ଗୋପବନ୍ଧୁ ଥିଲେ ଦୁଃଖୀରଙ୍କିଙ୍କ ପ୍ରକୃତ ବନ୍ଧୁ

‘ପ୍ରଣାମ ମାତୃଭୂମି’ର ଉଦ୍‌ଯାପନୀ ସମାରୋହ 

ଚନ୍ଦ୍ରଶେଖରପୁର : ଗୋପବନ୍ଧୁ ଥିଲେ ଦୁଃଖୀରଙ୍କିମାନଙ୍କ ପ୍ରକୃତ ବନ୍ଧୁ। ଅନ୍ୟର ଆଖିରେ ଲୁହ ଦେଖିଲେ ସେ ମ୍ରିୟମାଣ ହୋଇ ପଡ଼ୁଥିଲେ। ତାଙ୍କ ପରୋପକାର, ନିଃସ୍ୱାର୍ଥପର ସେବା ଓ ସାକାରାତ୍ମକ ଚିନ୍ତା ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଆଜିର ଯୁବପିଢ଼ି ତାଙ୍କ ପଥକୁ ଅନୁସରଣ କରି ଚାଲିଲେ ଦେଶରେ ଉନ୍ନତି ଆପେ ଆପେ ଆସିବ। ଆଜି ‘ସମାଜ’ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଆୟୋଜିତ ‘ପ୍ରଣାମ ମାତୃଭୂମି’ ଅଭିଯାନର ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ସଂପାଦକୀୟ ନିର୍ଦେଶକ ପ୍ରଭୁ ଚାଓ୍ଵଲା ଏପରି ମନ୍ତବ୍ୟ ଦେଇଛନ୍ତି।

ରାଜ୍ୟର ସମସ୍ତ ପ୍ରଞ୍ଚାୟତ ପରିକ୍ରମା କରିଥିବା ଗୋପବନ୍ଧୁ ଜ୍ୟୋତି ଆଜି ଶେଷରେ ‘କିସ୍‌’ ପରିସରରେ ପହଞ୍ଚିଥିଲା। କିସ୍‌ର ପ୍ରାୟ ୧ହଜାର ଛାତ୍ରଛାତ୍ରୀ ଗୋପବନ୍ଧୁ ଜ୍ୟୋତି ରଥକୁ ଇନ୍‌ଫୋସିଟି ଥାନା ଛକରୁ ‘କିସ୍‌’ କ୍ୟାମ୍ପସ୍‌କୁ ପାଛୋଟି ଆଣିଥିଲେ। ପରେ ‘କିସ୍‌’ ମୁକ୍ତ ମଞ୍ଚ ପଡ଼ିଆରେ ୨୭ହଜାର ଛାତ୍ରଛାତ୍ରୀ ଜ୍ୟୋତି ଦର୍ଶନ କରିବା ସହ ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ। ଏଠାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଶ୍ରୀ ଚାଓ୍ଵଲା ମୁଖ୍ୟବକ୍ତା, ଜାତୀୟ ଯୁବ ପ୍ରକଳ୍ପର ଅଧ୍ୟକ୍ଷ ଡ. ଏସ୍‌ଏନ୍‌ ସୁବା ରାଓ ସମ୍ମାନିତ ଅତିଥି, ଶିକ୍ଷାବିତ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ‘ସମାଜ’ ବୋର୍ଡ଼ର ସଭାପତି ଦୀପକ ମାଲବ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମାଜ’ ପରିବାରର ପ୍ରିୟବ୍ରତ ମହାନ୍ତି, ସୁରେଶ ଚନ୍ଦ୍ର ମନ୍ତ୍ରୀ, ରାଜେନ୍ଦ୍ର ଜେନା ଓ ପ୍ରଭାସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବକୁ ‘ସାମଜ’ର ସଂପାଦକ ବାମାପଦ ତ୍ରିପାଠୀ ପରିଚାଳନା କରିଥିଲେ। ଏହି ଅବସରରେ ‘କିସ୍‌’ ସଂସ୍କୃତି ବିଭାଗର କଳାକାରମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର