ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର କଷ୍ଟମ ବିଭାଗ ଗୁରୁବାର ଏକ କେଜିରୁ ଅଧିକ ସୁନା ଜବତ କରିଛି। ଜବତ ହୋଇଥିବା ସୁନାର ମୂଲ୍ୟ ୫୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
କ୍ୱାଲାଲୁମ୍ପୁରଠାରୁ ଭୁବନେଶ୍ୱର ଆସୁଥିବା ଜଣେ ଯାତ୍ରୀ ବେଆଇନ ଭାବେ ସୁନା ନେଇ ଆସିଥିବା କଷ୍ଟମ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବିମାନ ପହଂଚିବା ପରେ ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ବିମାନ ଯାତ୍ରୀ କେରଳର କୋଝିକୋଡ଼ ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ୧ କିଲୋ ୩ ଶହ ୧୦ ଗ୍ରାମ ସୁନା ଜବତ ହୋଇଛି। ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମସ୍ ବିଭାଗ ଅଟକ ରଖି ପଚରାଉଚରା କରୁଛି।
ବିଦେଶରୁ ସୁନା ନେଇ ଭାରତ ଫେରିବାକୁ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଚାଲାଣକାରୀମାନେ ସହଜ ମନେ କରୁଛନ୍ତି। ଅତୀତରେ ବହୁ ଥର ଏହି ବିମାନବନ୍ଦରରେ ସୁନା ଚାଲାଣକାରୀମାନେ ଧରାପଡ଼ିଛନ୍ତି। ଗତ ଏପ୍ରିଲ ୪ରେ ୨୩ ଲକ୍ଷ ୮୯ ହଜାର ୭୯୯ ଟଙ୍କାର ସୁନା ଜବତ ହୋଇଥିବା ବେଳେ ମାର୍ଚ୍ଚ ୩ରେ ଜଣେ ମହିଳା ଯାତ୍ରୀଙ୍କ ଠାରୁ ୭୦୭ ଗ୍ରାମ ସୁନା ଜବତ ହୋଇଥିଲା, ଯାହାର ମୂଲ୍ୟ ୨୪ ଲକ୍ଷ ଟଙ୍କା ଥିଲା।