ଭୁବନେଶ୍ବର: ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଚଳଚ୍ଚିତ୍ର ତଥା ଟେଲିଭିଜନ୍ ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେଲିବ୍ରିଟି ଆର୍ଟିଷ୍ଟ କାଟାଗୋରିରେ ଦୁବାଇ (ୟୁଏଇ) ସରକାରଙ୍କ ଦ୍ୱାରା ଗୋଲ୍ଡେନ ଭିସା ପ୍ରଦାନ କରାଯାଇଛି।
ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ମାଲାୟଲମ୍ ଭାଷାରେ ୩୩ଟି ଚଳଚ୍ଚିତ୍ରର ସେ ଜଣେ ସଫଳ ପ୍ରଯୋଜକ। ଓଡ଼ିଶାର ନିଜର ସବୁଠାରୁ ବଡ଼ ଘରୋଇ ଷ୍ଟୁଡିଓରେ ଏକ ଦଶନ୍ଧି ଧରି ୭ହଜାରରୁ ଅଧିକ ଟେଲିଭିଜନ୍ ଏପିସୋଡ୍ କରିବା ସହ ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପରିଜାଙ୍କୁ ଶାହରୁଖ ଖାନ୍, ମୋହନଲାଲ, ମାମୁଟି, ସୁନୀଲ ସେଟ୍ଟୀ, ସୋନୁ ନିଗମ ପରି ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ସମକକ୍ଷ ଏହି ଭିସା ପ୍ରଦାନ କରାଯାଇଥିବାରୁ ଏହା ରାଜ୍ୟ ପାଇଁ ସମ୍ମାନ ତଥା ଗୌରବର ବିଷୟ। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଶ୍ରୀ ପରିଜା ୨ଟି ଜାତୀୟ ପୁରସ୍କାର, ୪୩ଟି ରାଜ୍ୟ ପୁରସ୍କାର ଓ ୧୬ଟି ଅନ୍ତର୍ଜାତୀୟ ପୁରସ୍କାର ପାଇ ସାରିଛନ୍ତି।