ଭୁବନେଶ୍ୱର: ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍ଡେନ୍ ବାବାର ଆଜି ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟକୁ ଇଓଡବ୍ଲୁ ଅଚଳ କରିଛି। ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏହି ଆକାଉଣ୍ଟ ମଧ୍ୟରୁ ଗୋଟିଏ ଜ୍ୟୋତି ଟ୍ରେଡିଂ ଆଣ୍ଡ କୋ’ନାଁରେ ରହିଛି। ଏଥିରେ ମୋଟ ୫୧ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ରିମାଣ୍ଡ ସମୟରେ ଜେରାରୁ ମିଳିଥିବା ତଥ୍ୟ ମୁତାବକ ଏହି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ମଧ୍ୟ କେତେକ ବ୍ୟାଙ୍କ୍ ଆକାଉଣ୍ଟ ସହ ଫିକ୍ସଡ୍ ଡିପୋଜିଟ୍ ଉପରେ ଇଓଡବ୍ଲୁ ନଜର ପକାଇଛି। ଏହା ସହିତ କେତେକ ଅସ୍ଥାବର ସମ୍ପତ୍ତି ମଧ୍ୟ ଆକଳନ କରାଯାଇଛି। ଏଗୁଡ଼ିକୁ ଜବତ କରିବା ପ୍ରକ୍ରିୟା ଆରମ୍ଭ ହେଉଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସେ ଅନେକ ସମ୍ପତ୍ତି ମାଡ଼ି ବସିଥିବା ଚର୍ଚ୍ଚା ହେଉଛି। ଜମିର ମାଲିକ ଅଭିଯୋଗ କରିବା ପାଇଁ ସାହସ ଜୁଟାଇ ପାରୁ ନଥିଲେ। ଏବେ ଇଓଡବ୍ଲୁ ସମ୍ପତ୍ତି ଜବତ କରିବା ଆରମ୍ଭ କରିଥିବାରୁ କେତେକ ଜମି ମାଲିକ ଅଭିଯୋଗ କରିବା ପାଇଁ ଆଗଭର ହୋଇଛନ୍ତି। ତଦନ୍ତରେ କେତେକ ଜମି ମାଲିକଙ୍କୁ ମଧ୍ୟ ଇଓଡବ୍ଲୁ ଠାବ କରିଛି। ଅନ୍ୟପଟେ ବାବା ବାର୍ଷିକ ହଜାରେ କୋଟିର କାରବାର ହେଉଥିବାର ନକଲି କାଗଜପତ୍ର ପ୍ରସ୍ତୁତ କରିଥିବା ଇଓଡବ୍ଲୁ ଜାଣି ପାରିଛି। ଏହି ନକଲି କାଗଜପତ୍ର ବଳରେ ବଡ଼ ବଡ଼ ବ୍ୟବସାୟୀଙ୍କୁ ଫସାଇ ଋଣ ଯୋଗାଇ ଦେବା ଆଳରେ ଆଡ୍ଭାନ୍ସ ତାରିଖ ଥିବା ଚେକ୍ ସଂଗ୍ରହ କରି ତାରିଖ ପୂର୍ବରୁ ଟଙ୍କା ଉଠାଇ ନେବାକୁ ଚକ୍ରାନ୍ତ କରିଥାଏ। ଏଭଳି କୋଟି କୋଟି ଟଙ୍କା ଠକିନେବାକୁ ପ୍ରସ୍ତୁତ ହୋଇଥିବା ଶତାଧିକ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ତେବେ ଜବତ ହୋଇଥିବା ଟଙ୍କା ଓ ସେ ଖୋଲିଥିବା ସଂସ୍ଥାର ରୋଜଗାରକୁ ନେଇ ମେଳକ କରାଯିବ। ଠକେଇ ହୋଇଥିବା ଜଣାପଡ଼ିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ପୁରୀର ଜଣେ ବ୍ୟବସାୟୀଙ୍କୁ ଋଣ କରାଇଦେବାକୁ କହି ଆଡ୍ଭାନ୍ସ୍ ଚେକ୍ ଆଣିଥିଲା। ଏଥିରୁ ଗୋଟିଏରୁ ତାରିଖ ପୂର୍ବରୁ ମୋଟାଅଙ୍କାର ଅର୍ଥ ଉଠାଇ ନେଇଥିଲା। ହେଲେ ସମ୍ପୃକ୍ତ ବ୍ୟକ୍ତି ବାବାକୁ ଧରିବା ସହ ରାଜନୈତିକ ଚାପ ପକାଇବାରୁ ସେ ଟଙ୍କା ଫେରାଇ ଦେଇଥିଲା। କିନ୍ତୁ ଏ ବାବଦରେ ଅଭିଯୋଗ ନଥିବାରୁ ଏହା ତଦନ୍ତ ପରିସରଭୁକ୍ତ ହୋଇ ପାରୁନାହିଁ। ଏଭଳି ଅନେକ ମାମଲା ରହିଛି। ଯେଉଁଥିରେ ବାବା ଠକିବା ପରେ ମଧ୍ୟ ବିପଦ ଆଶଙ୍କା କରି ଅର୍ଥ ଫେରାଇ ଦେଇଛି। ଲକ୍ଷ୍ମୀସାଗର ଥାନା ଓ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ଯେଉଁ ଦୁଇଟି ମାମଲା ଇଓଡବ୍ଲୁ ନେଇଛି ଏଥିରେ ବାବା ମୋଟ ୧୬ କୋଟି ୫୪ ଲକ୍ଷ ଟଙ୍କା ଠକି ନେଇଥିବା ପ୍ରମାଣ ରହିଛି। ଅନ୍ୟପଟେ ଅନ୍ୟାନ୍ୟ ଅସ୍ଥାବର ସମ୍ପତ୍ତି ମଧ୍ୟ ନିଜ ନାମରେ ବାବା କରିନାହିଁ ବୋଲି ଜଣାପଡ଼ିଛି। ନିଜେ ଉପଭୋଗ କରୁଥିଲେ ମଧ୍ୟ ଚତୁରତାର ସହ ଏହାକୁ ଡିଲ କରିଛି। ତେବେ ପୁଲିସଠାରୁ ଇଓଡବ୍ଲୁ ସଂଗ୍ରହ କରିଥିବା ବାବାର ଡାଏରି ମଧ୍ୟ ଅନେକ ତଥ୍ୟ ପ୍ରଦାନ କରିଛି। ଏଥିରୁ କେତେକ ବଡ଼ବଡ଼ିଆଙ୍କୁ ଜେରା ହୋଇ ପାରେ ବୋଲି ଚର୍ଚା ହେଉଛି।
ଗୋଲ୍ଡେନ୍ ବାବାର ୨ ଆକାଉଣ୍ଟ ଅଚଳ
/sambad/media/post_attachments/wp-content/uploads/2019/01/golden-baba-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)