ଭୁବନେଶ୍ବର: ବହୁ ଦିନ ଧରି କମିସନରେଟ୍ ପୁଲିସ ପାଇଁ ୱାଣ୍ଟେଡ୍ ତାଲିକାରେ ଥିବା ଗୋଲ୍ଡେନ୍ ଗ୍ୟାଙ୍ଗ୍ ଶେଷରେ ଧରାପଡ଼ିଛି। ଗତକାଲି ବରମୁଣ୍ଡା ଖେଳପଡ଼ିଆରେ ଏକାଠି ହୋଇ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ଏହି ଗ୍ୟାଙ୍ଗ୍ର ୫ଜଣଙ୍କୁ କାବୁ କରିଛି। କିନ୍ତୁ ଜଣେ ଖସି ପଳାଇଛି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ୍ ମୁଖିଆ ଖଣ୍ଡଗିରି ଯଦୁପୁର ଅଞ୍ଚଳର ସେକ୍ ଅବିଦ୍ ଓରଫ ଗୋଲ୍ଡେନ୍(୩୦), ଡୁମୁଡୁମା ସୁବାସନଗର ବସ୍ତିର ସୁକାନ୍ତ ମହାରଣା(୩୨), କଟକ ନିଶ୍ଚିତକୋଇଲି ଅଞ୍ଚଳର ଦୀପକ ଜେନା, ଜଟଣୀ ଥାନା ବାଛେରା ଅଞ୍ଚଳର ରଂଜିତ କୁମାର ଘଡ଼େଇ ଓରଫ ଚନ୍ଦୁ(୨୪) ଓ ଖୁଦୁପୁର ଅଞ୍ଚଳର କାହ୍ନା ଦାସ(୩୦)। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା, ଛୁରି, ୨ଧାରୁଆ କ୍ରାଙ୍କ୍ କଟୁରି, ରଡ୍, ୨ଟି ସ୍କୁଟି ଓ ୨ହଜାର ଟଙ୍କା ଜବତ କରିଛି। ଫେରାର୍ ଡକାୟତକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଡକାୟତି ପୂର୍ବରୁ ୫ଙ୍କୁ ମାଡ଼ିବସିଲେ
ପିସ୍ତଲ, ଖଣ୍ଡା, ୨ଧାରୁଆ କ୍ରାଙ୍କ୍ କଟୁରି, ଛୁରି ଜବତ
ଜେଲ୍ରୁ ଗଠିତ ହୋଇଥିବା ଏହି ଗ୍ୟାଙ୍ଗ୍ ଡକାୟତି, ଚୋରି, ନିଶା କାରବାର ଭଳି ଯାବତୀୟ ଅପରାଧ ଘଟାଇ ପୁଲିସର ନିଦ ହଜାଇଥିଲା। ଏମିତିକି ଏମାନେ ୧୬ନମ୍ବର ଜାତୀୟ ରାଜପଥରେ ମଧ୍ୟ ଛିନ୍ତାଇ କରୁଥିଲେ। ଏହି ଗ୍ୟାଙ୍ଗ୍ର ଚେର ଜଟଣୀ, ଖୋର୍ଦ୍ଧା, ଭୁବନେଶ୍ବର ଓ ରାଜଧାନୀ ଉପକଣ୍ଠ ପର୍ଯ୍ୟନ୍ତ ଲମ୍ବିଥିଲା। ଏମିତିକି ଏମାନେ କେନ୍ଦ୍ରାପଡ଼ା ଓ କଟକ ସଦର ଅଞ୍ଚଳରେ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଜଣାପଡ଼ିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ୟାଙ୍ଗ୍ର ୬ଜଣ ବରମୁଣ୍ଡା ଖେଳପଡ଼ିଆ ନିକଟ ଏକ ଅନ୍ଧାରିଆ ସ୍ଥାନରେ ବସି ମଦ ପିଉଥିଲେ। ଆଇଆଇସି ଅଭିମନ୍ୟୁ ଦାସଙ୍କ ନେତୃତ୍ବରେ ଗଠିତ ୨ଟି ଟିମ୍ ସେଠାରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଥାନାକୁ ନେଇ ଯାଞ୍ଚ କରିବା ପରେ କାହ୍ନା ନିକଟରୁ ବନ୍ଧୁକ ଓ ଅନ୍ୟମାନଙ୍କ ନିକଟରୁ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଥିଲା। ସେମାନେ ଡକାୟତି କରିବାକୁ ଯୋଜନା କରୁଥିଲେ ବୋଲି ମାନିଥିଲେ। ପୁଲିସ ସୂଚନାନୁସାରେ ଗୋଲ୍ଡେନ୍ ନାଁରେ ସର୍ବାଧିକ ୧୦ଟି ମାମଲା ରହିଛି। ସେହିଭଳି ସୁକାନ୍ତ ନାଁରେ ୪ଟି, ଦୀପକ ନାଁରେ ଗୋଟିଏ, ଚନ୍ଦୁ ଓ କାହ୍ନା ନାଁରେ ୨ଟି ଲେଖାଏଁ ଅପରାଧିକ ମାମଲା ରହିଛି।
ଗଞ୍ଜେଇ ମାଫିଆର ବନ୍ଧୁକ ରଖିଥିଲା କାହ୍ନା
୩ବର୍ଷ ହେବ କାହ୍ନା ନିଜ ପାଖରେ ବନ୍ଧୁକ ରଖି ଅପରାଧ ଘଟାଉଥିଲା। ଖୋର୍ଦ୍ଧାର ଜଣେ ଗଞ୍ଜେଇ ମାଫିଆ ତାକୁ ଏହି ବନ୍ଧୁକ ଦେଇଥିଲା। ସେତେବେଳେ କାହ୍ନା ଓ ଗଞ୍ଜେଇ ମାଫିଆ ଏକାଠି ନିଶା କାରବାର କରୁଥିଲେ। ସେତେବେଳେ କାହ୍ନା ଥିଲା ନିଶା ମାଫିଆର ଡାହାଣ ହାତ। ୨ବର୍ଷ ତଳେ ନିଶା ମାଫିଆର ମୃତ୍ୟୁ ହୋଇଥିଲା ଏବଂ ସେବେଠୁ କାହ୍ନା, ଗୋଲ୍ଡେନ୍ ଗ୍ୟାଙ୍ଗ୍ରେ ମିଶି ଡକାୟତି କରୁଥିଲା।