ଭୁବନେଶ୍ୱର ବିମାନ ବନ୍ଦରରୁ ୯ ଲକ୍ଷ ଟଙ୍କାର ସୁନା ଜବତ, ତାମିଲନାଡୁର ଯାତ୍ରୀ ଅଟକ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୧୫ ଗ୍ରାମ ସୁନା ଜବତ ହୋଇଥିବା ଜଣାପଡ଼ିଛି। ସୀମା ଶୁଲ୍କ ବିଭାଗ ପକ୍ଷରୁ ଅତର୍କିତ ଭାବେ ଜଣେ ଯାତ୍ରୀଙ୍କ ଉପରେ ଚଢ଼ାଉ କରି ଏହାକୁ ଜବତ କରାଯାଇଥିବା ଜଣାଯାଇଛି। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୮ ଲକ୍ଷ ୯୧ ହଜାର ୫୦୬ ଟଙ୍କା ହେବ। ଘଟଣା ସହିତ ଜଡ଼ିତ ଜଣେ ତାମିଲନାଡୁର ଯାତ୍ରୀଙ୍କୁ ଅଟକ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ତାମିଲନାଡୁର ମଦୁରାଇ ଅଞ୍ଚଳର ଜଣେ ଯାତ୍ରୀ କ୍ୱାଲାଲୁମ୍ପୁର ଏୟାର ଏସିଆ (ନଂ ଏକେ-୩୧)ରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ଗତ ୧୭ ତାରିଖ ରାତି ୯ଟାରେ ପହଞ୍ଚି ଥିଲା। ତେବେ, ପୂର୍ବରୁ ବିମାନରେ ଜଣେ ଯାତ୍ରୀ ୨୧୫.୬୦୦ ଗ୍ରାମ ସୁନା ନେଇ ଆସିଥିବା ସୀମା ଶୁଲ୍କ ବିଭାଗକୁ ସୂଚନା ମିଳିଥିଲା।

ଭୁବନେଶ୍ୱରରେ ବିମାନ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ଯାତ୍ରୀଙ୍କ ବ୍ୟାଗେଜ୍‌ ଓ ହାତ ବ୍ୟାଗ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବ୍ୟାଗରୁ ୪୮ ଖଣ୍ଡ ସୁନା ମିଳିଥିଲା। ୯୯.୯% ଶୁଦ୍ଧ ବିଦେଶୀ ସୁନା ଆଣିବା ପାଇଁ ଯାତ୍ରୀଙ୍କ ନିକଟରେ ଆବଶ୍ୟକୀୟ ବିଲ୍‌ ନଥିବାରୁ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ ବିଜୁ ପଟ୍ଟନାୟକ ବିବାନ ବନ୍ଦରରୁ ସୁନା ଜବତ ହେବା ଘଟଣା ନୁଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ମାଲେସିଆରୁ ଭୁବନେଶ୍ୱର ଆସୁଥିବା ବିମାନ ଯାତ୍ରୀଙ୍କ ଠାରୁ ସୁନା ଜବତ ହୋଇଛି। ମାଲେସିଆରୁ ସୁନା ନେଇ ଭୁବନେଶ୍ୱରରେ ପହଞ୍ଚି ଖସିଯିବା ଯାତ୍ରୀମାନେ ସହଜ ମନେ କରୁଛନ୍ତି।

ସମ୍ବନ୍ଧିତ ଖବର