁଟ୍‌ର ଶିକାର ହୋଇଥିଲେ। ସେ ବରମୁଣ୍ଡା ଫ୍ଲାଏ ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ଏକ ପଲସର୍‌ ବାଇକରେ ଦୁଇ ଜଣ ଲୁଟେରା ଆସି ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।

ସେହିପରି ଗତ ୧ ତାରିଖରେ ନୟାପଲ୍ଲୀ ଏନ୍/୩ ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ଜଣେ ଯୁବତୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଯାଉଥିବା ବେଳେ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ। ଲୁଟର ଶିକାର ଯୁବତୀଙ୍କ ନାଁ ସୁନିତି ଦାସ। ଏ ନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି। ସେହିପରି ଗତ ୧ ତାରିଖରେ ସୁଧୀର ରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଖୋର୍ଦ୍ଧାରୁ ଫେରୁଥିଲେ। ତମାଣ୍ଡୋ ଥାନାଠୁ କିଛି ଦୂର ଜାତୀୟ ରାଜପଥରେ ଜଣେ ଲୁଟେରା ତାଙ୍କ ପତ୍ନୀଙ୍କ ଭ୍ୟାନିଟି ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ। ଏହି ସମୟରେ ସୁଧୀର ପୁଲିସକୁ ଖବର ଦେଇଥିଲେ। ପିସିଆର ଭ୍ୟାନ୍ ପିଛା କରି ଲୁଟେରାକୁ କାବୁ କରି ନେଇଥିଲା। ଗିରଫ ଲୁଟେରା କୃତ୍ତିବାସ ବଳବନ୍ତରାୟ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରି ଲୁଟେରାକୁ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ଆଜି ପିତାପଲ୍ଲୀ ଛକରେ ପ୍ରତିମା ବେହେରା ଘରକୁ ଯାଉଥିବା ସମୟରେ ୨ ଜଣ ଯୁବକ ତାଙ୍କ ଚେନ୍‌ ଝାମ୍ପି ନେଇଛନ୍ତି। ଭାରସାମ୍ୟ ହରାଇବା ଯୋଗୁଁ ସେ ତଳେ ପଡ଼ି ଗୁରୁତର ଆହତ ହୋଇଛନ୍ତି।

ବ୍ଲକିଂ ବେଳେ ଧରାପଡ଼ିଲା ବାଇକ୍‌ ଲୁଟେରା
ଭୁବନେଶ୍ବର : ବ୍ଲକିଂ ବେଳେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ବାଇକ୍‌ ଲୁଟେରାକୁ କାବୁ କରିଛି। ସେ ହେଲା ସହିଦନଗର ଲେଭେଲ୍‌ କ୍ରିସଂ ଅଞ୍ଚଳର ମୋହନ ଦାସ ଓରଫ ନନ୍ଦ(୨୪)। ପୁଲିସ ତା’ଠାରୁ ଗୋଟିଏ ଚୋରା ବାଇକ୍‌ ଜବତ କରିଛି।

ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମଞ୍ଚେଶ୍ବର ଥାନା ପୁଲିସ ରସୁଲ୍‌ଗଡ଼ ଛକରେ ବ୍ଲକିଂ ଚଳାଇଥିଲା। ଏହି ସମୟରେ ବମିଖାଲ୍‌ପଟୁ ଏକ ବାଇକ୍‌ରେ ଆସୁଥିବା ନନ୍ଦ ପୁଲିସ ବ୍ଲକିଂ ଦେଖି ଏପଟସେପଟ ହୋଇଥିଲା। ସନ୍ଦେହ ହେବାରୁ ପୁଲିସ ତାକୁ ଅଟକାବା ପାଇଁ କହିଥିଲେ ବି ସେ ଘଟଣାସ୍ଥଳରୁ ଫେରାର୍‌ ପାଇଁ ଉଦ୍ୟମ କରିଥିଲା। ତେ‌ବେ ପୁଲିସ ତାକୁ ଚତୁରତାର ସହ କାବୁ କରିଥିଲା। ଯାଞ୍ଚ ବେଳେ ସେ କୌଣସି କାଗଜପତ୍ର ଦେଖାଇ ପାରିନଥିଲା। ବାଇକ୍‌ଟି ଚୋରା ବୋଲି ଜଣାପଡ଼ିବା ପରେ ପୁଲିସ ବାଇକ୍‌କୁ ଜବତ କରିବା ସହ ତାକୁ ଗିରଫ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ବୁଧବାର ଦିନ ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର