ଗୋ‌ଲଡେନ୍‌ ବାବା ସମ୍ପତ୍ତି ହଜାରେ କୋଟି!

ଭୁବନେଶ୍ୱର : ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍‌ଡେନ୍ ବାବାର ସମ୍ପତ୍ତି ହଜାରେ କୋଟି! ଗୋଟିଏ ଦିନ ରିମାଣ୍ଡ କାଳରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏଭଳି ତଥ୍ୟ ପାଇଥିବା ନେଇ ଚର୍ଚ୍ଚା ହେଉଛି। ଋଣ କରାଇ ଦେବାପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସଂସ୍ଥାଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଏହି ଦିନିକିଆ ରିମାଣ୍ଡରୁ ଜଣାପଡ଼ିଛି। କାଗଜପତ୍ର ନକଲ କରି ଦୁବାଇ, ସିଙ୍ଗାପୁର ଓ ଡର୍ବାନ୍‌ରେ ଜମି ଥିବା ଦର୍ଶାଇ ଏଭଳି ମୋଟା ଅଙ୍କରେ ଠକେଇ କରିଛି। ନିଜସ୍ବ ଖଣି ଥିବା ସହ ବାର୍ଷିକ କାରବାର ୩ହଜାର କୋଟି ବୋଲି ନକଲି କାଗଜପତ୍ର ପ୍ରସ୍ତୁତ କରିଛି। ଏଭଳି ଦର୍ଶାଇ ହାଇଦ୍ରାବାଦ୍‌, ମହାରାଷ୍ଟ୍ର, ଭୁବନେଶ୍ବରର ବଡ଼ବଡ଼ ଅନୁଷ୍ଠାନର ବିଶ୍ବାସ ଜିତିବା ସହ ସେମାନଙ୍କଠାରୁ ଅର୍ଥ ସଂଗ୍ରହ କରିଛି। ଏକ ଘରୋଇ ହସ୍‌ପିଟାଲକୁ ୨ଶହ କୋଟି ଟଙ୍କାର ଋଣ ଯୋଗାଇ ଦେବା ପାଇଁ ଚୁକ୍ତି କରିଥିବା ବେଳେ ସେଥିପାଇଁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରିଥିବା ପ୍ରମାଣ ମିଳିଥିବା ନେଇ ଚର୍ଚ୍ଚା ହେଉଛି। ସମସ୍ତ କାରବାର କେବଳ ନକଲି କାଗଜପତ୍ର ବଳରେ ହୋଇଛି। ଏ ସବୁ ଅତି ଚତୁରତାର ସହ ଜଣା ନପଡ଼ିବା ଭଳି ପ୍ରସ୍ତୁତ କରାଯାଇଛି। ଯାହା ବଳରେ ବଡ଼ ବଡ଼ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଶିଳ୍ପପତି ଧୋକା ଖାଇ ଯାଇଛନ୍ତି। ଏ ସବୁ ବୁଦ୍ଧିର ଖେଳ ବାବା ଏକୁଟିଆ କରିନାହିଁ, ବରଂ ତାଙ୍କୁ ଏଥିପାଇଁ ଜଣେ ବିଶିଷ୍ଟ ଆକାଉଣ୍ଟାଣ୍ଟ ପ୍ରଚ୍ଛଦପଟ୍ଟରେ ରହି ସହଯୋଗ କରିଛନ୍ତି। ଯୁବକଙ୍କ ସମର୍ଥନ ଯୁଟାଇବାକୁ କେତେକ ଅନୁଷ୍ଠାନକୁ ବାବା ଆକୁଣ୍ଠ ଚିତ୍ତରେ ଆର୍ଥିକ ସହାୟତା ପ୍ରଦାନ କରିଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା, ଯୁବକଙ୍କୁ ନେଇ ମଉଜ ମଜଲିସରେ ବାବା ସର୍ବାଧିକ ଅର୍ଥ ଖର୍ଚ୍ଚ କରିଛି। ଆସିଥିବା ଅର୍ଥ ଓ ଖର୍ଚ୍ଚକୁ ‌ନେଇ ଖୋଳତାଡ଼ ହେବା ସହ ସବୁ ଭାଗୀଦାର ତଦନ୍ତ ପରିସରକୁ ଆସିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର