ଭୁବନେଶ୍ୱର : ଲକ୍‌ଡାଉନ୍‌ ପରେ ପରେ ରାଜଧାନୀରେ ଚୋର ଓ ଲୁଟେରା ଉତ୍ପାତ କରୁଛନ୍ତି। କମିସନରେଟ୍‌ ପୁଲିସର କଡ଼ା ପହରାକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଗତ ରବିବାର ସନ୍ଧ୍ୟାରେ ୟୁନିଟ୍-୮ ଅଞ୍ଚଳରେ ଥିବା ଜଣେ ଓୟୁଏଟିର ପ୍ରଫେସର ନିରଞ୍ଜନ ବାରିକଙ୍କ ସରକାରୀ କ୍ବାର୍ଟର୍ସରୁ ଚୋର କଳାକନା ବୁଲାଇଛନ୍ତି। ନଗଦ ଟଙ୍କା ସହ ୭ ଲକ୍ଷର ସୁନା ଗହଣା ଓ ଦାମୀ ଟ୍ୟାବ୍‌ ସହ ମୋବାଇଲ ଫୋନ୍‌ ଚୋରି କରି ନେଇଛନ୍ତି। ୮ ମୋବାଇଲ ଫୋନ୍‌ର ମୂଲ୍ୟ ୨ ଲକ୍ଷରୁ ବେଶି ହେବ। ଘ‌େର ତାଲା ପକାଇ ପରିବାର ସଦସ୍ୟ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେ‌ଳେ ଚୋର ଏହି କାଣ୍ଡ ଘଟାଇଛି। ଘରର ତାଲା ଭାଙ୍ଗି ଚୋରି କରିଛି। ଘରକୁ ଫେରିବା ପରେ ପ୍ରଫେସରଙ୍କ ପୁଅ ଖଣ୍ଡଗିରି ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା କରିଛି। ହେଲେ ଚୋରର ଟେର ପାଇନାହିଁ।

Advertisment

ବଡ଼କଥା ହେଉଛି ପ୍ରଫେସରଙ୍କ ପୁଅ ଦିଲ୍ଲୀରେ ଆଇଏଏସ୍‌ କୋଚିଂ ନେଉଛନ୍ତି। ଚୋରି ହୋଇଥିବା ଟ୍ୟାବ୍‌ଲେଟ୍‌ରେ ସେ ୫ ବର୍ଷ ପରିଶ୍ରମ କରି ତିଆରି କରିଥିବା ସମସ୍ତ ନୋଟ୍‌ସ୍‌ ରହିଛି। ଏହା ଚାଲିଯିବା ପରେ ତାଙ୍କର ସବୁ ପରିଶ୍ରମ ନଷ୍ଟ ହୋଇଯାଇଛି। ତାଙ୍କର ଭବିଷ୍ୟତ ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି। ସନ୍ଧ୍ୟା ସାଢ଼େ ୬ଟାରୁ ସାଢ଼େ ୮ଟା ଭିତରେ ଏହି କାଣ୍ଡ ଘଟିଛି। ଘଟଣା ସନ୍ଧ୍ୟା ସମ‌ୟରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଧ୍ୟାପକଙ୍କ ପରିବାରବର୍ଗ ତାଲା ପକାଇ ବାହାରକୁ ଯିବାର କେଇ ମୁହୂର୍ତ୍ତ ମଧ୍ୟରେ ଚୋର ପଶି କଳାକନା ବୁଲାଇବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ତଥା ଅନ୍ୟ ସରକାରୀ କ୍ବାର୍ଟର୍ସରେ ରହୁଥିବା ସରକାରୀ କର୍ମଚାରୀଙ୍କ ପରିବାରବର୍ଗ ଭୟଭୀତ ହୋଇ ପଡ଼ିଛନ୍ତି। ସରକାରୀ ଅଧିକାରୀଙ୍କୁ ପୁଲିସ ଯେଉଁଠି ସୁରକ୍ଷା ଦେଇପାରୁନି ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ବୋଲି ଚର୍ଚ୍ଚା ହେଉଛି।

ଓୟୁଏଟି ‌ପ୍ରାଣୀଧନ ବିଭାଗ ପ୍ରଫେସର ନିରଞ୍ଜନ ବାରିକ ସିବିଆଇ ରେସିଡେନ୍‌ସିଆଲ ଅଫିସ ସାମ୍ନାରେ କ୍ବାର୍ଟର ନମ୍ବର ୩ଆରଏଫ୍‌ ୬୨ରେ ସପରିବାର ରୁହନ୍ତି। ୨୫ ତାରିଖ ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟମାନେ ବାହାରକୁ ଯାଇଥିଲେ। ସନ୍ଧ୍ୟା ସାଢ଼େ ୬ଟା ବେଳେ ପୁଅ ଅନିମେଶ ଅବିନାଶ ତାଲା ପକାଇ ସ୍ଥାନୀୟ ମନ୍ଦିରକୁ ଆସିଥିଲେ। ସାଢ଼େ ୮ଟା ବେଳେ ସେ ଖାଇବା ନେଇଘରେ ପହଞ୍ଚିବା ବେଳକୁ ଘରର ତାଲା ଭଙ୍ଗାଥିବା ଦେଖିଥିଲେ। ଆଲମାରିରୁ ୧୦ଟି ମୁଦି, ୪ ଚୁଡ଼ି, ୨ଟି କଙ୍ଗଣ, ୪ଟି କାନଫୁଲ ଓ ଗୋଟିଏ ମଙ୍ଗଳସୂତ୍ର ଏଭଳି ସୁନାଗହଣା ଚୋରି ହୋଇଥିଲା। ସେହିଭଳି ଦିଲ୍ଲୀର ଶୁଭ୍ରରଞ୍ଜନ ଆଇଏଏସ୍‌ କୋଚିଂ ସେଣ୍ଟରରୁ ଅନିମେଶଙ୍କୁ ମିଳିଥିବା ଟ୍ୟାବ୍‌ ସହ ଦୁଇଟି ଆପଲ ଆଇ ଫୋନ୍‌ ଓ ୫ଟି ଅନ୍ୟ ମୋବାଇଲ ଫୋନ୍‌ ଚୋରି ହୋଇଛି। ଏକ ଲ୍ୟାପ୍‌ଟପ୍‌ ସହ ୫ ହଜାର ନଗଦ ଟଙ୍କା ମଧ୍ୟ ଚୋରି ହୋଇଛି। ସମସ୍ତ ଚୋରି ସାମଗ୍ରୀର ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି।