ଡ୍ରେନ୍‌ କାରସାଦି: ଭଲ ଭାଙ୍ଗି ନୂଆ ନିର୍ମାଣ, ନିଜ ଦୋଷ ଲୁଚାଇବାକୁ କୋଟି କୋଟି ଖର୍ଚ୍ଚ କରୁଛନ୍ତି

ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ବିରୋଧରେ ମୁଖ୍ୟ ସଚିବଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ବର: ରାଜଧାନୀରେ ଏବେ ବିଭିନ୍ନ ସ୍ଥାନରେ ପୁରୁଣା ଡ୍ରେନ୍‌କୁ ଅଧା ଭାଙ୍ଗି ନୂଆ ଡ୍ରେନ୍‌ ନିର୍ମାଣ କରାଯାଉଛି। ପୂର୍ତ୍ତ ବିଭାଗ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୁରୁଣା ଡ୍ରେନ୍‌ର ସ୍ଲାବ୍‌ ଭାଙ୍ଗି ଡ୍ରେନ୍‌କୁ ରାସ୍ତା ଠାରୁ ପ୍ରାୟ ୧ ଫୁଟ ଉଚ୍ଚା କରୁଛି। ଡ୍ରେନ୍‌ ଉପରେ ସ୍ଲାବ୍‌ ବଦଳରେ କଙ୍କ୍ରିଟ ଢଳେଇ ପଡ଼ୁଛି। ପ୍ରାୟ ୧୦ଫୁଟ ଦୂରରେ ଗୋଟିଏ ଲେଖାଏଁ ସ୍ଲାବ୍‌ ପଡ଼ୁଛି। ଏହିଭଳି ଢଙ୍ଗରେ ପୂର୍ତ୍ତ ବିଭାଗ ଗତ କିଛି ବର୍ଷ ମଧ୍ୟରେ ଯେଉଁ ‌ସବୁ ଡ୍ରେନ୍‌ ନିର୍ମାଣ କରିଥିଲା ସେଗୁଡ଼ିକୁ ଭାଙ୍ଗି ଏବେ ନୂଆ ଡ୍ରେନ୍‌ ନିର୍ମାଣ କରୁଛି। କରୋନା ମହାମାରୀ ପାଇଁ ନୂଆ ପ୍ରକଳ୍ପ କାମ ଉପରେ ରାଜ୍ୟ ସରକାର ରୋକ୍‌ ଲଗାଇଛନ୍ତି। ଠିକ୍‌ ଏହି ସମୟରେ ପୂର୍ତ୍ତ ବିଭାଗର କିଛି ଡିଭିଜନ୍‌ ସ୍ତରରେ କିନ୍ତୁ ଭଲ ଡ୍ରେନ୍‌ଗୁଡ଼ିକୁ ଭାଙ୍ଗି ନୂଆ ଡ୍ରେନ୍‌ ନିର୍ମାଣ କରାଯାଉଛି। କେତେକ ସ୍ଥାନରେ ତ ଡ୍ରେନ୍‌ ଉପରେ ଟାଇଲ୍‌ ପକାଯାଉଛି। ଲୋକ ଚାଲିବାକୁ ବାଟ ନାହିଁ କିନ୍ତୁ ଫୁଟପାଥ୍ କହି ଟାଇଲ୍‌ ପକା ଚାଲିଛି। ପୂ୍ର୍ତ୍ତ ବିଭାଗରେ ଚାଲିଥିବା ଏହି ଡ୍ରେନ୍‌ କାରସାଦି ନେଇ ସାଧାରଣରେ ଅସନ୍ତୋଷ ବଢ଼ିଲାଣି। ଯାହା ନୀଳାଦ୍ରିବିହାର ଅଞ୍ଚଳରେ ଦେଖିବାକୁ ମିଳିଛି।

ନୀଳାଦ୍ରିବିହାର ଅଞ୍ଚଳରେ ଏବେ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୩ ପକ୍ଷରୁ ପୁରୁଣା ଡ୍ରେନ୍‌ ଭାଙ୍ଗି ନୂଆ ଡ୍ରେନ୍‌ ନିର୍ମାଣ କରାଯାଉଛି, କେତେକ ସ୍ଥାନରେ ନୂଆ ଡ୍ରେନ୍‌ ନିର୍ମାଣ କରାଯାଉଛି। କିନ୍ତୁ ଗତ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ଏବଂ ଭଲ ଅବସ୍ଥାରେ ଥିବା କିଛି ପୁରୁଣା ଡ୍ରେନ୍‌କୁ ଭାଙ୍ଗି ନୂଆ ନିର୍ମାଣ କରାଯାଉଥିବାରୁ ଏହାକୁ ଜିଏ ପ୍ଲଟ୍‌ ଆବାସିକ ସଂଘ ବିରୋଧ କରିଛି। ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ବି ଡ୍ରେନ୍‌ ନିର୍ମାଣ ହେବାରୁ ସଂଘ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଛି। ଏହାସହ ସଂଘ କହିଛି ଯେ, ପୂର୍ତ୍ତ ବିଭାଗର ମନମାନିକୁ ବରଦାସ୍ତ କରାଯିବନି। ଟିକସଦାତାଙ୍କ ଟଙ୍କାକୁ ଏମିତି ଅଯଥାରେ ଅପଚୟ କରିବାକୁ ଦିଆଯିବନି। ଆଗାମୀ ଦିନରେ ଯେପରି ସରକାରୀ ଅର୍ଥକୁ ଏମିତି ଅପଚୟ କରାନଯାଏ ତାହା ଉପରେ ଧ୍ୟାନ ଦେବାକୁ ସଂଘ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛି। ଏହାପରେ ମୁଖ୍ୟଯନ୍ତ୍ରୀ (ରାସ୍ତା)ଙ୍କୁ ପଦକ୍ଷେପ ନେବାକୁ କୁହାଯାଇଥିଲେ ହେଁ କିଛି ପଦକ୍ଷେପ ନିଆଯାଇନି।

ସଂଘର ସଭାପତି ଇଂ. ପି.କେ ପାଳ କହିଛନ୍ତି ଯେ, ଜିଏ ପ୍ଲଟ୍‌ ଅଞ୍ଚଳରେ ଗତ ୩୦ବର୍ଷ ହେଲା କେବେବି ଜଳବନ୍ଦୀ ସମସ୍ୟା ଉପୁଜିନି କି କେବେ ଡ୍ରେନ୍‌ ଜାମ୍‌ ହୋଇନି। ପୂର୍ତ୍ତ ବିଭାଗ ଡିଭିଜନ-୩ ପକ୍ଷରୁ କିଛି ବର୍ଷ ତଳେ ପୂରା ଜିଏ କଲୋନିରେ ସର୍ଫେସ୍‌ ଡ୍ରେନ୍‌ ନିର୍ମାଣ କରାଯାଇଥିଲା। ଯାହା ଭଲ ଅବସ୍ଥାରେ ଥିଲା ଏବଂ ଏନେଇ କଲୋନି ବାସିନ୍ଦାଙ୍କର କିଛି ଅଭିଯୋଗ ନଥିଲା। କିନ୍ତୁ ଏହାକୁ ଭାଙ୍ଗି ନୂଆ ଡ୍ରେନ୍ ନିର୍ମାଣ କରାଯାଉଛି। ଏପରିକି ଗତ କିଛି ଦିନ ତଳେ ହୋଇଥିବା ବର୍ଷାରେ ଜିଏ ପ୍ଲଟ୍‌-୧୯୭ ଏବଂ ୧୯୮ ନିକଟରେ ପାଣି ଜମା ହୋଇଥିଲା। ଏଠାରେ ଦୁର୍ଗନ୍ଧ ବି ହେଉଛି। ରାସ୍ତା ଠାରୁ ଡ୍ରେନ୍‌ ଉଚ୍ଚା ହେବା ଦ୍ବାରା ରାସ୍ତା ବି ସଙ୍କୁଚିତ ହୋଇଯାଇଛି। ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଏନେଇ ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ଏପରିକି ପୂର୍ତ୍ତ ବିଭାଗ ଡିଭିଜନ-୩ର ନିର୍ବାହୀ ଯନ୍ତ୍ରୀ କାମ ଆରମ୍ଭ ହେବା ପୂର୍ବରୁ କଲୋନି ବାସିନ୍ଦାଙ୍କ ସହ ଆଲୋଚନା କଲେନି କି ଏବେ ଯେଉଁ ସମସ୍ୟା ହେଉଛି ତାହା ପ୍ରତି ଧ୍ୟାନ ଦେଉନାହାନ୍ତି। ଏପରିକି ଶ୍ରୀ ପାଳ କହିଛନ୍ତି ଯେ, କରୋନା ପାଇଁ ଟଙ୍କା ନାହିଁ ବୋଲି ରାଜ୍ୟ ସରକାର କହୁଛନ୍ତି। କିନ୍ତୁ ସରକାରଙ୍କର ଗୋଟିଏ ବିଭାଗ ଟିକସଦାତାଙ୍କ ଅର୍ଥକୁ ଅପଚୟ କରୁଛି। ଆଗାମୀ ଦିନରେ ଯଦି ଜିଏ କଲୋନିରେ କୌଣସି ଡ୍ରେନ୍‌ ଭଙ୍ଗାଯାଏ ତେବେ ଆମେ ବିରୋଧ କରିବୁ। ଏନେଇ ପୂର୍ତ୍ତ ବିଭାଗ ଭୁବନେଶ୍ବର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏଚ୍‌.ଏସ୍‌ ଷଡ଼ଙ୍ଗୀ କହିଛନ୍ତି ଯେ, ଡ୍ରେନେଜ୍‌ ଚ୍ୟାନେଲ୍‌ କରିବା ପାଇଁ ପୁରୁଣା ଡ୍ରେନ୍‌ ଭାଙ୍ଗି ନୂଆ ଡ୍ରେନ୍‌ କରାଗଲା। ନିକଟବର୍ତ୍ତୀ ଅଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ଦେଖାଯିବନି ତାହାକୁ ଦେଖି ଜିଏ ପ୍ଲଟ୍‌ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ କରାଯାଇଛି। ଏହାକୁ ଦୁଇ/ଚାରିଜଣ ଲୋକ ବିରୋଧ କରିଛନ୍ତି। ଅନ୍ୟମାନେ ଆମ କାମକୁ ପ୍ରଶଂସା କରୁଛନ୍ତି।

ନିଜ ଦୋଷ ଲୁଚାଇବାକୁ କୋଟି କୋଟି ଖର୍ଚ୍ଚ କରୁଛନ୍ତି
ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ନିଜ ଅପାରଗତା ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କୌଣସି ଅଞ୍ଚଳରେ ରାସ୍ତା ନିର୍ମାଣ ବେଳେ ରାସ୍ତା ଖୋଳିକି ତାହାକୁ ନିର୍ମାଣ କରୁନାହାନ୍ତି। ପୁରୁଣା ରାସ୍ତା ଉପରେ କଙ୍କ୍ରିଟ ଢାଳି ନୂଆ ରାସ୍ତା କରୁଛନ୍ତି ନଚେତ୍ ପିଚୁ ପକାଇ ଦେଉଛନ୍ତି। ଦୁଇ/ତିନି ଥର ରାସ୍ତା ମରାମତି ହେଲେ ‌ଡ୍ରେନ୍‌ଗୁଡ଼ିକ ତଳୁଆ ହୋଇଯାଇଛି। ରାସ୍ତା ପତ୍ତନରୁ ଡ୍ରେନ୍ ତଳୁଆ ହୋଇଯାଉଥିବାରୁ ଜଳ ନିଷ୍କାସନ ହୋଇପାରୁନି। ତେଣୁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡ୍ରେନ୍ ଉଚ୍ଚା କରାଯାଉଛି। ଆଶ୍ଚର୍ଯ୍ୟର ବିଷୟ ଡ୍ରେନ୍‌ ଉଚ୍ଚା ହେଉଥିଲେ ବି ଠିକାଦାରଙ୍କୁ ନୂଆ ଡ୍ରେନ୍‌ର ଅର୍ଥ ଦିଆଯାଉଛି। ଯନ୍ତ୍ରୀମାନେ ନିଜ ଅପାରଗତା ଓ ଠିକାଦାର ପୋଷିବା ଯୋଜନାରେ ସାଧାରଣ ଲୋକଙ୍କୁ ଗାତରେ ରଖୁଛନ୍ତି। ଅର୍ଥାତ୍ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ନିର୍ମାଣ କରୁଛନ୍ତି ‌ବର୍ଷ କେଇଟାରେ ସେମାନଙ୍କ ଘର ରାସ୍ତା ଠାରୁ ଦୁଇରୁ ତିନିଫୁଟ ତଳକୁ ପଳାଉଛି। ରାଜଧାନୀର ଏମିତି କୌଣସି ଅଞ୍ଚଳ ନାହିଁ ଯେଉଁଠି ଜଣେ ଘରଗୁଡ଼ିକ ରାସ୍ତା ଠାରୁ ତଳେ ଥିବା ଦେଖିବାକୁ ପାଇବନି।

ସମ୍ବନ୍ଧିତ ଖବର