କାଇପଦର ଷ୍ଟେସନ୍ ୟାର୍ଡରେ ପଣ୍ୟବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ଦୁଇ ଘଣ୍ଟା ପ୍ରଭାବିତ

ଜଟଣୀ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଖୋର୍ଦ୍ଧାରୋଡ୍ ଓ କାଇପଦର ମଧ୍ୟରେ ଥିବା କାଇପଦର ଷ୍ଟେସନ୍ ୟାର୍ଡରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିଯୋଗୁଁ ଗୁରୁବାର ଦିନ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କାଇପଦର ରୋଡ୍‌ରୁ ଖୋର୍ଦ୍ଧାରୋଡ୍ ପର୍ଯ୍ୟନ୍ତ ପ୍ୟାନେଲ ନେଇ ଆସୁଥିବା ମାଲବାହୀ ଟ୍ରେନ୍ କ୍ରସିଂ ଦେଇ ଯିବା ବେଳେ ପଛ ଟ୍ରଲି ଖସିପଡ଼ିଥିଲା, ଯାହାଦ୍ୱାରା ଉଭୟ ମାର୍ଗ ବନ୍ଦ ହୋଇଯାଇଥିଲା।

ତେଣୁ ଗୁରୁବାର ଅପରାହ୍ନ ୩ଟା ୨୫ରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ (୧୧୦୨୦), ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍ (୧୨୭୦୩) ଭୁବନେଶ୍ୱରରେ ନିୟନ୍ତ୍ରିତ ହୋଇଥିଲା। ପଣ୍ଡିଚେରୀ-ହାଓଡ଼ା ସୁପର ଫାଷ୍ଟ (୧୨୮୬୮) କାଳୁପଡ଼ାଘାଟରେ, ଚେନ୍ନାଇ-ହାଓଡ଼ା ମେଲ୍ (୧୨୮୪୦) କହିଲିକ ଷ୍ଟେସନରେ, ଚେନ୍ନାଇ-ଶାଲିମାର ଏକ୍ସପ୍ରେସ୍ (୨୨୮୨୬) ଖଲ୍ଲିକୋଟଠାରେ, ପଣ୍ଡିଚେରୀ-ଭୁବନେଶ୍ୱର ସୁପରଫାଷ୍ଟ (୧୨୮୯୭) ବ୍ରହ୍ମପୁରରେ, ପୁରୀ-ଗୁଣୁପୁର ସ୍ପେସାଲ୍‌ (୧୮୪୧୭) ଖୋର୍ଦ୍ଧାରୋଡ୍‌ରେ ନିୟନ୍ତ୍ରିତ ହୋଇଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ରିଲିଫ୍ ଟ୍ରେନ୍ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଆସି ଟ୍ରେନ୍‌ର ସମ୍ମୁଖ ଭାଗକୁ ପ୍ରଥମେ ଅଲଗା କରିଥିଲା। ରେଳ କର୍ମଚାରୀ ଓ ଅଧିକାରୀଙ୍କ ପରିଶ୍ରମ ଯୋଗୁଁ ରେଳ ଧାରଣା ମରାମତି କାର୍ଯ୍ୟ ପ୍ରାୟ ଦୁଇଘଣ୍ଟା ମଧ୍ୟରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର