ଝରକା ତାଡ଼ି ଚୋରି, ଲକ୍ଷାଧିକ ଟଙ୍କାର ଗହଣା ନେଇଗଲେ

ଭୁବନେଶ୍ୱର : ସହିଦନଗର ଥାନା ଅନ୍ତର୍ଗତ କେଶୁରା ଅଞ୍ଚଳରୁ ଗତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଆଶୁତୋଷ ବିଚିତ୍ରାନନ୍ଦ ମହାପାତ୍ରଙ୍କ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ଗତ ରାତିରେ କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତମାନେ ୧୦ହଜାର ନଗଦ ଟଙ୍କା ସହ ୪୫ ଗ୍ରାମ୍‌ ଓଜନର ସୁନା ହାର, ୩୫ ଗ୍ରାମ୍‌ର ରାଣୀ ହାର, ୭ଗ୍ରାମ୍‌ର ସୁନା ଚେନ୍‌, ୩ ଗ୍ରାମ୍‌ର ଲକେଟ୍‌, ୨ଟି ମୁଦି, ୧୪ ଗ୍ରାମ୍‌ର ପେଣ୍ଡି, ୧୦ ଗ୍ରାମ୍‌ର ଚେନ୍‌ ସହ ଲକେଟ୍‌, ୧୦ ଗ୍ରାମ୍‌ର କାନ ଝରା ଚୋରି କରି ନେଇଛନ୍ତି। ଚୋରି ଗହଣାର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏ ସଂପର୍କରେ ଆଜି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ଲୁଟେରା କିମ୍ବା ଲୁଟ୍‌ ସାମଗ୍ରୀର ଟେର୍‌ ପାଇ ପାରିନାହିଁ। ବିଚିତ୍ରାନନ୍ଦଙ୍କ ବଡ଼ ପୁଅ ବିଶ୍ବରଂଜନ ଶୋଇଥିବା ରୁମ୍‌କୁ ଚୋରମାନେ ଟାର୍ଗେଟ୍‌ କରିଥିଲେ। ଦୁର୍ବୃତ୍ତମାନେ ସେହି ଘରର ଝରକା ତାଡ଼ି ଆଲମାରିରୁ ଉପରୋକ୍ତ ମୂଲ୍ୟବାନ୍‌ ଜିନିଷ ନେଇ ଯାଇଥିଲେ। ପରଦିନ ସକାଳେ ପୁଅ ଉଠିବାରେ ଡେରି ହେବାରୁ ପରିବାର‌ଲୋକେ କବାଟ ବାଡ଼େଇ ତାଙ୍କୁ ଡାକିଥିଲେ। ଅନେକ ସମୟ ଧରି ଡାକିବା ପରେ ବିଶ୍ବରଞ୍ଜନଙ୍କ ନିଦ ଭାଙ୍ଗିଥିଲା। ତେବେ ସେହି ଘରେ ଏକ ଟିସୁ ପେପର ପଡ଼ିଥିବା ଦେଖାଯାଇଥିଲା। ଦୁର୍ବୃତ୍ତମାନେ ଏହି ଟିସୁ ପେପର ଜରିଆରେ ନିଶା ଶୁଙ୍ଘାଇ ଚୋରି କରିଥିବା ଅନୁମାନ କରାଯାଉଛି। ଫଳରେ ଶବ୍ଦ ହେଲେ ମଧ୍ୟ ବିଶ୍ବରଞ୍ଜନଙ୍କ ନିଦ ଭାଙ୍ଗି ନାହିଁ। ବିଶ୍ବରଞ୍ଜନ ଦିଲ୍ଲୀରେ ସଫ୍ଟୱେର୍‌ ଇଞ୍ଜିନିୟର୍‌ ଅଛନ୍ତି। ରଜ ଛୁଟିରେ ସେ ଘରକୁ ଆସିଥିଲେ। ଏହି ଅଞ୍ଚଳରୁ ୨ଜଣ ଯୁବକ ବିଭିନ୍ନ ଚୋରି ମାମଲାରେ ପୂର୍ବରୁ ଜେଲ୍‌ ଯାଇ ଫେରିଥିବାରୁ ଏହି ଚୋରିରେ ସେମାନଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର