ଭୁବନେଶ୍ବର: ଦୁଇ ଦିନିଆ କମିସନ୍ରେଟ୍ ପୁଲିସ ରିମାଣ୍ଡରେ ଯାଇଥିବା ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ଆଜି ଝାରପଡ଼ା ଜେଲ୍ ଫେରିଛି। ଆଜି ତାକୁ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡ ବେଳେ ସେ ପୁଲିସକୁ ଭୁଆଁ ଭୁଲାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ କମିସନରେଟ୍ ପୁଲିସ ବାବାଙ୍କର କଳା କାର୍ନାମାର ବହୁ ତଥ୍ୟ ହାସଲ କରିଛି। ଏକ ଘରୋଇ ସଂସ୍ଥାରେ ବାବା ସଞ୍ଚିତ ରଖିଥିବା ୧.୫କେଜିର ସୁନା ଜବତ ହୋଇଥିବା ବେଳେ ବିଭିନ୍ନ ଉପାୟରେ ‘ବାବା’ ପାଖାପାଖି ୧.୨୦କୋଟି ଟଙ୍କା ହେରଫେର୍ କରିଥିବା ପୁଲିସ ଆକଳନ କରିଛି। ବିମୁଦ୍ରୀକରଣ ସମୟରେ କଳାଧନକୁ ଧଳା କରିବା ପାଇଁ ଅଡ଼ୁଆରେ ପଡ଼ିଥିବା ଅନେକ ବଡ଼ବଡ଼ିଆଙ୍କୁ ମଧ୍ୟ ବାବା ସହାୟତା କରିଥିବା ପୁଲିସ ଜାଣିବାକୁ ପାଇଛି। ସେହିପରି କେତେକ ବନ୍ଧୁଙ୍କ ନାମରେ ବାବା କିଣିଥିବା କୋଟି କୋଟି ଟଙ୍କାର ଜମିକୁ ମଧ୍ୟ ପୁଲିସ ଠାବ କରିଛି। ଶ୍ବଶୁର ଘରଙ୍କ ସଂପର୍କୀୟଙ୍କ ନାମରେ ମଧ୍ୟ ବାବା କିଛି ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି। ଖାଲି ସେତିକି ନୁହେଁ, ‘ବାବା’ଙ୍କଠାରୁ କେତେକ ନେତା ଓ ସାମ୍ବାଦିକ ବେଶ୍ ମୋଟା ଅଙ୍କରେ ଅର୍ଥ ନେଇଛନ୍ତି। ତେଣୁ ତା’ଠାରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଏବେ ସେହି ସାମ୍ବାଦିକ ଓ ରାଜନେତାଙ୍କୁ ଗିରଫ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି।
ସୂଚନାଯୋଗ୍ୟ, ୨ ତାରିଖ ଦିନ ଗୋଲଡେନ୍ ବାବାକୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ କମିସନରେଟ୍ ପୁଲିସ କୋର୍ଟରେ ଆବେଦନ କରଥିଲା। କିନ୍ତୁ ପୁଲିସକୁ ମାତ୍ର ଦୁଇ ଦିନ ପାଇଁ ଅନୁମତି ମିଳିଥିଲା। ଝାରପଡ଼ା ଜେଲ୍ରୁ ବାବାକୁ ଅଣାଯାଇ ଏକ ଗୁପ୍ତ ସ୍ଥାନରେ ବାବାଙ୍କୁ ପଚରାଉଚରା କରାଯାଇଥିଲା। ପ୍ରଥମେ ପ୍ରଥମେ ବାବା ପୁଲିସକୁ ସଠିକ୍ ଉତ୍ତର ନ ଦେଇ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲା। ତା’ର କେବଳ ଏକ୍ସପୋର୍ଟ ବ୍ୟବସାୟ ଅଛି, ଜମିବାଡ଼ି କିଣାବିକାରେ କିଛି କମିସନ, ଫିଲ୍ମରେ ମଧ୍ୟ କିଛି ପଇସା ଲାଗିଛି ବୋଲି ସେ କହିଥିଲା। ହେଲେ ପରବର୍ତ୍ତୀ ସମୟରେ ସେ ସତ ଉଗାଳିଥିଲା। ଅନ୍ୟପଟେ ଗୋଲଡେନ୍ ବାବାର କିଛି ସହଯୋଗୀଙ୍କୁ ପୁଲିସ ଉଠାଇ ନେଇ ପଚରାଉଚରା କରିଛି। ଗୋଲଡେନ୍ ବାବା ଯାହା ଉତ୍ତର ରଖିଛନ୍ତି, ସେଥିରେ ସତ୍ୟତା ଅଛି କି ନାହିଁ, ତାଙ୍କ ସହଯୋଗୀଙ୍କଠାରୁ ନିଶ୍ଚିତ କରାଯାଉଥିଲା। ଏହି ପଚରା ଉଚରାରୁ ଆସିଥିବା ରାଜନେତା, ସମାଜସେବୀ, ସାମ୍ବାଦିକ ଓ କେତେକ ଅପରାଧୀ ଏବେ ପୁଲିସର ଟାର୍ଗେଟରେ ଅଛନ୍ତି। ଅପରପକ୍ଷେ କ୍ୟାମେରାମ୍ୟାନ୍ରୁ କୋଟିପତି ସାଜିଥିବା ଗୋଲଡେନ୍ ବାବା ଗିରଫ ହେବା ପରେ ତାକୁ ଛାଡ଼ିଦେବା ପାଇଁ ପୁଲିସ ଉପରେ ଯେଉଁ ରାଜନେତା ଚାପ ପକାଉଥିଲେ, ସେମାନେ ଏବେ ପ୍ରମାଦ ଗଣୁଛନ୍ତି।