ଦାର୍ଜିଲିଂରୁ ଧରାପଡ଼ିଲା ସୁନା ଚୋର; ୯୦୦ ଗ୍ରାମ୍‌ ସୁନା, ମୋବାଇଲ୍‌ ଓ ଟଙ୍କା ଜବତ

ୱାର୍କସପ୍‌ରୁ କେଜିଏ ଲୁଟିଥିଲା, ହୋଟେଲରେ ଅଏସ୍ କରୁଥିଲା

କଟକ : କଟକ ଫିରିଙ୍ଗ ବଜାରର ଏକ ସୁନା ୱାର୍କସପରୁ ୫୦ ଲକ୍ଷ ଟଙ୍କାର ଏକ କେଜି ସୁନା ଲୁଟି ନେଇ ଦାର୍ଜିଲିଂରେ ଅଏସ୍ କରୁଥିବା ଜଣେ ଦୁର୍ବୃତ୍ତକୁ ପୁଲିସ ଗିରଫ କରିଛି। ଦୁର୍ବୃତ୍ତ ହେଉଛି ସେହି ୱାର୍କସପ୍‌ର କର୍ମଚାରୀ। ପୁରୀଘାଟ ଥାନା ପୁଲିସ ପଶ୍ଚିମବଙ୍ଗ ଗରବେଟା ଅଞ୍ଚଳର ଅଭିଯୁକ୍ତ ସୁଶାନ୍ତ ରୁଇଦାସକୁ ଗିରଫ କରିଛି। ଦାର୍ଜିଲିଂରେ ଦାମୀ ହୋଟେଲରେ ଅଏସ କରୁଥିବା ସୁଶାନ୍ତକୁ ଧରିବା ସହିତ ତା ନିକଟରୁ ୯୦୦ ଗ୍ରାମରୁ ଅଧିକ ଓଜନର ସୁନା ଅଳଙ୍କାର ଜବତ କରିଛି। ଜବତ ଅଳଙ୍କାରର ମୂଲ୍ୟ ୪୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି। ସୁନା ସହିତ ନଗଦ ୧୪ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ପୁଲିସ ଜବତ କରିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ପଶ୍ଚିମ ମେଦିନପୁର ଗୌରବ ବଟା ଅଞ୍ଚଳର ସୁରଜିତ ଦତ୍ତଙ୍କ ପୁରୀଘାଟ ଫିରିଙ୍ଗବଜାରରେ ଏସ.ଏସ କଟିଂ ନାଁରେ ଏକ ଓ୍ବାର୍କସପ ରହିଛି। ତାଙ୍କ ୱାର୍କସପ୍‌ରେ ଗଲା ୮ ମାସ ହେବ ଗରବେଟା ଅଞ୍ଚଳର ସୁଶାନ୍ତ ରୁଇଦାସ କାମ କରୁଥିଲା। ଏହି ୱାର୍କସପରେ ମୁଖ୍ୟତଃ ସୁନା ଅଳଙ୍କାର ପଲିସ୍ କରାଯାଏ। ଗଲା ୪ ତାରିଖ ଭୋରୁ ସୁଶାନ୍ତ ୱାର୍କସପ୍‌ର ଲକର୍ ଭାଙ୍ଗି ଏକ କେଜି ୨୦୦ ଗ୍ରାମ ଅଳଙ୍କାର ଏବଂ ନଗଦ ୮ ହଜାର ଟଙ୍କା ଧରି ଫେରାର ହୋଇ ଯାଇଥିଲା। ଯିବା ପୂର୍ବରୁ ୱାର୍କସପ ବାହାର ପଟୁ ତାଲା ଦେଇଥିଲା। ୱାର୍କସପ୍ କର୍ମଚାରୀ ପୁରୀଘାଟ ଥାନା ପୁଲିସ ସହାୟତାରେ ବାହାରକୁ ବାହାରିବା ସହିତ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ।

ଥାନା ଆଇଆଇସି ଯତୀନ ସେଠୀଙ୍କ ନେତୃତ୍ବରେ ଏସଆଇ ମହେଶ୍ବର ବେହେରା, କନଷ୍ଟେବଳ ଡି.ନରେଶ୍ବର ରାଓ, ମନୋଜ ମହନ୍ତ ପ୍ରମୁଖ ସ୍ପେଶାଲ ସ୍କ୍ବାଡ୍ ସହାୟତାରେ ସୁଶାନ୍ତର ପିଛା କରିଥିଲେ। ସୁଶାନ୍ତ ୪ ତାରିଖରୁ ଭୋରୁ କଟକରୁ ବାହାରି ଭୁବନେଶ୍ବର ଆଡ଼କୁ ଯାଇଥିବା ମୋବାଇଲ୍ ଲୋକେସନ୍‌ରୁ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଟିମ୍ ମୋବାଇଲ୍ ଲୋକେସନ୍ ଆଧାରରେ ତାର ପିଛା କରିଥିଲା। କିନ୍ତୁ ଭୁବନେଶ୍ବର ପୂର୍ବରୁ ସୁଶାନ୍ତର ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଭୁବନେଶ୍ବରେ ହୋଟେଲରେ ଲୁଚିଥିବା ଆଶଙ୍କାରେ ପୁଲିସ ଭୁବନେଶ୍ବର ସହରର ପ୍ରାୟ ୩୦ଟି ହୋଟେଲରେ ଯାଞ୍ଚ କରିଥିଲା। ବାପୁଜୀନଗରରେ ଏକ ହୋଟେଲରେ ସୁଶାନ୍ତ ୪ ତାରିଖ ସନ୍ଧ୍ୟା ଯାଏ ଥିବା ଜଣାପଡ଼ିଥିଲା। ସୁଶାନ୍ତ ପୁଲିସକୁ ଭୂଆଁ ବୁଲାଇବା ପାଇଁ ୪ ତାରିଖ ସନ୍ଧ୍ୟାରେ ଯଦିଓ ବସ ଯୋଗେ କଲିକତା ଚାଲିଯାଇଥିଲା, କିନ୍ତୁ ୫ ତାରିଖ ଦିନ ୧୧ଟା ଯାଏ ହୋଟେଲ୍ ରୁମ ଚେକ୍ ଆଉଟ୍ କରି ନଥିଲା। କଲିକତାରେ ପହଞ୍ଚିବା ପରେ ୫ ତାରିଖ ଦିନ ପ୍ରାୟ ୧୧ଟା ବେଳେ ହୋଟେଲକୁ ଫୋନ୍ କରି ରୁମ୍ ଚେକ୍-ଆଉଟ୍ କରିଥିଲା। ପୁଲିସ ହୋଟେଲର ତଥ୍ୟ ଆଧାରରେ ତାକୁ ଧରିବାକୁ କଲିକତା ଆଡ଼କୁ ଯାଇଥିଲା। ସୁଶାନ୍ତ କଲିକତାରେ ପହଞ୍ଚିବା ପରେ ସେଠି ନିଜର ପୁରୁଣା ଫୋନ୍ ଓ ସିମ୍ କାର୍ଡ ଫିଙ୍ଗି ଦେଇଥିଲା। ମୋବାଇଲ୍ ଟ୍ରାକ୍ ଭୟରେ ସେଠି ଏକ ନୂଆ ମୋବାଇଲ୍ ଓ ସିମ୍ କାର୍ଡ କିଣିଥିଲା। କଲିକତାରୁ ଦାର୍ଜିଲିଂ ଚାଲି ଯାଇଥିଲା। ୬ ତାରିଖରେ ସେ ଦାର୍ଜିଲିଂରେ ଏକ ଦାମୀ ହୋଟେଲରେ ଥିବା ପୁଲିସ ମୋବାଇଲ୍ ଲୋକେସନରୁ ଜାଣିବାକୁ ପାଇଥିଲା। ସୁଶାନ୍ତ ନୂଆ ମୋବାଇଲରୁ ନିଜ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବାରୁ ଟ୍ରାକ୍ ହୋଇଥିଲା। ସେଠୁ ନଦିଆ ଜିଲ୍ଲାର ପୁଲେମ ଚାଲି ଆସିଥିଲା। ସେଠି ବି ଦୁଇ ଦିନ ହୋଟେଲରେ ରହିଥିଲା। ପୁଲେମରେ ରହିବା ସମୟରେ ଚୋରି କରିଥିବା ସୁନା ଅଳଙ୍କାରରୁ ୮ଟି ମୁଦି ବିକ୍ରି କରିଥିଲା। ପାଖାପାଖି ୨୦ ଗ୍ରାମ ସୁନା ମୁଦି ସେ ବିକ୍ରି କରିଥିଲା। ଗଲା ୧୧ ତାରିଖରେ ସୁଶାନ୍ତ ଚୋରି କରିଥିବା ସୁନା ଅଳଙ୍କାର ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରି ନେଇଥିଲା।

ପୁଲିସ ସୁଶାନ୍ତ ନିକଟରୁ ୪୦୧ଟି ପୁରୁଷ ସୁନା ମୁଦି ଜବତ କରିଛି। ଜବତ ମୁଦିର ଓଜନ ପାଖାପାଖି ୭୩୭.୯୮୦ ଗ୍ରାମ ହେବ। ଏହା ସହିତ ହଳେ ୨୪.୯୪୦ ଗ୍ରାମର ଚୁଡ୍, ୩୮ ପ୍ୟାକେଟ୍ ୧୩୭.୪୦ ଗ୍ରାମ ଓଜନର ସୁନା ଗୁଣ୍ଡ, ନଗଦ ୧୪ ହଜାର ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ତା ନିକଟରୁ ପୁଲିସ୍ ଜବତ କରିଛି।

ସମ୍ବନ୍ଧିତ ଖବର