ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଗଡ଼ିବ ନନ୍ଦନକାନନ ଶିଶୁ ରେଳ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଥିବା ଶିଶୁ ରେଳ (ଟଏ ଟ୍ରେନ) ଖୁବ୍ ଶୀଘ୍ର ନବକଳେବର ରୂପରେ ଗଡ଼ିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନି‌ର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ୩.୦୫ କୋଟି ଟଙ୍କା‌ ବ୍ୟୟରେ ଶିଶୁ ରେଳ ପ୍ଲାଟଫର୍ମ ଓ ରେଳପଥ ଉନ୍ନତୀକରଣ ଲାଗି ଏମସିଏଲକୁ ଦାୟିତ୍ବ ଦିଆଯାଇଥିଲା। ୨୦୧୬ ଅକ୍ଟୋବର ୨୨ ତାରିଖ ଏହାର କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ଡିସେମ୍ବର ୨୦ ତାରିଖ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାର କାର୍ଯ୍ୟ ରାଇଟସ୍ କମ୍ପାନି କରୁଥିବା ବେଳେ ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରି ନନ୍ଦନକାନନକୁ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେଇଛି। ୯୩ ଲକ୍ଷ ଟଙ୍କା ବ୍ୟୟରେ ରାଜସ୍ଥାନର ଏକ ଇଂଜିନିୟରିଂ କମ୍ପାନି ନୂତନ ରେଳ ଡବା ଓ ଇଂଜିନ୍ ତିଆରି କରିବା ଲାଗି ରାଇଟସ୍‌ଠାରୁ କାର୍ଯ୍ୟାଦେଶ ପାଇଛି।

ଉକ୍ତ ସଂସ୍ଥା ମଧ୍ୟ ଆସି ନନ୍ଦନକାନନ ପରିଦର୍ଶନ କରି ଯାଇଛି। ୨୦ ଜଣ ଯାତ୍ରୀ ବସିପାରିବା ଭଳି ୩ଟି, ୧୦ ଜଣ ବସିବା ଭଳି ଗୋଟିଏ ଓ ୨ ଜଣ ବସିବା ଭଳି ଗୋଟିଏ ଡବା ମିଶାଇ ମୋଟ ୭୨ ଜଣ ବସିବା ଭଳି ୫ଟି ଡବା ସହିତ ଏକ ଇଂଜିନ୍ ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପଠାଇବାକୁ କୁହାଯାଇଛି। ଏଠାରେ ପହଞ୍ଚିବା ପରେ ସେଗୁଡିକୁ ରଙ୍ଗ କରି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ନନ୍ଦନକାନନକୁ ହସ୍ତାନ୍ତର କରିବା ପରେ ଯଥାଶୀଘ୍ର ସମ୍ଭବ ପର୍ଯ୍ୟଟକଙ୍କ ଲାଗି ଶିଶୁ ରେଳ ଚଳାଇବାର ବନ୍ଦୋବସ୍ତ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷ ପରୀକ୍ଷଣ ଭାବେ କିଛି ଦିନ ନିଜ ଅଧୀନରେ ରଖି ଚଲାଇବା ପରେ ଟେଣ୍ଡର ଜରିଆରେ ଏହାକୁ ଦେବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୯୭୧ ଅଗଷ୍ଟ ୮ରେ ଭାରତୀୟ ରେଳ ଦ୍ବାରା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ପ୍ରଥମ କରି ପ୍ରତିଷ୍ଠା ଲାଭ କରିଥିବା ଶିଶୁ ରେଳକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଶ୍ବନାଥ ଦାସ ଉଦ୍‌ଘାଟନ କରିଥିଲେ। ୧୯୯୩ ମସିହା ନଭେମ୍ବର ୧୪ ତାରିଖରେ ତତ୍‌କାଳୀନ ରେଳମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ସମୟରେ ଭାରତୀୟ ରେଳ ବିଭାଗ ତରଫରୁ ଶିଶୁ ରେଳପଥ ଓ ପ୍ଲାଟଫର୍ମର ଉନ୍ନତୀକରଣ ଓଡ଼ିଶାର ଶିଶୁମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଉପହାର ସଦୃଶ ପ୍ରଦାନ କରାଯାଇଥିଲା। ଯାହାକୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। କାଳକ୍ରମେ ଶିଶୁ ରେଳ ବେଶ୍ ଲୋକପ୍ରିୟ ହେବାରେ ଲାଗିଥିଲା। ଶିଶୁ ପରେ ବୟସ୍କ ମଧ୍ୟ ଯାତ୍ରା କରି ମନୋରଞ୍ଜନ କରିଥିଲେ। ଟିକେଟର ମୂଲ୍ୟ ୨ଟଙ୍କାରୁ ୫ ଟଙ୍କା ପରେ ୧୦ ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୦୮ ମସିହାରୁ ଏହାକୁ ଟେଣ୍ଡର ମାଧ୍ୟମରେ ଦିଆଯାଇଥିଲା।

ମାତ୍ର ପରିଚାଳନା ଗତ ତ୍ରୁଟି ଯୋଗୁଁ ୨୦୧୪ ମସିହା ଅକ୍ଟୋବରଠାରୁ ଏହା ବନ୍ଦ ରହିଥିଲା। ଦୀର୍ଘ ବର୍ଷ ଧରି ଅଚଳ ହୋଇ ରହିବା ଫଳରେ ରେଳ ଇଂଜିନ୍, ରେଳ ଧାରଣା, ଡବା କଳଙ୍କି ଧରି ନଷ୍ଟ ହୋଇଥିଲା ଓ ପ୍ଲାଟଫର୍ମ ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଶେଷରେ ବହୁ ଚେଷ୍ଟା ପରେ ଏବେ ନନ୍ଦନକାନନ ଶିଶୁ ରେଳ ପୁଣି ନବକଳେବର ରୂପରେ ପର୍ଯ୍ୟଟକଙ୍କ ସେବାରେ ଲାଗିବ।

ସମ୍ବନ୍ଧିତ ଖବର