ବିମାନବନ୍ଦରରୁ ପୁଣି ସୁନା ଜବତ, ଅଭିଯୁକ୍ତ ଅଟକ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି। ବ୍ୟାଙ୍କକକ୍‌ରୁ ଆସିଥିବା ୬୧୦ ଗ୍ରାମ୍‌ର ସୁନାକୁ ସିଆଇଏସ୍‌ଏଫ୍‌ ଜବତ କରିଥିବାବେଳେ ଏହାର ବଜାର ମୂଲ୍ୟ ୨୦ ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ଘଟଣାରେ ଅମରଜିତ୍‌ ସିଂହ ନାମକ ଜଣେ ଯାତ୍ରୀଙ୍କୁ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୪ଟାରେ ଅମରଜିତ୍‌ ବ୍ୟଙ୍କକକ୍‌ରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ‌ଭୋର ପ୍ରାୟ ୫ଟା ୧୫ରେ ନୂଆଦିଲ୍ଲୀ ଯାଇଥାଆନ୍ତେ। ବିମାନରେ ପ୍ରବେଶ ପୂର୍ବରୁ ଯାଞ୍ଚ ବେ‌ଳେ ତାଙ୍କ ପଗଡ଼ିରୁ ୨ଟି କଳା ରଙ୍ଗର ଟେପ୍‌ ଗୁଡ଼ା ହୋଇଥିବା ଧାତୁ ଜବତ କରାଯାଇଥିଲା। ଟେପ୍‌ ଖୋଲିବା ପରେ ତାହା ସୁନା ବିସ୍କୁଟ୍‌ ବୋଲି ଜଣାପଡ଼ିଥିଲା। ସିଆଇଏସ୍‌ଏଫ୍‌ କର୍ମଚାରୀ ସୁନା ଖଣ୍ଡକୁ ଜବତ କରିବା ସହ ଅମରଜିତଙ୍କୁ ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର