ସଟ୍‌ଡାଉନ୍‌ ବେଳେ କଟକରେ ଚାଞ୍ଚଲ୍ୟ : ଟେକିନେଲେ ୪୦ ଲକ୍ଷର ଅଳଙ୍କାର ଟ୍ରଙ୍କ୍

କଟକ : ସଟ୍‌ଡାଉନ୍‌ ବେଳେ କଟକ ସହରରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ଟ୍ରଙ୍କ୍‌ ଟେକିନେଇଛନ୍ତି। ପରିବାର ଲୋକେ ଶୋଇଥିବା ଘର କବାଟ ବାହାରପଟୁ ବନ୍ଦ କରି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ସଟ୍‌ଡାଉନ୍‌ରେ ସହରରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଥିବା ବେଳେ ଦୁର୍ବୃତ୍ତମାନେ କିଭଳି ଏତେ ବଡ଼ ଲୁଟ୍ ଘଟାଇଲେ, ସେ ନେଇ ପୁଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଶଗଡ଼ିଆସାହିର ମନୋଜ କୁମାର ସାହୁଙ୍କ ପରିବାର ଶନିବାର ରାତି ପ୍ରାୟ ୧୨ଟାରେ ଶୋଇବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘରର ପ୍ରଥମମହଲା ବାଲକୋନି ବାଟେ ଘର ଭିତରକୁ ପଶିଥିଲେ। ପ୍ରଥମ ମହଲାରେ ମନୋଜଙ୍କ ଭିଣୋଇ ଚୌଧୁରୀ ରବିନାରାୟଣ ମହାପାତ୍ର ଏବଂ ତାଙ୍କ ଡ୍ରାଇଭର ଶୋଇଥିବା ଘରକୁ ଦୁର୍ବୃତ୍ତ ବାହାରପଟୁ ବନ୍ଦ କରିଦେଇଥିଲେ। ପରେ ତଳମହଲାକୁ ଆସି ମନୋଜ ଏବଂ ତାଙ୍କ ସ୍ତ୍ରୀ ଶୋଇଥିବା ଘରକୁ ବାହାରପଟୁ ବନ୍ଦ କରିଥିଲେ। ତାଙ୍କ ମା’ ଓ ଭଉଣୀ ଯେଉଁଘରେ ଥିଲେ, ସେହି ଘରର ଖଟତଳେ ଏକ ଟ୍ରଙ୍କରେ ସୁନା ଅଳଙ୍କାର ଭର୍ତ୍ତି ଟିଣବାକ୍ସକୁ ଦୁର୍ବୃତ୍ତ ଟେକି ନେଇଥିଲେ। ବାକ୍ସରେ ଥିବା ୩୦ଟି ସୁନାମୁଦି, ୩ ହଳ ବାହୁଟି, ୪ଟି ସୁନାହାର, ୧୦ ହଳ ସୁନାଚେନ୍, ୮ ହଳ ସୁନା କାନଫୁଲ, ୪ ହଳ ସୁନାଚୁଡ଼ି, ଗୋଟିଏ ହଳ କଡ଼ା, ୩ଟି ସୁନା ଲକେଟ୍ ଚୋରି ହୋଇଛି। ସେହି ଟ୍ରଙ୍କରେ ଥିବା ୨ଲକ୍ଷ ଟଙ୍କା ବି ଚୋରି ହୋଇଛି। ସେହିପରି ପ୍ରଥମ ମହଲାରେ ଥିବା ଠାକୁରଘରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ୩ଟି ଚାନ୍ଦି ମୁକୁଟ ଓ ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ମନୋଜ ଘରର ଛାତ ଉପରକୁ ଯାଇ ଦେଖିବା ପରେ ଛାତତଳେ ଗୋଟିଏ ଚାନ୍ଦି ମୁକୁଟ ଏବଂ ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତି ପଡ଼ିଥିଲା। ତେବେ ପାଖାପାଖି ୭୦ ଭରି ସୁନା ଓ ଚାନ୍ଦି ଚୋରି ହୋଇଥିବା ପରିବାର ଲୋକେ ଆକଳନ କରୁଛନ୍ତି। ଚୋରି ଅଳଙ୍କାର ଏବଂ ଟଙ୍କାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଗଲା ଜାନୁଆରିରେ ମଧ୍ୟ ମନୋଜଙ୍କ ବେଡରୁମ୍‌ କପ୍‌ବୋର୍ଡ ଭାଙ୍ଗି ପାଖାପାଖି ୪୦ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା କୁହନ୍ତି ମନୋଜ। ତେବେ ଦ୍ବିତୀୟଥର ଏଭଳି ଚୋରି ଘରେ ହୋଇଥିବା ବେଳେ ପୁଲିସ ଘଟଣାକୁ ଗୁରୁତ୍ବର ସହିତ ନେଇଛି। ମନୋଜଙ୍କ ଅଭିଯୋଗ ଆଧାରରେ ଦଫା ୩୮୦ରେ ଏକ ମାମଲା(କେସ୍ ନଂ ୧୪୫/୨୦) ରୁଜୁ ହୋଇଛି। ଅଭିଯୋଗକାରୀଙ୍କ ସମ୍ପର୍କୀୟ ମାମୁପୁଅ ଭାଇ ଏଭଳି ଘଟଣା ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ଥାନା ଆଇଆଇସି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ପରିବାର ଲୋକେ ଯେଉଁ ଯୁବକଙ୍କୁ ସନ୍ଦେହ କରୁଛନ୍ତି, ସେ ନିଖୋଜ ଥିବା କୁହାଯାଉଛି। ସମ୍ପୃକ୍ତ ଯୁବକଙ୍କ ସହିତ ଅନ୍ୟ ସହଯୋଗୀ ବି ଚୋରିରେ ସାମିଲ ଥିବା ମନୋଜ ଏତଲାରେ ଦର୍ଶାଇ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର