ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ‌ଗୋପବନ୍ଧୁ ଜୟନ୍ତୀ : ‘ନିଃସ୍ବାର୍ଥପର ସେବକ ଥିଲେ ଉତ୍କଳମଣି’

ଭୁବନେଶ୍ୱର : ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ନିଃସ୍ବାର୍ଥପର ସେବକ। ଦାନ କରିବା ଥିଲା ତାଙ୍କର ଧର୍ମ। ଦୁର୍ନୀତିକୁ ସେ ଶତ୍ରୁ ଓ ବିଷ ପରି ମଣୁଥିଲେ। ଓଡ଼ିଶାର ଜନସାଧାରଣ, କଂଗ୍ରେସ ନେତା ଓ ଅନ୍ୟ ରାଜନୈତିକ ଦଳର ନେତା ଯଦି ଏହି ନୀତିକୁ ଆପଣାନ୍ତେ ତାହେଲେ ଓଡ଼ିଶାର ବହୁ ବିକାଶ ହୋଇପାରନ୍ତା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏପରି ଅନୁଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୁର୍ନୀତି ମାଧ୍ୟମରେ ଯେଉଁ ବ୍ୟକ୍ତି ରାଜନୀତି, ଧନ ସମ୍ପତ୍ତି ଠୁଳ କରେ, ଦିନେ ନା ଦିନେ ତାକୁ ଦଣ୍ଡ ମିଳେ। ଟିକସ ନ ଦେଇ ଆୟକର ଠକେଇ ହେଉ କି ପ୍ରଚୁର ଅର୍ଥ ବ୍ୟୟ କରି ନିର୍ବାଚନ ଲଢ଼ିବା ହେଉ; ଏସବୁ ସୁସ୍ଥ ସମାଜରେ ଗ୍ରହଣୀୟ ନୁହେଁ। ଏଥିପ୍ରତି ଜନସାଧାରଣ ସତର୍କ ରହିବା ଉଚିତ। ଅନ୍ୟପଟେ ଗୋପବନ୍ଧୁ ଓ ମଧୁବାବୁଙ୍କ ଆଦର୍ଶ ଓ ନୀତିକୁ ପାଥେୟ କରି କାର୍ଯ୍ୟ କଲେ ସମାଜର ବିକାଶ ହେବା ସହ ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ। ଏହା ହିଁ ପୁଣ୍ୟାତ୍ମା ଉତ୍କଳମଣିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ପିସିସି ସଭାପତି ଆହ୍ବାନ ଦେଇଛନ୍ତି।

ଉତ୍କଳ ସମ୍ମିଳନୀ
ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି। ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଅଧ୍ୟକ୍ଷତା‌ କରି ଗୋପବନ୍ଧୁଙ୍କ ସେବା ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେବା ଉଚିତ ବୋଲି କହିଥିଲେ। ଏହି ଅବସରରେ ଉପଦେଷ୍ଟା ନିରଂଜନ ଦାଶ, ନିମାଇଁ ଚରଣ ଦାସ, ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ବାସନ୍ତୀ ତ୍ରିପାଠୀ, ଅକ୍ଷୟ କୁମାର ଜେଠୀ, ନିରଂଜନ ପାତ୍ର, ଗୋପୀମୋହନ ପଟ୍ଟନାୟକ ଓ ନଗେନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଧାନସଭା
ଓଡ଼ିଶା ବିଧାନସଭା ପକ୍ଷରୁ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ବିଧାନସଭା ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ପ୍ରଦେଶ କଂଗ୍ରେସ କମିଟି
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ବର କଂଗ୍ରେସ ଭବନଠାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି। ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଗୋପବନ୍ଧୁ ଛକସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥି‌‌ଲେ। କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ ରାଉତରାୟ, ମାନସ ଚୌଧୁରୀ, ସ୍ମୃତିରଂଜନ ଲେଙ୍କା, ଅମୀୟ ପଟ୍ଟନାୟକ, ମନୋରଂଜନ ଦାସ, ରଶ୍ମି ମହାପାତ୍ର, ଚିନ୍ମୟ କୁମାର ଦାସ, ପଦ୍ମାକର ଗୁରୁ, ହଳଧର ସେଠୀ, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ନାରାୟଣ ଜେନା, ଦୀପକ ମହାପାତ୍ର, ପ୍ରକାଶ ମିଶ୍ର, ଶଙ୍କୁନା କହଁର, ଦେବାଶିଷ ଭୂୟାଁ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ନରୋତ୍ତମ ନାୟକ, ମହମ୍ମଦ ଶାହାଦୁଲ୍ଲା, ସାଗର ପରିଡ଼ା, ଦେବେନ୍ଦ୍ର ପ୍ରସାଦ ଦାସ, ନିରୁପମା ଜଗତ, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ୟୁନିଟ୍-୮ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅଭିଯାନର ଅଧ୍ୟକ୍ଷ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜିର ଯୁବପିଢ଼ି ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଯନ୍ତ୍ରୀ ଶିଶିର ନାୟକ, ବ୍ରଜବନ୍ଧୁ ପରିଡ଼ା, ଡମ୍ବରୁଧର ହରଣସିଂହ, ଆଦର୍ଶ ଦାସ, ସମିତା ମହାରଣା, ମନୋରଂଜନ ବାରିକ, ସାଧୁଚରଣ ବେହେରା, ସୀତାଂଶୁ ଶେଖର ମହାରଣା, ଜ୍ୟୋତିରଂଜନ ନାୟକ, ପ୍ରଦୀପ ବିଶ୍ବାଳ, ବି ମୁରଲୀଧର, ମନଜିତ୍ କୌର୍, ନଗେନ୍ ନାୟକ, ସୁମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ
ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି। ସୀତାବଲ୍ଲଭ ମହାପାତ୍ରଙ୍କ ସଭା ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପର୍ଶୁରାମ ‌ଦ୍ବିବେଦୀ ଗୋପବନ୍ଧୁଙ୍କ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ନ୍ୟାସୀ ମଣ୍ଡଳ ସଦସ୍ୟ ରମାକାନ୍ତ ମିଶ୍ର ଗୋପବନ୍ଧୁଙ୍କ ସାରସ୍ବତ ରଚନାର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ରାମ ନାରାୟଣ ମିଶ୍ର, କୋଷାଧ୍ୟକ୍ଷ ବିରଜା ପ୍ରସାଦ ଶତପଥୀ, ପ୍ରଦୀପ୍ତ କୁମାର ବିଶ୍ବାଳ, କୈଳାସ ଚନ୍ଦ୍ର ରଥ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। ଅଶୋକ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ଦାମୋଦର ସେନାପତି ଭଜନ ପରିବେଷଣ କରିଥିଲେ।

କିସ୍‌
କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ୨୦୧୯ ମସିହା ଅଗଷ୍ଟରେ କିସ୍‌ରେ ପ୍ରତିଷ୍ଠା କରାଯାଇଥିବା ଗୋପବନ୍ଧୁ ଚେୟାର ଦ୍ବାରା ହୋଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପ୍ରଥମ ଚେୟାର ପ୍ରଫେସର ବସନ୍ତ କୁମାର ପଣ୍ଡା ସୂଚନା ଦେଇଥିଲେ। ଗୋପବନ୍ଧୁଙ୍କ ଜନସେବା, ରାଜନୀତି ଶିକ୍ଷା, ସାହିତ୍ୟ, ସାମ୍ବାଦିକତା ଓ ସଂପାଦନାକୁ ନେଇ ମନସ୍ବୀ ଗୋପବନ୍ଧୁ ପୁସ୍ତକ ରଚନା କରାଯାଇଛି ବୋଲି ସୂଚନା ଦେଇଥିଲେ। ୬୦ ଦଶକର ପୁସ୍ତକ ଗୋପବନ୍ଧୁ ପରିକ୍ରମାର ପୁନଃ ପ୍ରକାଶନ ନିମନ୍ତେ ପ୍ରୟାସ ଚାଲିଛି ବୋଲି ସେ କହିଥିଲେ। ଏହାସହ ବିଶିଷ୍ଟ ଔପନ୍ୟାସିକ ‌ଗୋପୀନାଥ ମହାନ୍ତିଙ୍କ ଉତ୍କଳମଣି ପୁସ୍ତକକୁ ଇଂରାଜୀରେ ଅନୁଦାବ କରାଯାଇଛି ଓ ତାହା ମଧ୍ୟ ପ୍ରକାଶ ପାଇବ ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଥି‌ଲେ। କାର୍ଯ୍ୟକ୍ରମରେ କିସ୍‌ ପରାମର୍ଶଦାତା ପ୍ରଫେସର ହରେକୃଷ୍ଣ ଶତପଥୀ, ପ୍ରଫେସର ହରୀଶ ଚନ୍ଦ୍ର ସାହୁ ପ୍ରମୁଖ ଉତ୍କଳମଣିଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର