ଭୁବନେଶ୍ବର: କୁଷ୍ଠ ରୋଗୀଙ୍କୁ ଥଇଥାନ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ୪୨ ନମ୍ବର ୱାର୍ଡ ଅନ୍ତର୍ଗତ ବୁଦ୍ଧନଗରରେ ସରକାର ଗଢ଼ିଥିଲେ ଗୋପବନ୍ଧୁ ଲେପ୍ରସି କଲୋନି। ଏଠାରେ କୃଷ୍ଠରୋଗୀଙ୍କୁ ରହିବା, ଖାଇବା ସହ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେଇଥିଲେ ସରକାର। କୁଷ୍ଠରୋଗୀଙ୍କୁ ସରକାର ସ୍ବତନ୍ତ୍ର ଆବାସ ବି ଯୋଗାଇ ଦେଇଥିଲେ। ବିଜୁ ବାବୁଙ୍କ ଅମଳରେ ଏହି କଲୋନିବାସୀଙ୍କୁ ମିଳିଥିଲା କୋଠାଘର। ଇତିମଧ୍ୟରେ ୩୦ ବର୍ଷ ଅତିକ୍ରାନ୍ତ କଲାଣି। କିନ୍ତୁ ସରକାର ଏହି କଲୋନିବାସୀଙ୍କୁ ଅଣଦେଖା କରିଚାଲିଛନ୍ତି। ଯେଉଁ ଘରେ ଆଜି କୁଷ୍ଠରୋଗୀମାନେ ମୁଣ୍ଡ ଗୁଞ୍ଜିଛନ୍ତି, ତାହା ଭଗ୍ନ ଅବସ୍ଥାରେ। ବର୍ଷା ହେଲେ, ଛାତ, କାନ୍ଥରୁ ପାଣି ଝରୁଛି। ଯାହା କୁଷ୍ଠରୋଗୀଙ୍କୁ ଆହୁରି ସଂକ୍ରାମକ ପରିସ୍ଥିତିକୁ ଠେଲି ଦେଉଛି। ଏହି କୁଷ୍ଠରୋଗୀଙ୍କୁ ନୂଆ ଆବାସ ଯୋଗାଇ ଦେବାକୁ ବାରମ୍ବାର ଭୁବନେଶ୍ବର କର୍ପୋରେସନ୍ ବୈଠକରେ ଦାବି ଉଠୁଛୁ। ଗତ କର୍ପୋରେସନ୍ ବୈଠକରେ ୪୨ ନମ୍ବର ୱାର୍ଡ କର୍ପୋରେଟର୍ ଆଶିଷ କୁମାର ପଟ୍ଟନାୟକ ଓ ଅନ୍ୟମାନେ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ନୂଆଘର କରିବେ କହି ବାରମ୍ବାର ଭଣ୍ଡାଇ ଚାଲିଛି ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ବର ମହାନଗର ନିଗମ।
ଗୋପବନ୍ଧୁ ଲେପ୍ରସି କଲୋନିରେ ୪୫ କୁଷ୍ଠ ପରିବାର ରହୁଛନ୍ତି। ଥଇଥାନ ପୂର୍ବରୁ ଏମାନଙ୍କ ଭିତରୁ କିଛି ଭିକ୍ଷାବୃଦ୍ଧି କରୁଥିଲେ। ବାକି ପାରିବାରିକ ଅଣଦେଖା କାରଣରୁ ନିଃସହାୟ ଅବସ୍ଥାରେ ପଡ଼ିଥିଲେ। ଏମାନଙ୍କୁ ସୁରକ୍ଷିତ ଆବାସ ସହ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଗୋପବନ୍ଧୁ ଲେପ୍ରସି କଲୋନିର ଶୁଭାରମ୍ଭ କରାଯାଇଥିଲା। ସମସ୍ତ କୁଷ୍ଠ ପରିବାରଙ୍କୁ ବ୍ୟକ୍ତିଗତ ପକ୍କା ଘର ଯୋଗାଇ ଦିଆଯାଇଥିଲା। ଏବେ କୃଷ୍ଠ ରୋଗୀଙ୍କ ପରିବାର ସଂଖ୍ୟା ବଢ଼ିଛନ୍ତି। କିନ୍ତୁ ସେହି ଛୋଟ ଘରେ ଏମାନେ ମୁଣ୍ଡ ଗୁଞ୍ଜିଛନ୍ତି। ପାଣି ଗଳି ଛାତ, କାନ୍ଥ ଶିଉଳି ଚରିଗଲାଣି। ଆଗକୁ କିଛି ଆଜବେଷ୍ଟସ୍ ଘର ରହିଛି, ତାହା ସବୁ ଭାଙ୍ଗିଗଲାଣି। କଲୋନିର ବାସିନ୍ଦା କହିଛନ୍ତି, ଆମକୁ ଯେଉଁ ଘର ମିଳିଥିଲା ତାହା ବହୁ ପୁରୁଣା। ଛୋଟିଆ ଛୋଟିଆ ଘର। ଯେଉଁଥିରେ ୧୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ଶୋଇବା ଘର, ୫ ଫୁଟ ଲମ୍ବ ଓ ୫ ଫୁଟ ଓସାରର ଏକ ଘର ଓ ରୋଷେଇ ଘର ରହିଛି। ସେଥିରେ ସପରିବାର ରହିବା କଷ୍ଟକର। ଏଭଳି ସ୍ଥିତିରେ ବର୍ଷା ହେଲେ ପାଣି ଗଳୁଥିବାରୁ ନର୍କଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ସ୍ଥିତି ଏପରି ଯେ ଗୋଷ୍ଠୀ କେନ୍ଦ୍ରରେ କିଛିଜଣଙ୍କୁ ଆଶ୍ରୟ ନେବାକୁ ପଡ଼ୁଛି। ୪୨ ନମ୍ବର ୱାର୍ଡ କର୍ପୋରେଟର୍ ଆଶିଷ କୁମାର ପଟ୍ଟନାୟକ କହିଛନ୍ତି, ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୋପବନ୍ଧୁ ଲେପ୍ରସି କଲୋନିବାସୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ଘର ଆଉ ଭଲ ସ୍ଥିତିରେ ନାହିଁ। ୩ ବର୍ଷ ହେଲାଣି ଏଠାର ଅନ୍ତେବାସୀଙ୍କୁ ନୂଆ ପକ୍କାଘର ଯୋଗାଇ ଦେବାକୁ ଦାବି କରିଆସୁଛି। ଗତ କର୍ପୋରେସନ୍ ବୈଠକରେ ବି ଏହି ପ୍ରସଙ୍ଗ ଉଠାଇଥିଲି। କିନ୍ତୁ ଆଳ ଦେଖାଇ ଏହାକୁ ଟାଳି ଦିଆଯାଇଥିଲା। ବିଏମ୍‌ସି ଜାଣିବା ଦରକାର, ଏଠାରେ ଯେଉଁମାନେ ରହୁଛନ୍ତି, ସେମାନେ ଏକପ୍ରକାର ଭିନ୍ନକ୍ଷମ। ଦୁର୍ଦ୍ଦିନ ସ୍ଥିତି ଦେଇ ଗତି କରୁଛନ୍ତି। ନିକଟରେ ଏହି କଲୋନିରେ ଏକ ଗୋଷ୍ଠୀ କେନ୍ଦ୍ର କରାଯାଇଛି। କିନ୍ତୁ କଲୋନିର ୪୫ କୁଷ୍ଠ ପରିବାରଙ୍କୁ ନୂଆ ଘର ଯୋଗାଇ ଦେବା ଆବଶ୍ୟକ ହୋଇପଡ଼ିଛି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି, ଗୋପବନ୍ଧୁ ଲେପ୍ରସି କଲୋନି ଅନ୍ତେବାସୀଙ୍କୁ ଥଇଥାନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୭ଟି ଏକ ମହଲା ବିଶିଷ୍ଟ ଘର କରିବାକୁ ଯୋଜନା କରିଛୁ। ଏଥିପାଇଁ ୩କୋଟି ୪୮ଲକ୍ଷ ୨୬ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଗତ କର୍ପୋରେସନ୍ ବୈଠକରେ ଅନୁମୋଦନ ଲାଭ କରିଛି।