ଗୋଲ୍‌ଡେନ୍‌ ବାବାର ୨ ସହଯୋଗୀ ଅଟକ, କେୟାର ଟେକର ଛୁ!

ଭୁବନେଶ୍ବର: ଗୋଲ୍‌ଡେନ୍ ବାବା ଓରଫ ଜ୍ୟୋତିରଂଜନ ବେଉରା ମାମଲାର ତଦନ୍ତ ଭାର ନେଇଛି ଇଓଡବ୍ଲୁ। ୧.୫କେଜି ସୁନା ସହ ପାଖାପାଖି ୧୦୦ କୋଟି ହେରଫେରର ତଦନ୍ତ ଇଓଡବ୍ଲୁ କରୁଥିବା ବ‌େଳେ ଏପଟେ କମିସନରେଟ୍‌ ପୁଲିସ ମଧ୍ୟ ଚଳାଇଛି ଛାନ୍‌ଭିନ୍‌। କମିସନରେଟ୍‌ ପୁଲିସର ଛାନ୍‌ଭିନ୍‌ ବେଳେ କେତେକ ରୋଚକ ତଥ୍ୟ ପଦାକୁ ଆସିଛି। ବାବାର ଦୁଇ ସହଯୋଗୀଙ୍କୁ ପୁଲିସ ଅଟକ ରଖିଥିବା ବେଳେ ନୀଳାଦ୍ରି ବିହାର ଓ କଳାରାହାଙ୍ଗରେ ଥିବା ବାବାର ଦୁଇ ଘରେ ତାଲା ପଡ଼ିଛି। ଏଠାକାର ଦୁଇ କେୟାର ଟେକର ମଧ୍ୟ ଛୁ ମାରିଛନ୍ତି। ପୁଲିସର ଖୋଳତାଡ଼ର ସୂଚନା ପାଇ ସେମାନେ ଫେରାର ହୋଇଯାଇଥିବା କୁହାଯାଉଛି। ‌ଅନ୍ୟପଟେ ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣେ ବାବାର ଗ୍ଲାମର୍‌ ଦୁନିଆରେ ପ୍ରଭାବ ବିସ୍ତାର କରିବାରେ ସହଯୋଗ କରୁଥିବା ଜଣାପଡ଼ିଛି। ତାଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆସିବା ବୋଲି ପୁଲିସ ଆଶା ବାନ୍ଧିଛି। ଅନ୍ୟ ଏକ ବଡ଼ କଥା ହେଉଛି ଅଟକ ଅଭିଯୁକ୍ତଙ୍କ ନିକଟରୁ ଏକ ସୌଖୀନ କାର୍‌ ଠାବ କରାଯାଇଛି। ଯେଉଁ ଗାଡ଼ି ସହ ବାବାର ଅନେକ ଫଟୋ ରହିଛି। ସେହିଭଳି ଏକ ନିର୍ଦ୍ଦିଷ୍ଟ ଜାଗାକୁ ବାବା ନିୟମିତ ଯାଉଥିବା ସହଯୋଗୀଙ୍କଠାରୁ ଜଣାପଡ଼ିଛି। ସେଠାରେ କିଏ ରହୁଥିଲେ, ବାବାର କଣ ସମ୍ପର୍କ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। କିନ୍ତୁ ରାଜନୀତି ସମ୍ପର୍କ ନେଇ ଖୋଳତାଡ଼ ହୋଇନାହିଁ। ଛାତ୍ର କଂଗ୍ରେସଠାରୁ ଆରମ୍ଭ କରି ବିଜେପି ପର୍ଯ୍ୟନ୍ତ ଏହି ରାଜନୈତିକ ଲିଙ୍କ୍‌ର ଖୋଳତାଡ଼ ପାଇଁ ଦାବି କରୁଥିଲେ ଏ ଦିଗରେ ପୁଲିସର ତଦନ୍ତ ଆରମ୍ଭ ହୋଇ ନାହିଁ। ଏଥିରେ ଶାସକ ଦଳର ନେତାଙ୍କର ସମ୍ପୃକ୍ତି ଥିବାରୁ ଏପରି କରାଯାଉଥିବା ଅଭିଯୋଗ ହେଉଛି। ସହରରେ ଥିବା ସମସ୍ତ ହୋର୍ଡିଂ ହଟାଯାଉଥିବା ବେଳେ ସୋସିଆଲ ମିଡିଆରେ ରହିଥିବା ସମସ୍ତ ଫଟୋ ମଧ୍ୟ ଉଭାନ୍‌ ହୋଇଯାଉଛି। ନେତାମାନେ ଏବେ ବିଭିନ୍ନ ସୋସିଆଲ ମିଡିଆରେ ବାବାର ଆକାଉଣ୍ଟ ଘାଣ୍ଟୁଛନ୍ତି। କେତେକ କାର୍ଯ୍ୟକ୍ରମରେ ବାବାଙ୍କ ସହ ନେତା ନାଚୁଥିବା ଫଟୋ ସୋସିଆଲ ମିଡିଆରେ ରହିଥିଲେ ମଧ୍ୟ ସେଗୁଡ଼ିକୁ ଗତକାଲି ହଟାଇ ନିଆଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ୨ ଦିନିଆ ରିମାଣ୍ଡ‌ ସରିବା ପରେ କମିସନରେଟ୍‌ ପୁଲିସ ବାବାକୁ ପୁନଶ୍ଚ କୋର୍ଟରେ ହାଜର କରାଇଥିଲା। ଏହା ପରେ ଇଓଡବ୍ଲୁ ତଦନ୍ତ ଭାର ନେଇଥିଲା।

ସମ୍ବନ୍ଧିତ ଖବର