ଶୁଭ ଶୁକ୍ରବାର : ଯୀଶୁଙ୍କ ବଳିଦାନକୁ ସ୍ମରଣ କଲେ

ଭୁବନେଶ୍ୱର : ‘ଝୁଲିଲ ମୋ’ ପାଇଁ କ୍ରୁଶରେ ଆହେ ମୋ ଯୀଶୁ ସୁନ୍ଦର। ଝରିଗଲା ଝରଝର କେତେ ତପତ ରୁଧିର।’ ଆଜି ସହରର ବିଭିନ୍ନ ଚର୍ଚରୁ ସମବେତ ସ୍ୱରରେ ଗୁଞ୍ଜରି ଉଠିଥିଲା ଯୀଶୁଙ୍କ କ୍ରୁଶବିଦ୍ଧର ଅନେକ ଦାରୁଣ ଗୀତିମାଳା। ପାପୀଙ୍କ ପାପ ହରଣ ପାଇଁ କ୍ରୁଶ ଉପରେ ପାପ ବଳି ସ୍ୱରୂପ ମୃତ୍ୟୁକୁ ବରଣ କରିଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଦିନ ବି ଥିଲା ଶୁକ୍ରବାର। ଖାସ୍‌ ଏହିଭଳି ଏକ ପବିତ୍ର ମୁହୂର୍ତର ସ୍ମୃତିଚାରଣ ପୂର୍ବକ ସାରା ସହରରେ ଆଜି ପାଳିତ ହୋଇଥିଲା ଗୁଡ୍‌ ଫ୍ରାଇଡେ’। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଥିଲା ରାଜଧାନୀର ସମସ୍ତ ଚର୍ଚ୍ଚ।

ସଂସାରରେ ପାପର ଭାର ବଢ଼ି ଚାଲିିଥିଲା। ସେହି ସମୟରେ ଏକ ଚମତ୍କାର ହେଲା। ଈଶ୍ୱରଙ୍କ ଦୂତ ମଦର ମେରୀଙ୍କ ପାଖକୁ ଆସି ସେ ଗର୍ଭବତୀ ହୋଇଥିବା ସନ୍ଦେଶ ଦେଇଥିଲେ। ଆଉ ଏହା ମଧ୍ୟ କହିଥିଲେ ଯେ, ଜନ୍ମ ନେବାକୁ ଥିବା ଶିଶୁ ପବିତ୍ର ଜୀବନ ବଞ୍ଚିବ ଏବଂ ଦିନେ ଜଗତ ଉଦ୍ଧାର କରିବ। ତାହା ହିଁ ହେଲା। ପାପୀର ପାପ ନାଶ ପାଇଁ ପ୍ରଭୁ ଯୀଶୁ ବଳିଦାନ ଦେଲେ। କ୍ରୁଶବିଦ୍ଧ ହୋଇ ମଣିଷର ସମସ୍ତ କଷ୍ଟ ଲାଘବ କଲେ। ଜଗତରେ ଶାନ୍ତି, ନ୍ୟାୟ ଓ ଧର୍ମ ପ୍ରତିଷ୍ଠା କଲେ। ଆଜି ଶୁଭ ଶୁକ୍ରବାର (ଗୁଡ୍‌ ଫ୍ରାଇଡେ) ଅବସରରେ ୟୁନିଟ୍‌-୪ର ୟୁନିୟନ ଚର୍ଚରେ ବେଙ୍ଗାଲୁରୁର ଜେନିକ୍‌ ଖ୍ରୀଷ୍ଟଫୋର୍‌ ଏହି ଭଳି ଭାବେ ପ୍ରଭୁ ଯୀଶୁଙ୍କର କ୍ରୁଶବିଦ୍ଧର ରହସ୍ୟକୁ ଭକ୍ତମାନଙ୍କ ଆଗରେ ଉନ୍ମୋଚିତ କରିବା ସହ ବାଇବେଲ୍‌ ଶିକ୍ଷା ଦେଇଥିଲେ।

ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ଆନୁକୂଲ୍ୟରେ ୟୁନିଟ-୪ସ୍ଥିତ ୟୁନିୟନ ଚର୍ଚରେ ପୂର୍ବାହ୍ଣ ୧୦ଟାରେ ଇଂରାଜୀରେ ଏବଂ ଅପରାହ୍‌ଣ ୪ଟାରେ ଓଡ଼ିଆରେ ପାର୍ଥନା କରାଯାଇଥିଲା। ଚର୍ଚ୍ଚର ପାଳକ ରେଭ୍‌ ଆୟୁବ୍‌ ଛିଞ୍ଚାଣି ଶ୍ରଦ୍ଧାଳୁଙ୍କୁ ପାର୍ଥନା କରାଇଥିଲେ। ହଜାର ହଜାର ଖ୍ରୀଷ୍ଟ ଭକ୍ତଙ୍କ ସମେତ ହିନ୍ଦୁମାନେ ବି ଏଥିରେ ସାମିଲ୍‌ ହୋଇ ଯୀଶୁଙ୍କ ଗୁଣକୀର୍ତନ କରିବା ସହ ପ୍ରାର୍ଥନାରେ କୃତଜ୍ଞତା ଜ୍ଞାପନ କରିଥିଲେ। ସେହିପରି ସତ୍ୟନଗର କ୍ୟାଥଲିକ୍‌ ଚର୍ଚରେ ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା। ଅପରାହ୍ନରୁ ଆରମ୍ଭ ହୋଇଯାଇଥିଲା ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ପ୍ରାର୍ଥନା ଓ ଈଶ୍ୱରଙ୍କ ଆରଧନା। ଏହି ଅବସରରେ କ୍ରୁଶବିଦ୍ଧ ପ୍ରଭୁ ଯୀଶୁଙ୍କ ପ୍ରତିମାକୁ ନେଇ ଜନପଥ ପରିକ୍ରମା ମଧ୍ୟ କରାଯାଇଥିଲା। ଏହା ମଧ୍ୟରେ କ୍ରୁଶବିଦ୍ଧ ପ୍ରଭୁ ଯୀଶୁଙ୍କୁ କୃତଜ୍ଞତା ଜଣାଇ ଧାଡ଼ିବାନ୍ଧି ପାଦ ଚୁମିବାର ଦୃଶ୍ୟ ବୟାନ କରୁଥିଲା ଯେମିତି ଯୀଶୁ କିଛି ସମୟ ପାଇଁ ଧରା ପୃଷ୍ଠରେ ଅବତରଣ କରିଛନ୍ତି।

ସମ୍ବନ୍ଧିତ ଖବର