ଭୁବନେଶ୍ବର: ମର୍ସିଡିସ୍ କାର୍ ଚଢ଼ି ବୁଲୁଥିଲା। ବେକରେ ମୋଟାମୋଟା ସୁନାଚେନ୍। ହାତରେ ଓଜନିଆ ବ୍ରେସ୍ଲେଟ୍ ସାଙ୍ଗକୁ ସବୁ ଆଙ୍ଗୁଠିରେ ମୁଦି। ସବୁବେଳେ ବ୍ରାଣ୍ଡ କମ୍ପାନିର ଡ୍ରେସ୍। ନିଜକୁ ଗୋଲ୍ଡ ଟ୍ରେଡର୍ ବୋଲି ପରିଚୟ ଦେଉଥିଲା। ହାଇ ରିଟର୍ଣ୍ଣ ଦେବାର ଲୋଭ ଦେଖାଇ ନିବେଶକଙ୍କୁ ତା’ ବ୍ୟବସାୟରେ ପୁଞ୍ଜି ଖଟାଇବାକୁ ପ୍ରବର୍ତ୍ତାଉଥିଲା। କିନ୍ତୁ ପରେ ଚୂନ ଲଗାଉଥିଲା। ଏମିତିରେ ରାଜଧାନୀରୁ ପ୍ରାୟ ୧୫କୋଟିରୁ ଊର୍ଧ୍ବ ଟଙ୍କା ଠକି ନେଇଥିବା ଜଣେ ହାଇ ପ୍ରୋଫାଇଲ୍ ଠକକୁ କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) ଗିରଫ କରିଛି। ସେ ହେଲା ଆଚାର୍ଯ୍ୟବିହାର ଅଞ୍ଚଳର ରମେଶ ଚନ୍ଦ୍ର ମାଝୀ(୩୫)। ତା’ଠାରୁ ପୁଲିସ ଏକ ମର୍ସିଡିସ୍ କାର୍ ଜବତ କରିଛି।
ହାଇପ୍ରୋଫାଇଲ୍ ଠକକୁ ବାନ୍ଧିଲା ଏସ୍ସିୟୁ
ସ୍କାନର୍ରେ ଧୂର୍ତ୍ତ ରମେଶର ପତ୍ନୀ
ମର୍ସିଡିସ୍ କାର୍ ଜବତ
ପୁଲିସ ସୂଚନା ମୁତାବକ ୨୦୨୨ ମସିହାରେ ବାପୁନ ବେହେରା ଧୂର୍ତ୍ତ ରମେଶକୁ ନେଇ ଷ୍ଟେର୍ୱେ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ଭୋଳାନାଥ ମହାନ୍ତିଙ୍କ ସହ ପରିଚୟ କରାଇଥିଲା। ରମେଶ ନିଜକୁ ଜଣେ ଗୋଲ୍ଡ ଟ୍ରେଡର୍ ବୋଲି କହିଥିଲା ଏବଂ ପୁଞ୍ଜି ନିବେଶ କରିବାକୁ ଲୋଭ ଦେଖାଇଥିଲା। ବାର୍ଷିକ ୨୦% ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଲୋଭ ଦେଖାଇଥିଲେ। ରମେଶ କଥାରେ ଭାସିଯାଇ ଭୋଳାନାଥ ୨୦୨୨ରୁ ୨୦୨୩ ମସିହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୫କୋଟି ୬୦ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ହାତେଇବା ପରେ ଧୂର୍ତ୍ତ ରମେଶ ଗାଏବ ହୋଇଯାଇଥିଲା। ଏମିତିକି ସେ ଭଡ଼ାରେ ରହୁଥିବା ନୂଆପଲ୍ଲୀସ୍ଥିତ କ୍ରିଷ୍ଣାପ୍ଲାଜା ଫ୍ଲାଟ୍ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲା। ମୋବାଇଲ୍ ବନ୍ଦ କରିବା ସହ ନମ୍ବର ବଦଳାଇ ଦେଇଥିଲା। ଏନେଇ ଭୋଳାନାଥ ଏସ୍ସିୟୁରେ ଅଭିଯୋଗ କରିଥିଲେ। ମଙ୍ଗଳବାର ରାତିରେ ପୁଲିସ ଠକ ରମେଶକୁ ଗିରଫ କରିଥିଲା। ଏପର୍ଯ୍ୟନ୍ତ ତା’ ନାଁରେ ୨୫ରୁ ଅଧିକ ନିବେଶକ ଅଭିଯୋଗ କରିସାରିଛନ୍ତି ଏବଂ ସେ ପାଖାପାଖି ୧୫କୋଟି ଟଙ୍କା ଠକିଥିବା ଜଣାପଡ଼ିଛି।
ସହଯୋଗ କରୁଥିଲେ ପତ୍ନୀ
ଧୂର୍ତ୍ତ ରମେଶକୁ ଠକାମିରେ ବେଶ୍ ସହଯୋଗ କରୁଥିଲେ ରମେଶଙ୍କ ପତ୍ନୀ। ରମେଶ ଯେଉଁଠି ଡିଲ୍ କରୁଥିଲା, ସେଠାକୁ ସାଙ୍ଗରେ ପତ୍ନୀଙ୍କୁ ନେଉଥିଲା। ତେଣୁ ଠକେଇ ପଛରେ ପତ୍ନୀଙ୍କ ପ୍ରମୁଖ ଭୂମିକା ଥିବା ପୁଲିସ ସନ୍ଦେହ କରିଛି। ତେଣୁ ସେ ବି ପୁଲିସ ସ୍କାନର୍ରେ ରହିଛନ୍ତି। ଦରକାର ପଡ଼ିଲେ, ତାଙ୍କୁ ଖୁବ୍ଶୀଘ୍ର ଜେରା କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
କଲେଜ୍ ରାଜନୀତିରୁ ପ୍ରେମବିବାହ
ରମେଶ କିଛିଦିନ ଧରି ରାଜନୀତିରେ ସକ୍ରିୟ ଥିଲା। ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ ଛାତ୍ର ରାଜନୀତି କରୁଥିଲା। ବିଶେଷକରି ସେ ଏକ ମହିଳା କଲେଜ୍ରେ ବେଶ ସକ୍ରିୟ ଥିଲା। ଯେଉଁ ଯୁବତୀଙ୍କୁ ଭଲପାଉଥିଲା, ତାଙ୍କୁ ଉକ୍ତ କଲେଜ୍ରୁ ସାଧାରଣ ସମ୍ପାଦିକା ଭାବେ ଜିତାଇବାରେ ରମେଶର ପ୍ରମୁଖ ଭୂମିକା ଥିଲା। ଏହାପରେ ସେମାନଙ୍କ ବିବାହ ହୋଇଥିଲା।
ରାଜନେତା ଲିଙ୍କ୍, ରିମାଣ୍ଡରେ ଆସିବ
ଠକ ରମେଶ ପଛରେ କିଛି ରାଜନେତାଙ୍କ ହାତ ଥିବା ଜଣାପଡ଼ିଛି। ରମେଶ ଓ ତାଙ୍କ ପତ୍ନୀଙ୍କ ସହ କିଛି ରାଜନେତାଙ୍କ ଫଟୋ ଭାଇରାଲ୍ ହେଉଛି। ଏସବୁର ଗୁମର ଖୋଲିବା ପାଇଁ ପୁଲିସ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି।