ଭୁବନେଶ୍ୱର: ‘ମାତୃଭୂମି ଓ ମାତୃଭାଷା ପରିବାର’ର ସୁବର୍ଣ୍ଣ କବିତା ଆସର ଓ ସାରସ୍ୱତ ଯଜ୍ଞ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଶିଷ୍ଟ ବ୍ୟାକରଣବିତ୍ ପ୍ରଫେସର ସିନିରୁଦ୍ଧ ଦାଶ ଉଦ୍‌ଘାଟନ କରିଥିଲେ। ଏଥିରେ ଓଡ଼ିଶାର ୧୮ଟି ଜିଲ୍ଲାରୁ ୩୫ ଜଣ କବି ଦେଶାତ୍ମବୋଧ କବିତା ପାଠ କରିଥିଲେ। ସେହିପରି ବିଶିଷ୍ଟ ପାଲା ସାହିତ୍ୟ ଗବେଷକ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ପର୍ବ  ‘ସାରସ୍ୱତ ଯଜ୍ଞ’ରେ ନାଇଜର୍‌ର ପ୍ରଶାସକ ଅଭୟ କୁମାର ନାୟକ, ବାବାଜୀ ସନତ ସୁଜାତାନନ୍ଦ ଦାସ, ରାଜଯୋଗିନୀ ଦୁର୍ଗେଶନନ୍ଦିନୀ ଭଉଣୀ ପ୍ରମୁଖ ଯୋଗଦେଇ ସାହିତ୍ୟ ସାଧନା ଅନବରତ ହେବା ଆବଶ୍ୟକ ବୋଲି କହିଥିଲେ। ଏଥିସହିତ ବର୍ତ୍ତମାନର ଲେଖକମାନେ କାଳଜୟୀ ରଚନା ସୃଷ୍ଟି କରିବାକୁ ଚେଷ୍ଟିତ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ୧୦୦ଟି ଶ୍ରେଷ୍ଠ କବିତାକୁ ନେଇ ‘ସମକାଳୀନ ଓଡ଼ିଆ କବିତାର ସୁବର୍ଣ୍ଣ ଶତକ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଭାଷାବିତ୍ ଦେବାଶିଷ ମହାପାତ୍ର ଏହାର ସମୀକ୍ଷା କରିଥିଲେ। ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳ ଅନୁଷ୍ଠାନ ତରଫରୁ ପ୍ରାକ୍ କଥନ ରଖିଥିଲେ। କାର୍ଯ୍ୟକ୍ରମରେ କବୟିତ୍ରୀ ଶୁଭ୍ରସୀମା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କାଶୀନାଥ ପଣ୍ଡା ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଛାତ୍ର ପ୍ରତ୍ୟୁଷ କୁମାର ବେଦମନ୍ତ୍ର ପାଠ କରିଥିଲା ବେଳେ କଣ୍ଠଶିଳ୍ପୀ ପ୍ରଦୀପ୍ତ ସୁନ୍ଦର ମହାରଣା ଭକ୍ତି ବନ୍ଦନା ଗାନ କରିଥିଲେ।