ଭୁବନେଶ୍ବର : ସ୍ଥାନୀୟ ପାସ୍ପୋର୍ଟ କାର୍ଯ୍ୟାଳୟ ନିକଟରେ ପାର୍କିଂ ହୋଇଥିବା ଏକ କାର୍କୁ ନକଲି ଚାବିରେ ଖୋଲି ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଚୋରିର ଶିକାର ହୋଇଛନ୍ତି ନିମାପଡ଼ା ତମ୍ପାଳର ରାଜେଶ ସ୍ବାଇଁ। କାର୍ ପାର୍କିଂ କରି ସେ ପାସ୍ପୋର୍ଟ ଅଫିସ ଭିତରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନା ମୁତାବକ, ରାଜେଶ ନୋଏଡାରେ ସଫ୍ଟୱେର ଇଞ୍ଜିନୟର ଅଛନ୍ତି। ବିଦେଶ ଯିବା ପାଇଁ ଯୋଜନା ଥିବାରୁ ସେ ପାସ୍ପୋର୍ଟ ଆବେଦନ ପାଇଁ ଆସିଥିଲେ। ତାଙ୍କ ସହ ସ୍ତ୍ରୀ, ଝିଅ, ପୁଅ ଓ ଭାଇ ରାକେଶ ଆସିଥିଲେ। ପାସ୍ପୋର୍ଟ ଅଫିସ୍ ଠାରୁ ୫୦ ମିଟର ଦୂରରେ ଗାଡ଼ି ପାର୍କିଂ କରି ରାଜେଶ ସ୍ତ୍ରୀ ଓ ପୁଅଙ୍କ ସହ ଅଫିସ୍ ଭିତରକୁ ଯାଇଥିଲେ। ଗାଡ଼ି ଭିତରେ ଝିଅ ଶୋଇଥିବା ବେଳେ ରାକେଶ ତାଙ୍କୁ ଜଗି ରହିଥିଲେ। କିଛି ସମୟ ପରେ ଝିଅ ଉଠିବାରୁ ସେ ତାଙ୍କୁ ନେଇ ଅଫିସ୍ ଭିତରକୁ ଯାଇଥିଲେ। ଆସି ଦେଖିବା ବେଳକୁ କାର୍ ଡୋର ଖୋଲାଥିବା ସହ ଭିତରେ ଭ୍ୟାନିଟି ନଥିଲା। କାର୍ରେ ଥିବା ରାଜେଶଙ୍କ ସ୍ତ୍ରୀଙ୍କ ଭ୍ୟାନିଟିରେ ୯ ଭରି ଓଜନର ସୁନା ଗହଣା ସମେତ ମୋବାଇଲ ଫୋନ୍, ଏଟିଏମ୍ କାର୍ଡ ଓ ୧ ହଜାର ଟଙ୍କା ଥିଲା। ଏ ନେଇ ରାଜେଶ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। କାର୍ ପାର୍କିଂ ଥିବା ସ୍ଥାନରେ ଏକ ସିସିଟିଭି ଥିଲେ ମଧ୍ୟ ତାହା ଅଚଳ ଥିବାରୁ ଅଭିୁଯୁକ୍ତ ଚିହ୍ନଟ କରିବାରେ ଅସୁବିଧା ହେଉଛି। ତେବେ ଚୋରି ମୋବାଇଲକୁ ଟ୍ରାକିଂ କରିବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି।