ଏମ୍ସରେ କର୍କଟ, ରକ୍ତ କର୍କଟ ରୋଗୀଙ୍କ ପାଇଁ ଖୁସି ଖବର

୭ ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦ୍‌ଘାଟିତ

ଭୁବନେଶ୍ବର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସର ମେଡିକାଲ ଅଙ୍କୋଲୋଜି, ହେମାଟୋଲୋଜି ବିଭାଗ ପକ୍ଷରୁ ୭ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି, ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରବୋଧ ଦାସ, ଆସୋସିଏଟ୍ ପ୍ରଫେସର୍‌ ଡା. ସୌରଭ କୁମାର ମିଶ୍ର ଏବଂ ସହକାରୀ ପ୍ରଫେସର ଡା. ଇଲାଭାରାସୀ ଭାନିଡାସାନେ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍ସକୁ ପ୍ରତିବର୍ଷ ବହୁ ସଂଖ୍ୟାରେ କର୍କଟ ଏବଂ ରକ୍ତ କର୍କଟ ରୋଗୀ ଆସିଥାଆନ୍ତି। ରକ୍ତ କର୍କଟ ରୋଗଜନିତ ବିଭିନ୍ନ ସମସ୍ୟାର ପୀଡ଼ିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁର ଆବଶ୍ୟକତା ରହିଥାଏ। ଯାହାକି ଏକ ମିଳିତ ଆଇସିୟୁ ସେଟିଂରେ ସେବା ପ୍ରଦାନ କରାଯାଇପାରିବ ନାହିଁ। ତେଣୁ ମେଡିକାଲ ଅଙ୍କୋଲୋଜି ଏବଂ ହେମାଟୋଲୋଜି ବିଭାଗରେ ସ୍ୱତନ୍ତ୍ର ଆଇସିୟୁର ଆବଶ୍ୟକତା ଅଧିକ ବୋଲି ଡାକ୍ତର ପ୍ରବୋଧ ଦାସ ପ୍ରକାଶ କହିଛନ୍ତି। ଏହି ଆଇସିୟୁରେ ପ୍ରତ୍ୟେକ ଶଯ୍ୟା ପାଇଁ ଭେଣ୍ଟିଲେଟର୍‌ ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପଲବ୍ଧ ରହିଛି। କର୍କଟ ଏବଂ ହେମାଟୋଲୋଜିକାଲ୍ ବ୍ୟାଧିରେ ପୀଡ଼ିତ ରୋଗୀମାନେ ଉପକୃତ ହେବେ। ଏପରିକି ଡାଏଲିସିସ୍ ସୁବିଧା ମଧ୍ୟ ଶଯ୍ୟା ନିକଟରେ କରାଯାଇପାରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର