ବସ୍ତିର ବିକଶିତ ଶିଶୁ ବିକାଶ, ରାସ୍ତାରୁ ପାଇ ୫୦ ହଜାର ଟଙ୍କା ଫେରାଇ‌ଲା

ଖଣ୍ଡଗିରି: ବସ୍ତିପିଲାଙ୍କୁ ନେଇ ସାଧାରଣରେ ପ୍ରାୟତଃ ଭିନ୍ନ ଧାରଣା ଥାଏ। କିନ୍ତୁ ବସ୍ତିର ସେହି ଗରିବ ପିଲାଙ୍କ ହୃଦୟରେ ବି ଅମାପ ମାନବୀୟ ଗୁଣ ରହିଛି। ଗରିବ ହେଲେ ବି ସେମାନଙ୍କ ଭିତରେ ମଣିଷପଣିଆ ଭରି ରହିଛି। ସେମାନେ ବି ଲୋଭ ମୋହରୁ ବହୁ ଊର୍ଦ୍ଧ୍ବରେ। ଏଭଳି ଏକ ଉଦାହରଣ ହେଉଛନ୍ତି ସ୍ଥାନୀୟ ଖଣ୍ଡଗିରିବାରୀ ବସ୍ତିର ସୀମାଞ୍ଚଳ ବେହେରାଙ୍କ ସାନ ପୁଅ ବିକାଶ ବେହେରା। ସ୍ଥାନୀୟ ଆଇଗିଣିଆ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ବିକାଶ ଏଭଳି ଏକ କାମ କରିଛନ୍ତି ଯେ ଯାହାକୁ ନେଇ ଘାଟିକିଆ, ଖଣ୍ଡଗିରିବାରୀ, କୋଳଥିଆ ଓ ଆଇଗିଣିଆ ଅଞ୍ଚଳରେ ସେ ଏବେ ବେଶ୍ ପ୍ରଶଂସାର ପାତ୍ର। ରାସ୍ତାରୁ ପାଇଥିବା ୫୦ ହଜାର ଟଙ୍କାକୁ ସେ ତାଙ୍କ ମା’ ଙ୍କ ସହଯୋଗରେ ହଜେଇଥିବା ଲୋକକୁ ଫେରାଇ ଦେଇଥିବାରୁ ସ୍ଥାନୀୟ ଲୋ‌କେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।

ଘଟଣାଟି ଏମିତି…
ସବୁଦିନ ଭଳି ଗତ ୬ ତାରିଖ ସକାଳୁ ବିକାଶ ଓ ତା’ର କିଛି ସାଙ୍ଗ ସ୍ଥାନୀୟ ଆର୍‌ଏସ୍‌ଏସ୍‌ ଶାଖାରୁ ପ୍ରାତଃ ଯୋଗଭ୍ୟାସ ସାରି ଘରକୁ ଫେରୁଥିଲେ। ଜୟଦେବ ବାଟିକା କୋଳଥିଆ ରାସ୍ତାରୁ ଘାଟିକିଆ ଗାଁ ଆଡ଼କୁ ଲମ୍ବିଥିବା ରାସ୍ତା ଛକରେ ପଡ଼ିଥିବା ଏକ ପର୍ସ ବିକାଶଙ୍କ ଆଖିରେ ପଡ଼ିଥିଲା। ବିକାଶ ପର୍ସଟିକୁ ଉଠାଇ ଦେଖିବା ବେଳେ ଭିତରେ ୨ ହଜାର ଟଙ୍କିଆ ନୋଟ୍‌ ବିଡ଼ା(୨୫ଖଣ୍ଡ) ଥିବା ଦେଖିବାକୁ ପାଇଥିଲେ। ସାଙ୍ଗମାନେ କିଛି କହିବା ପୂର୍ବରୁ ବିକାଶ ଘରକୁ ଧାଇଁ ଯାଇଥିଲା ଓ ସିଧାସଳଖ ମା’ ପ୍ରମିଳା ବେହେରାଙ୍କୁ ପର୍ସଟି ବଢ଼ାଇଦେବା ସହ ମୁହଁ ଶୁଖାଇ ଥକା ମାରି ବସି ପଡ଼ିଥିଲା। ପ୍ରମିଳା ପର୍ସ‌ରେ ଏତେଗୁଡ଼ାଏ ଟଙ୍କା ଦେଖି ଆବାକ୍ ହୋଇଯାଇଥିଲେ। ବାଷ୍ପରୁଦ୍ଧ କଣ୍ଠରେ ବିକାଶ ପର୍ସ ହଜାଇଥିବା ଲୋକର ଅବସ୍ଥା କ’ଣ ହେଉଥିବ ବୋଲି ମା’ଙ୍କୁ ପ୍ରଶ୍ନ କରିଥିଲେ। ପୁଅର କଥା ଶୁଣି ପ୍ରମିଳାଙ୍କ ଆଖିରେ ଲୁହ ଆସି ଯାଇଥିଲା ଓ ସେ ତୁରନ୍ତ ପର୍ସ ଖୋଲି କାଗଜପତ୍ର ବାହାର କରିଥିଲେ। ସେଥିରେ ଏଟିଏମ୍‌ କାର୍ଡ, ଆଧାରକାର୍ଡ ଓ ଭିଜିଟିଂ କାର୍ଡ ଆଦି ଥିଲା। ପର୍ସ ହଜାଇଥିବା ଯୁବକଙ୍କ ପରିଚୟ ଓ ମୋବାଇଲ୍‌ ନମ୍ବର ପାଇବାରେ ପ୍ରମିଳାଙ୍କୁ ସମସ୍ୟା ହୋଇ ନଥିଲା। ଉକ୍ତ ଯୁବକ ଥିଲେ ଘାଟିକିଆ ଗାଁର ରାଜକିଶୋର ବଳବନ୍ତରାୟ ଓରଫ୍‌ ରାଜେଶ। ତୁରନ୍ତ ପ୍ରମିଳା ତାଙ୍କୁ ଫୋନ୍‌ କରି ଜଣାଇଥିଲେ ଓ ମାତ୍ର କେଇ ମିନିଟ୍‌ ମଧ୍ୟରେ ଘାଟିକିଆରୁ ବିକାଶଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଥିଲା। ଉଲ୍ଲେଖଯୋଗ୍ୟ ଯେ ରାଜେଶଙ୍କ ଅସୁସ୍ଥ ମା’ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ। ସେ ଏହି ଟଙ୍କା ସେଇଥିପାଇଁ ରଖିଥିଲେ। ଟଙ୍କା ହଜିବା ପରେ ରାଜେଶଙ୍କ ମୁଣ୍ଡ ଘୂରି ଯାଇଥିଲା। କିନ୍ତୁ ଟଙ୍କା ମିଳିଛି ବୋଲି ପ୍ରମିଳାଙ୍କ ଫୋନ୍‌ ପାଇବା ପରେ ସେ ପ୍ରଥମେ ନିଜକୁ ବିଶ୍ବାସ କରିପାରିନଥିଲେ। ପୁଣି ପ୍ରମିଳାଙ୍କ ଆର୍ଥିକ ଅବସ୍ଥା ଦେଖିବା ପରେ ସେ ଆହୁରି ଚକିତ ହୋଇପଡ଼ିଥିଲେ। ବିକାଶକୁ ମିଠା ଖୁଆଇବା ସହ ପୁରସ୍କୃତ କରିବାକୁ ରାଜେଶ ଭୁଲିନଥିଲେ। ସେହିଭଳି ସ୍ଥାନୀୟ ଲୋକେ ମଧ୍ୟ ବିକାଶକୁ ଖାରବେଳ ପାର୍କରେ ସମ୍ବର୍ଧିତ କରିଛନ୍ତି।

ସମ୍ବନ୍ଧିତ ଖବର