ଖଣ୍ଡଗିରି: ଆଜି ଦିନ ଦିପହରରେ ଭରତପୁର ଥାନା ଅଞ୍ଚଳରେ ବଡ଼ଧରଣର ସିନ୍ଧିଚୋରି ହୋଇଥିବା ଅଭିଯୋଗ ହୋଇଛି। ନବବିବାହିତ ଦମ୍ପତି ଘରେ ନଥିବା ବେଳେ ଦୁର୍ବୃତ୍ତମାନେ ଘରର ତାଲା ତାଡ଼ି ପଶିବା ପରେ ଆଲ୍‌ମିରା ଭାଙ୍ଗି ଓଳେଇ ଦେଇଛନ୍ତି। ପ୍ରାୟ ୪୦୦ ଗ୍ରାମ୍‌ ଓଜନର ସୁନା ଗହଣା ଓ ନଗଦ ୫ଲକ୍ଷ ଟଙ୍କା ଚୋରି ହୋଇଥିବା ଏତଲାରେ ଦର୍ଶାଯାଇଛି। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛି ଏବଂ ସିସିଟିଭିରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି। 
ଖବର ଅନୁସାରେ ଦେବବ୍ରତ ମହାନ୍ତି ଜଣେ ବ୍ୟବସାୟୀ ଏବଂ ତାଙ୍କ ସ୍ତ୍ରୀ ଏକ ବ୍ୟାଙ୍କ୍‌ରେ ଚାକିରି କରନ୍ତି। କିଛି ମାସ ତଳେ ସେମାନଙ୍କର ବିବାହ ହୋଇଛି। ସେମାନେ ଏବେ ଖଣ୍ଡଗିରିବାରି ଅଞ୍ଚଳରେ ଭଡ଼ାଘରେ ରହୁଛନ୍ତି। ସବୁଦିନ ଭଳି ଆଜି ସକାଳ ୯ଟା ସମୟରେ ଏହି ଦମ୍ପତି ନିଜ ନିଜ କାମରେ ବାହାରି ଯାଇଥିଲେ। ଅପରାହ୍ଣରେ ସେମାନେ ଘରକୁ ଫେରିବା ବେଳେ କବାଟର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଘରୁ ଚୋରି ହୋଇଥିବା ସନ୍ଦେହ କରି ‌ଦେବବ୍ରତ ତୁରନ୍ତ ଥାନାକୁ ଫୋନ୍‌ କରିଥିଲେ। ପୁଲିସ ପହଞ୍ଚିବା ପରେ ସେମାନେ ଘର ଭିତରକୁ ଯାଇଥିଲେ ଏବଂ ଆଲ୍‌ମିରା ଭଙ୍ଗା ଯାଇଥିବା ଦେଖାଯାଇଥିଲା। ଆଲ୍‌ମିରାରେ କିଛି ବି ଜିନିଷପତ୍ର ନଥିଲା। ଗହଣା ବାକ୍ସ ସବୁ ଖୋଲା ହୋଇ ଚଟାଣରେ ପଡ଼ିଥିଲା। ଦେବବ୍ରତଙ୍କ ସୂଚନାନୁସାରେ ଆଲ୍‌ମିରାରେ ପ୍ରାୟ ୪୦୦ ଗ୍ରାମ୍‌ (୪୦ ଭରି)ଓଜନର ସୁନା ଗହଣା ଓ ନଗଦ ୫ ଲକ୍ଷ ଟଙ୍କା ଥିଲା। ଚୋରି ତରିକାରୁ ଅନୁମେୟ ଯେ କିଛି ଦିନ ହେଲା ଦୁର୍ବୃତ୍ତମାନେ ଏହି ଘରକୁ ରେକି କରିଥିଲେ।