ଭୁବନେଶ୍ବର: ଚଳିତ ସପ୍ତାହରେ ସୁନା ଦର ପାଖାପାଖି ୩୭୦୦ ଟଙ୍କା ମହଙ୍ଗା ହୋଇଛି। ଇଣ୍ଡିଆନ୍‌ ବୁଲିଅନ୍ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ୍‌ (ଆଇବିଜେଏ)ର ସୂଚନା ଅନୁଯାୟୀ, ଗତ ଶନିବାର ଅର୍ଥାତ ସେପ୍ଟେମ୍ବର ୨୭ରେ ଦେଶରେ ସୁନା ଦାମ୍‌ ୧,୧୩,୨୬୨ ଟଙ୍କା ଥିଲା। କିନ୍ତୁ ଚଳିତ ଶନିବାର (ଅକ୍ଟୋବର ୪) ଏହା ୧,୧୬,୯୫୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ ପ୍ରତି ୧୦ ଗ୍ରାମ୍‌ ସୁନା ଦାମ୍‌  ୩୬୯୨ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ରୁପା ଦାମ୍‌ ଗତ ଶନିବାର କିଲୋଗ୍ରାମ ପିଛା ୧,୩୮,୦୦୦ ଟଙ୍କା ଥିଲା। ଅକ୍ଟୋବର ୪ରେ ଏହା ୧,୪୫,୬୧୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ଚଳିତ ସପ୍ତାହରେ କିଲୋଗ୍ରାମ ପିଛା ରୁପା ଦର ୭୫୧୦ ଟଙ୍କା ମହଙ୍ଗା ହୋଇଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦର ୪୦,୭୯୨ ଟଙ୍କା ମହଙ୍ଗା ହୋଇଗଲାଣି। ୨୦୨୪ ଡିସେମ୍ବର ୩୧ରେ ୧୦ ଗ୍ରାମ୍‌ ପିଛା ସୁନା ଦର ୭୬,୧୬୨ ଟଙ୍କା ଥିଲା ବର୍ତ୍ତମାନ ଏହା ୧,୧୬,୯୫୪ ଟଙ୍କାରେ ପହଞ୍ଚିଛି। ସେହିଭଳି ରୁପା ଦର ୫୯,୫୯୩ ଟଙ୍କା ମହଙ୍ଗା ହୋଇଛି। ୨୦୨୪ ଡିସେମ୍ବର ୩୧ରେ କିଲୋଗ୍ରାମ ପିଛା ରୁପା ଦର ୮୬,୦୧୭ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧,୪୫,୬୧୦ ଟଙ୍କାରେ ପହଞ୍ଚିଛି। ଆଗାମୀ ଦିନରେ ସୁନା ଦର ଆହୁରି ବଢ଼ିବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି।

Advertisment

ଭୁବନେଶ୍ବରରେ ସୁନା ଦର ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୨ ହଜାର ଟଙ୍କା ବୃଦ୍ଧି ପାଇଛି। ବର୍ଷ ଆରମ୍ଭରେ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ସୁନା ଦର ୭୭ ହଜାର ୫୬୦ ଟଙ୍କା (୨୪ କ୍ୟାରେଟ୍‌) ଥିଲା। ସମ୍ପ୍ରତି ଏହା ୧ଲକ୍ଷ ୧୯ ହଜାର ୪୦୦ ଟଙ୍କା ଛୁଇଁଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ଚଳିତ ବର୍ଷ ଆରମ୍ଭରେ ୧୦ ଗ୍ରାମ୍‌କୁ ୭୧ ହଜାର ୧୧୦ ଟଙ୍କା ଥିବାବେଳେ ଏବେ ଏହା ୧ ଲକ୍ଷ ୯ ହଜାର ୪୫୦ ଟଙ୍କାରେ ପହଞ୍ଚିଛି। ଏହା ଉପରେ ଜିଏସ୍‌ଟି ୩ ପ୍ରତିଶତ ଓ ଗଢ଼ା ମଜୁରି ମିଶିବା ପରେ ଅଳଙ୍କାର କିଣିବା ସାଧାରଣ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଛି। ସୁନା ଦର ବୃଦ୍ଧିର ଏକାଧିକ କାରଣ ରହିଛି। ‌ଗୋଟିଏ ହେଲା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବହୁମାତ୍ରାରେ ସୁନା କିଣୁଛନ୍ତି। ଏହାର ପ୍ରଭାବ ଦର ଉପରେ ପଡ଼ୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ନୀତିକୁ ନେଇ ଅନିଶ୍ଚିତତା ସୁନା ଦର ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି।