ସେମାନେ ରେସର୍ ନୁହନ୍ତି, କିନ୍ତୁ ବାଇକ୍ରେ ଲମ୍ବା ପଥ ଅତିକ୍ରମ କରିବା ସେମାନଙ୍କର ଏକ ଅଜବ ସଉକ। ପେସା ଭିନ୍ନ, ନିଶା କିନ୍ତୁ ହାର୍ଲି ଡେଭିଡସନ୍ରେ ସ୍ୱର୍ଣ୍ଣ ଚତୁର୍ଭୁଜକୁ ଲଙ୍ଘିଯିବା। ସୁପରବାଇକ୍ ରାଇଡ୍ରେ କେବଳ ଯେ ପୁରୁଷମାନେ ରେକର୍ଡ ରଚିବେ, ଏହି ଚିରାଚରିତ ଧାରାକୁ ଭାଙ୍ଗିବା ତାଙ୍କର ଲକ୍ଷ୍ୟ। ଖାସ୍ ଏହି ଉଦ୍ଦେଶ୍ୟ ନେଇ ଦେଶର ଭିନ୍ନ ଭିନ୍ନ ରାଜ୍ୟର ୭ ଜଣ ମହିଳା ଡାମନ୍ରୁ ଏପ୍ରିଲ୍ ୮ରୁ ଆରମ୍ଭ କରିଛନ୍ତି ଏହି ହାର୍ଲି ଡାଭିଡସନ୍ ରାଇଡ୍। ଅଲ୍ ଓମେନ୍ ହାର୍ଲି ଡେଭିଡସନ୍ ଚାପ୍ଟରର ‘ଲେଡିଜ୍ ଅଫ୍ ହାର୍ଲି’ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଫୁଲନଖରାସ୍ଥିତ ହାର୍ଲି ଡେଭିଡ୍ସନ୍ ସୋରୁମ୍ରେ ‘କୋଣାର୍କ ହାର୍ଲି ଡେଭିଡସନ୍’ ପକ୍ଷରୁ ସ୍ୱାଗତ କରାଯାଇଥିଲା।
ମହିଳାମାନେ ଚିରାଚରିତ ପାରମ୍ପରିକ ଧାରାରୁ ବିରତି ନେବାର ବେଳ ଆସିଛି। ଏହାର ଅର୍ଥ ନୁହେଁ ଯେ, ମହିଳାମାନେ ଘରେ ନିଜର କାମ କରିବେନି। ମାତ୍ର ପାରମ୍ପରିକ ଜୀବନରୁ ଦୂରେଇ ମହିଳାମାନେ ବି କିଛି କରି ଦେଖାଇବା ଉଚିତ୍ ବୋଲି ଡେରାଡୁନ୍ର ରାଇଡର୍ ଅନୁସ୍ରିୟା ଗୁଲାଟି କହିଛନ୍ତି। ‘ଭାରତ ମହିଳାଙ୍କ ପାଇଁ ନିରାପଦ ଦେଶ’ ବାର୍ତା ନେଇ ଏହି ମହିଳା ସୁପରବାଇକର୍ ରାଇଡ୍ କରୁଥିବା ବେଳେ ଅନ୍ୟ ମହିଳାମାନେ ବି ସୁପରବାଇକ୍ ନିର୍ଦ୍ୱନ୍ଦ୍ୱରେ ଚଳାଇ ପାରିବେ। ଏହା ପ୍ରମାଣିତ କରିବା ସହ ଅନ୍ୟ ମହିଳାଙ୍କୁ ପ୍ରେରିତ କରିବା ଆମର ଲକ୍ଷ୍ୟ ବୋଲି ୩୩ ବର୍ଷ ହେଲା ବାଇକ୍ ଚଳାଉଥିବା ସିର୍ଲି ଜର୍ଜ କହିଛନ୍ତି।
୧୪ ଦିନରେ ୬ ହଜାର କିଲୋମିଟର
୧୪ଦିନର ଯାତ୍ରାରେ ୬ହଜାର କିଲୋମିଟର ପରିମିତ ୧୨ଟି ସହରକୁ ଅତିକ୍ରମ କରି ଐତିହାସିକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ‘ଲେଡିଜ୍ ଅଫ୍ ହାର୍ଲି’। ଏହି ଯାତ୍ରା ମଧ୍ୟରେ ସେମାନେ ମୁମ୍ବାଇ-ଦିଲ୍ଲୀ-ଚେନ୍ନାଇ-କୋଲକାତା (ସ୍ୱର୍ଣ୍ଣ ଚତୁର୍ଭୁଜ)କୁ ନେଇଥିବା ବେଳେ ମୋଟ୍ ୧୨ଟି ସହରକୁ ଅତିକ୍ରମ କରିବେ। ଯାହା କି ବିଶ୍ୱର ୫ମ ଲମ୍ବା ଜାତୀୟ ରାଜପଥ। ଅଦ୍ୟାବଧି ୮ଦିନ ଅତିକ୍ରମ କରି ସାରିଥିବା ବେଳେ ଏପ୍ରିଲ୍ ୨୧ରେ ସେଇ ଡାମନ୍ଠାରେ ଶେଷ ହେବ। ପ୍ରତ୍ୟେକ ଦିନ ପରିପାର୍ଶ୍ୱିକ ପରିସ୍ଥିତି ଦେଖି ଦିନକୁ ୭ରୁ ୮ ଘଣ୍ଟା ମଧ୍ୟରେ ୫୦୦ କିଲୋମିଟର ଅତିକ୍ରମ କରିବାକୁ ପଡ଼ୁଛି ବୋଲି ଗ୍ରୁପ୍ର ନିର୍ଦେଶିକା ତଥା ପୁନେର ୪୩ ବର୍ଷୀୟ ସୁନିତା କୁଞ୍ଜିର୍ କହିଛନ୍ତି।
ପ୍ରତି ୧୦୦ କିମିରେ ଭିନ୍ନ ସଂସ୍କୃତିକୁ ଭେଟିଛୁ
ବିବିଧ ସଂସ୍କୃତି ଓ ପରମ୍ପରାର ଦେଶ ଭାରତର ଅନେକ ସହର ଅତିକ୍ରମ କରିସାରିଛୁ। ଏହା ମଧ୍ୟରେ ଭିନ୍ନଭିନ୍ନ ଭାଷା, ଖାଦ୍ୟ, ପରମ୍ପରା, ଚେହେରାଙ୍କୁ ଭେଟିଛୁ। ଯାହା ଏକ ନୂତନ ଉପଲବ୍ଧି ଦେଇଛି ବୋଲି ମୁମ୍ବାଇର ରାଇଡର୍ ସ୍ମିତା ମାଣ୍ଡେ କହିଛନ୍ତି। ଝିଅଟିଏ ନିଜକୁ ମାନସିକ ସ୍ତରରେ ମଜଭୁତ ଭାବିବା ଯେତିକି ମହତ୍ତ୍ୱପୂର୍ଣ୍ଣ ପରିବାରରେ ଗୋଟେ ଝିଅର ଇଚ୍ଛାକୁ ସମ୍ମାନ ଦେବା ସେତିକି ଜରୁରି ବୋଲି ବେଙ୍ଗାଲୁରୁର ରାଇଡର୍ କୃପା ରେଡ୍ଡୀ କହିଛନ୍ତି।
‘ନୋ ହେଲ୍ମେଟ୍, ନୋ ପେଟ୍ରୋଲ୍’ ମନକୁ ଛୁଇଁଲା
ବାଇକ୍ରେ ପେଟ୍ରୋଲ୍ ପକାଇବା ପାଇଁ ଏକ ପେଟ୍ରୋଲ୍ ପମ୍ପ୍ରେ ଅଟକିବା ପରେ ‘ନୋ ହେଲ୍ମେଟ୍, ନୋ ପେଟ୍ରୋଲ୍’ ଲେଖାଥିବା ଦେଖି ବହୁତ ଖୁସି ଲାଗିଲା ବୋଲି କହିଛନ୍ତି ବେଙ୍ଗାଲୁରୁର ପ୍ରବେଶିକା କୈଟାର୍। ଆମେ ଯେତେବେଳେ ଜାତୀୟ ରାଜପଥରେ ରାଇଡ୍ କରୁ ଅନେକ ଆମକୁ ରେସର୍ ଭାବି ଅତିକ୍ରମ କରିବାକୁ ଚେଷ୍ଟା କରନ୍ତି। ଆମର ବେଶ ଓ ଗାଡ଼ି ଚଳାଇବାର ଶୈଳୀ ଦେଖି ଅନେକ ପ୍ରତିଯୋଗୀପ୍ରବଣ ହୁଅନ୍ତି। ଅନେକ ଫଟୋ ଉଠାଇବାକୁ ବି ପସନ୍ଦ କରନ୍ତି। ଏହି ସମୟରେ ଜଣେ ବାଇକ୍ ରାଇଡର୍ ନିଜର ନିରାପତ୍ତା ପାଇଁ କିଭଳି ନିଜକୁ ହେଲ୍ମେଟ୍, ଜାକେଟ୍ ଓ ଅନ୍ୟ ଉପକରଣରେ ଢାଙ୍କିବ ସେ ବାବଦରେ ବାର୍ତା ଦେଉ ବୋଲି କହିଛନ୍ତି ଅହମ୍ମଦାବାଦ୍ର ଉର୍ବଶୀ ଦେଶାଇ।
ସ୍ୱର୍ଣ୍ଣ ଚତୁର୍ଭୁଜ:ଲଂଘିବେ ଲେଡିଜ୍ ଅଫ୍ ହାର୍ଲି
ମହିଳାଙ୍କ ପାଇଁ ଭାରତ ନିରାପଦ
/sambad/media/post_attachments/wp-content/uploads/2018/04/bike-rally.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)